ମୁକ୍ତା ଯୋଜନାରେ ଶୀର୍ଷରେ ବିଏମ୍‌ସି, ୧୭୦୦ ବର୍ଷାଜଳ ଅମଳ ପ୍ରକଳ୍ପ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ‘ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ’ (ମୁକ୍ତା) ଯୋଜନାରେ ସର୍ବାଧିକ ପ୍ରକଳ୍ପ ତିଆରି କରି ବିଏମ୍‌ସି ରାଜ୍ୟ ତାଲିକାରେ ଶୀର୍ଷରେ ରହିଛି। ଏହି ଯୋଜନାରେ ଏ ଯାବତ୍‌ ୧ ହଜାର ୭ଶହରୁ ଊର୍ଦ୍ଧ୍ବ ବର୍ଷା ଜଳ ଅମଳ ପ୍ରକଳ୍ପ ତିଆରି କରି ବିଏମ୍‌ସି ଇତିହାସ ରଚିଛି। ଏନେଇ ଆଜି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

ଏହି ଯୋଜନା ମୁତାବକ, କୋଭିଡ଼୍‌-୧୯ ରେ ଅନେକଙ୍କ ଜୀବନ ବାଧାପ୍ରାପ୍ତ ହୋଇଛି। ବିଶେଷ କରି ସହରାଞ୍ଚଳରେ ରହୁଥିବା କୁଶଳୀ ଓ ଅଣକୁଶଳୀ ଶ୍ରମିକ ନିଜର ରୋଜଗାର ହରାଇଛନ୍ତି। ସେମାନଙ୍କ ସହିତ ମହିଳାମାନଙ୍କୁ ରୋଜଗାର ଯୋଗାଇବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ଏହି ‘ମୁକ୍ତା’ କାର୍ଯ୍ୟକ୍ରମରେ ବିଏମ୍‌ସି ଚଳିତ ବର୍ଷ ୧୩ ଏପ୍ରିଲରୁ ୩୦ ଜୁନ୍ ମଧ୍ୟରେ ୧୭୧୭ ଗୋଟି ବର୍ଷା ଜଳ ଅମଳ ପ୍ରକଳ୍ପ ତିଆରି କରାଯାଇଛି। ଏଥିରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ଶ୍ରମିକମାନଙ୍କୁ ନିୟୋଜିତ କରାଯାଇଥିବା ସୂଚନା ଦେଇଛନ୍ତି ବିଏମ୍‌ସି କମିସନର ସଂଜୟ ସିଂହ।

ସେ କହିଛନ୍ତି, ବର୍ତ୍ତମାନର ଭୂତଳ ଜଳସ୍ତର ଉଦ୍‌ବେଗଜନକ ଭାବରେ କମିବାରେ ଲାଗିଛି। ଏଣୁ ଏହାର ସ୍ତର ସ୍ଥିର ରଖିବା ପାଇଁ ବିଏମ୍‌ସି ଏହି ମୁକ୍ତା ଯୋଜନାରେ ବର୍ଷା ଜଳ ଅମଳ ପ୍ରକଳ୍ପ ହାତକୁ ନେଇଛି। ଏହି ପ୍ରକଳ୍ପ ଜରିଆରେ ବର୍ଷାଜଳକୁ ଭୂତଳକୁ ଛାଡ଼ିବା ପାଇଁ ବ୍ୟବସ୍ଥା ହୋଇଛି। ଏହି ଗୋଷ୍ଠୀ ଭିତ୍ତିକ କାର୍ଯ୍ୟକ୍ରମରେ ୨୬୫ ଟି ଏସ୍ଏଚ୍‌ଜିର ୩୦୦୦ ମହିଳା ସଦସ୍ୟାଙ୍କୁ ସାମିଲ କରାଯାଇଛି। ଏଥିରେ ୫୩ ହଜାର ଜଣ ଅଣକୁଶଳୀ ଓ ୨୦ ହଜାର କୁଶଳୀ ଶ୍ରମିକ ରୋଜଗାର ପାଇଛନ୍ତି। ଏଥିରେ ପାଖାପାଖି ୭୩ ହଜାର କାର୍ଯ୍ୟ ଦିବସ ସୃଷ୍ଟି କରାଯାଇ ପାରିଛି। କରୋନା ସମୟରେ କାମଧନ୍ଦା ନଥିବା ବେଳେ ଘର ପାଖରେ ମିଳୁଥିବା କାମ ଆମ ପାଇଁ ଆଶୀର୍ବାଦ ବୋଲି କହିଛନ୍ତି ଏହି ପ୍ରକଳ୍ପ ଜରିଆରେ ରୋଜଗାର ପାଇଥିବା ୱାର୍ଡ ନମ୍ବର ୬୩ର ମିସ୍ତ୍ରୀ ଶଙ୍କର ମହାନ୍ତି ଓ ରାଜ୍ ସାହୁ।

ସମ୍ବନ୍ଧିତ ଖବର