ନନ୍ଦନକାନନରେ ଆଜି ବୁଲିଲେ ୧୭୨୭ ଦର୍ଶକ

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ଲାଗି ରାଜଧାନୀ ଭୁବନେଶ୍ୱରର ଅନ୍ୟତମ ଆକର୍ଷଣୀୟ ସ୍ଥାନ ‘ନନ୍ଦନକାନନ ପ୍ରାଣୀ ଉଦ୍ୟାନ’ରେ ଆଜି ୧୭୨୭ ଜଣ ଦର୍ଶକ ବୁଲିବାକୁ ଯାଇଥିଲେ। ଏମାନଙ୍କ ମଧ୍ୟରୁ ୧୬୬୮ ଜଣ ଅନ୍‌ଲାଇନ୍‌ ଓ ୫୯ ଜଣ ଅଫ୍‌ଲାଇନ୍‌ରେ ଟିକେଟ୍‌ କିଣିଥିଲେ। ସେହିପରି ନନ୍ଦନକାନନ ନିକଟରେ ଥିବା ବଟାନିକାଲ ଗାର୍ଡେନକୁ ଆଜି ୨୬୭ ଜଣ ପର୍ଯ୍ୟଟକ ବୁଲିବାକୁ ଯାଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଦୀର୍ଘ ୨୦୩ ଦିନ ପରେ ଗତ ରବିବାର (ଅକ୍ଟୋବର ୪ ତାରିଖ) ଦିନ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ସାଧାରଣ ଦର୍ଶକଙ୍କ ଲାଗି ଖୋଲିଥିଲା। ତେବେ ପ୍ରଥମ ଦିନରେ ମାତ୍ର ୩୦୬ ଜଣ ପର୍ଯ୍ୟଟକ ବୁଲିଥିଲେ। ପର୍ଯ୍ୟଟକମାନଙ୍କ ମଧ୍ୟରୁ ୨୭୫ ଜଣ କାଉଣ୍ଟର ମାଧ୍ୟମରେ ଟିକେଟ୍‌ କିଣିଥିଲେ। କିନ୍ତୁ ଜଣ ୩୧ ଜଣ ପର୍ଯ୍ୟଟକ ଅନ୍‌ଲାଇନ୍‌ ମାଧ୍ୟମରେ ଟିକେଟ୍‌ କିଣିଥିଲେ। ବଟାନିକାଲ ଗାର୍ଡେନ୍‌କୁ ଗତ ୪ ତାରିଖ ଦିନ ୩୯ ଜଣ ପର୍ଯ୍ୟଟକ ବୁଲିବାକୁ ଯାଇଥିଲେ।

ପର୍ଯ୍ୟଟକଙ୍କ ଲାଗି ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। କରୋନା କଟକଣାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକମାନଙ୍କୁ ସୁରକ୍ଷିତଭାବେ ବୁଲାଇବା ପାଇଁ ସବୁ ପ୍ରକାର ଯୋଜନା ପ୍ରସ୍ତୁତ କରାଯାଇଛି। ଟିକେଟ୍‌ କାଉଣ୍ଟରଠାରୁ ଆରମ୍ଭ କରି ପ୍ରାଣୀ ଖୁଆଡ଼ ପର୍ଯ୍ୟନ୍ତ ସବୁଠାରେ ଯେମିତି ସାମାଜିକ ଦୂରତା ବଜାୟ ରହିବ, ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି।

ନନ୍ଦନକାନନ ପରିସରକୁ ବିଶୋଧନ କରିବା ଲାଗି ଯଥେଷ୍ଟ ପରିମାଣର ହାତ ମେସିନ୍‌ ଓ ୨ଟି ବିଦ୍ୟୁତ ଚାଳିତ ସିଞ୍ଚନ ମେସିନ୍‌ ଲଗାଯାଇଛି। ସେହିଭଳି ପର୍ଯ୍ୟଟକଙ୍କ ଶରୀର ତାପମାତ୍ରା ମାପି ଭିତରକୁ ଛାଡ଼ିବା ପାଇଁ ତାପମାତ୍ରା ମାପକ ଯନ୍ତ୍ର ରଖାଯାଇଛି। ପର୍ଯ୍ୟଟକଙ୍କୁ ବାଧ୍ୟତାମୂଳକଭାବେ ମୁହଁରେ ମାସ୍କ ଲଗାଇ ଧାଡ଼ି ବାନ୍ଧି ସାମାଜିକ ଦୂରତା ରକ୍ଷା କରି ବୁଲି ଦେଖିବାକୁ ପଡ଼ିବ। ଖିଲାପ କଲେ ଜରିମାନା କରାଯିବ ବୋଲି କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର