ଖଣ୍ଡଗିରିରେ ଫ୍ଲାଏଓଭର୍ ନିର୍ମାଣ ପାଇଁ ବଳିପଡ଼ିଥିଲା ୧୭ଶହ ଗଛ, ନୂଆ ଗଛ ଲାଗିବ କେବେ?

ଭୁବନେଶ୍ବର : ଗତ ମାର୍ଚ୍ଚ ୨୦୧୯ରୁ ଆରମ୍ଭ ହୋଇଥିବା ଖଣ୍ଡଗିରି ଫ୍ଲାଏଓଭର୍‌ କାମ ଏପ୍ରିଲ୍ ଶେଷ ସୁଦ୍ଧା ଶେଷ ହେବ ବୋଲି ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) ସୂଚନା ଦେଇଛି। ତେବେ ୨କିମି ୨୩୦ମିଟର ଲମ୍ବର ଫ୍ଲାଏଓଭର୍‌ ନିର୍ମାଣ କରିବାକୁ ନେଇ ଖଣ୍ଡଗିରିରୁ ତମାଣ୍ଡୋ ରାସ୍ତା ପାର୍ଶ୍ବରେ ଲାଗିଥିବା ବହୁ ପୁରୁଣା ବଡ଼ ବଡ଼ ଗଛ ବଳି ପଡ଼ିଥିଲା। ବଉଳ, ନିମ୍ବ, କରଞ୍ଜ, ପାଟୁଳି, ବର, ଅଶ୍ବତ୍‌ଥ ଭଳି ବିଭିନ୍ନ ପ୍ରକାରର ଛୋଟ ବଡ଼ ଗଛ ମିଶି ପ୍ରାୟ ୧୭ଶହ ଗଛ କଟା ହୋଇଥିଲା। ବର୍ତ୍ତମାନ ମୁଣ୍ଡଫଟା ଖରା ସାଙ୍ଗକୁ ରାସ୍ତାରୁ ଛାଇ ଉଭେଇ ଯିବା କାରଣରୁ ସୂର୍ଯ୍ୟ କିରଣ ପିଚୁ ରାସ୍ତାରେ ବିକିରଣ ହୋଇ ଗ୍ରୀଷ୍ମ ଲହରିକୁ ଅଧିକ ବଢ଼ାଉଛି।

ବନ ବିଭାଗର ନିୟମାନୁଯାୟୀ, ଯେ କୌଣସି ସ୍ଥାନରେ ଗଛ କଟାଗଲେ ତାର ଦୁଇଗଣା ବା ତଦୂର୍ଦ୍ଧ୍ବ ଗଛ ଲଗାଇବା ପାଇଁ ବ୍ୟବସ୍ଥା କରାଯିବା କଥା। ଏହି ନିୟମ ସରକାରୀ, ବେସରକାରୀ ସବୁ ସଂସ୍ଥା ପାଇଁ ପ୍ରଯୁଜ୍ୟ। ତେବେ ୨୦୧୯ରୁ କାମ ଆରମ୍ଭ ହୋଇଥିବାରୁ ଏଯାବତ୍ କାମ ସରିନଥିବାରୁ ଏଠାରେ ଗଛା ଲଗା ତାରିଖ ମଧ୍ୟ ଦିନକୁ ଦିନ ଘୁଞ୍ଚି ଘୁଞ୍ଚି ଯାଉଛି। ଭୁବନେଶ୍ବର ଡିଭିଜନ୍‌ର ଡିଏଫ୍‌ଓ ଅଶୋକ ମିଶ୍ରଙ୍କ କହିବାନୁଯାୟୀ, ଫ୍ଲାଏଓଭର୍‌ ପାଇଁ କଟିଥିବା ୧୭ଶହ ଗଛ ପ୍ରତିବଦଳରେ ଏନ୍‌ଏଚ୍‌ଆଇ ୩୪ଶହ ଗଛ ରୋପଣ ପାଇଁ ପ୍ରାୟ ୩୪ ଲକ୍ଷ ଟଙ୍କା ବନ ବିଭାଗ ପାଖରେ ଜମା କରିଛି। ଯେହେତୁ ଫ୍ଲାଏଓଭର୍ କାମ ଶେଷ ହୋଇନାହିଁ ଏବଂ କାମ ଶେଷ ହେବା ପରେ ଛକ ଦେଇ ଯାଇଥିବା ରାସ୍ତା ପ୍ରଶସ୍ତୀକରଣ କରିବାର ସମ୍ଭାବନା ରହିଛି, ସେଥିପାଇଁ ଜୁନ୍‌ ମାସରୁ ବୃକ୍ଷରୋପଣ ପାଇଁ କାମ ଆରମ୍ଭ ହେବ।

ଶ୍ରୀ ମିଶ୍ର ଆହୁରି କହିଛନ୍ତି, ଅତ୍ୟଧିକ ଖରାରେ ସୂର୍ଯ୍ୟକିରଣ ପିଚୁରେ ପଡ଼ି ପୁଣି ଉପରକୁ ବିକିରଣ ହେଉଥିବାରୁ ବାୟୁମଣ୍ଡଳ ଥଣ୍ଡା ରହୁନି। ଯେଉଁଥିପାଇଁ ରାଜଧାନୀର ତାତି ଦିନକୁ ଦିନ ବଢ଼ିବାରେ ଲାଗୁଛି। ସେଥିପାଇଁ ଚଳିତ ବର୍ଷ ରାସ୍ତାର ପିଚୁକୁ ତାତିରୁ ସୁରକ୍ଷା ଦେବା ପାଇଁ ବଡ଼ ବଡ଼ ଗଛା ଲଗାଯିବ। ଯେଉଁଥିରେ ସୁନାରି, ପଟାଳି, ଲିମ୍ବ, ଓସ୍ତ, ବର, ଜାମୁ ଭଳି ପ୍ରମୁଖ ଗଛ ରହିଛି। ଏହିସବୁ ଗଛ ଶାଖା ପ୍ରଶାଖା ମେଲିବା ସହ ସୂର୍ଯ୍ୟ କିରଣରୁ ପିଚୁ ଉପରେ ଖରା ପଡ଼ିବାରୁ ସୁରକ୍ଷା ଦେବ। ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର