କଟକରେ ଦିନକରେ ୧୭୫ ପଜିଟିଭ୍

କଟକ : କଟକରେ ଆଜି ‌ଗୋଟିଏ ଦିନରେ ସର୍ବାଧିକ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଜିଲ୍ଲରେ ମୋଟ ୧୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଅଛନ୍ତି କଟକ ସହରରୁ ୮୦ରୁ ଅଧିକ। ସୂଚନା ଅନୁଯାୟୀ ଆଜି ବଡ଼ମ୍ବା ବ୍ଲକରୁ ୨୫, ତିଗିରିଆରୁ ୧୭, ମାହଙ୍ଗାରୁ ୮, କଟକ ସଦରରୁ ୮, ସାଲେପୁରରୁ ୩, ଆଠଗଡ଼ରୁ ୩, ବାରଙ୍ଗରୁ ୩, ବାଙ୍କୀ, ନିଶ୍ଚିନ୍ତକୋଇଲି ଓ ନିଆଳିରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିଭଳି କଟକ ସହରର ମାଲଗୋଦାମ ବେହେରା ସାହିରୁ ଆଜି ପୁଣି ୨୬ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସେଠାରେ ୬୦ ଜଣଙ୍କର ସ୍ବାବ ପରୀକ୍ଷା କରାଯାଇଥିବା ବେଳେ ୨୬ ଜଣ ପଜିଟିଭ୍ ବାହାରିଛନ୍ତି। ଗତକାଲି ସେହି ସାହିରୁ ୨୫ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଅନ୍ୟପଟେ ପୁଣି  ପୁରୁଣାରାଉସାପାଟଣାରୁ ୧୭, ନୂଆପଡାରୁ ୮, ଓଏସଏପି ଷଷ୍ଠ ବାଟାଲିୟନରୁ ୩ଜଣ, ବକ୍ସିବଜାରରୁ ୩, କଟକ ଚଣ୍ଡୀ ଖ୍ରିଷ୍ଟିଆନ ସାହିରୁ ପୁଣି ୩, ବଦାମବାଡ଼ିରୁ ୨, ମହାନଦୀବିହାର, ସିଡିଏ ସେକ୍ଟର -୭, ମର୍କତନଗର, ଗଣେଶଘାଟ, ଖଟବିନ ସାହି, ଲାଲବାଗ, ମଧୁପାଟଣା, ଶେଖବଜାର, ତୁଳସୀପୁର, ନିମସାହି,  ଯାଉଁଳିଆପଟି ଅଞ୍ଚଳରୁ  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିଠାରୁ ଅନଲକ୍-୩ ପ୍ରକ୍ରିୟାରେ କଟକଣା କୋହଳ ହୋଇଥିବା ବେଳେ କଟକ ସହର ଓ ଜିଲ୍ଲାରେ ଏଭଳି ରେକର୍ଡ ସଂଖ୍ୟକ ସଂକ୍ରମିତ ଗୋଟିଏ ଦିନରେ ଚିହ୍ନଟ ହେବା ଘଟଣା ଉଦ୍‌ବେଗର କାରଣ ହୋଇଛି।

ସମ୍ବନ୍ଧିତ ଖବର