ଲାଞ୍ଚ ନେଇ ୧୧ ବର୍ଷରେ ଧରା ହେଲେଣି ୧୭ ପୁଲିସ

ଭୁବନେଶ୍ବର: ଲାଞ୍ଚ ନେଇ ପୁଲିସ୍‌ କର୍ମଚାରୀ ଧରାପଡ଼ିବା ନୂଆ ନୁହେଁ। ଗତ ୧୧ ବର୍ଷ ମଧ୍ୟରେ ୧୭ଜଣ ପୁଲିସ କର୍ମଚାରୀ/ଅଧିକାରୀ ଲାଞ୍ଚ ନେଇ ଧରାପଡ଼ିଛନ୍ତି। ୨୦୧୯ ସେପ୍ଟେମ୍ବର ୩୦ ତାରିଖରେ ଏକ ଜବତ ଟ୍ରକକୁ ଛାଡ଼ିବା ଲାଗି ୧୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ବାଳକାଟି ଫାଣ୍ଡି ଅଧିକାରୀ ଦେବେନ୍ଦ୍ର ସାହୁଙ୍କୁ ପୁଲିସ ଗିରଫ କରିଥିଲା। ୨୦୧୯ ଫେବ୍ରୁଆରି ୧୩ତାରିଖରେ ଏକ ଜମିଜମା ମାମଲାରେ ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧଉଳି ଥାନା ସବଇନ୍ସପେକ୍ଟର ପ୍ରଦୀପ ମହଲାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ। ୨୦୧୮ ସେପ୍ଟେମ୍ବର ୩ ତାରିଖରେ ଜଟଣୀ ଥାନାର ତତ୍କାଳୀନ ଇନ୍ସପେକ୍ଟର ସଂଜୀବ ମହାନ୍ତି ୫୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ରେଡ୍‌-ହ୍ୟାଣ୍ଡରେ ଧରିଥିଲା।

୨୦୧୩ ମେ’ ୨୩ ତାରିଖରେ ଧଉଳି ଥାନାର ଆଇଆଇସି ଦେବୀପ୍ରସାଦ ଦାସ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ। ପୂର୍ବରୁ ଜଟଣୀ ଥାନାର ସବଇନ୍ସପେକ୍ଟର ରାକେଶ ସାମନ୍ତରାୟ ଓ ନବକିଶୋର ମହାପାତ୍ର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିବା ଘଟଣା ବେଶ୍ ଚର୍ଚାର ବିଷୟ ପାଲଟିଥିଲା। ନନ୍ଦନକାନନ ଥାନା ଏଏସ୍ଆଇ ଅମୀନ ଖାନ ମଧ୍ୟ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ। ଏକ ଆଶ୍ଚର୍ଯ୍ୟଜନକ ଘଟଣାକ୍ରମରେ ତତ୍କାଳୀନ ପୁଲିସ କମିସନର ବିଜୟ ଶର୍ମାଙ୍କ ସହ ଜଣେ ଅଭିଯୋଗକାରୀଙ୍କର ଭେଟ କରାଇ ଦେବା ଲାଗି ୨ ହଜାର ଟଙ୍କା ଲାଞ୍ଚ ନେଇ ଜଣେ ସବଇନ୍ସପେକ୍ଟର ଗିରଫ ହେବା ଘଟଣା ସେତେବେଳେ ଆଲୋଡ଼ନ ସୃଷ୍ଟି କରିଥିଲା। ଏପରିକି ରେଡ୍ ହେବା ସମୟରେ ସମ୍ପୃକ୍ତ ସବଇନ୍ସପେକ୍ଟର୍‌ ଟଙ୍କା ଫିଙ୍ଗି ଦେଇଥିଲେ। ଏପରି ଗୋଟିଏ ପରେ ଗୋଟିଏ ଘଟଣା କମିସନରେଟ୍‌ ପୁଲିସର ଛବି ଖରାପ କରୁଛି। କେତେକ ପୁଲିସ କର୍ମଚାରୀଙ୍କ ପାଇଁ ପୂରା ବିଭାଗକୁ ବଦନାମ୍ ହେବାକୁ ପଡ଼ୁଛି।

ସମ୍ବନ୍ଧିତ ଖବର