ଚିନ୍ତା ବଢ଼ାଇଲେଣି ୬୦ନଂ ଆକ୍ରାନ୍ତ : ରସୁଲଗଡ଼ ଓ ପଳାସୁଣି ଅଞ୍ଚଳ ଲୋକ ଛାନିଆ, ବେବିଲନ୍‌ ଆପାର୍ଟମେଣ୍ଟ ଏବେ ସୁପର ହଟ୍‌ସ୍ପଟ୍‌

ଆପାର୍ଟମେଣ୍ଟ ଓ ଏହା ନିକଟରୁ ବାହାରିଲେଣି ୧୮ ଆକ୍ରାନ୍ତ

ଭୁବନେଶ୍ବର: ଆଜି ଭୁବନେଶ୍ବରରେ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ହେଁ କେସ୍‌ ନଂ-୬୦ ତଥା ରାଜ୍ୟର ୬୦ ନମ୍ବର କରୋନା ଆକ୍ରାନ୍ତ ଏବେ କେଶୁରା ଅଞ୍ଚଳ ସମେତ ରସୁଲଗଡ଼ ଓ ପଳାସୁଣି ଅଞ୍ଚଳ ଲୋକଙ୍କ ନିଦ ହଜାଇ ଦେଇଛନ୍ତି। କାରଣ ଏହି ବ୍ୟକ୍ତି କୋଭିଡ-୧୯ ପଜିଟିଭି ହେବା ପୂର୍ବରୁ ରସୁଲଗଡ଼ ହାଟ ଓ ପଳାସୁଣି ଅଞ୍ଚଳ ବୁଲିଛନ୍ତି। ତେଣୁ କାହା ସଂସ୍ପର୍ଶରେ ଆସିଛନ୍ତି, କେତେ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି ସେ ଠିକ୍‌ଭାବେ କହିପାରୁନଥିବାରୁ ନିକଟରେ ଏହି ଅଞ୍ଚଳକୁ ଯାଇଥିବା ଲୋକ ଛାନିଆ ହୋଇଯାଇଛନ୍ତି। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି ଯେ, ୬୦ ନମ୍ବର କରୋନା ଆକ୍ରାନ୍ତ କେଶୁରାର ନୀଳାଦ୍ରି ନଗର ଅଞ୍ଚଳର। ଏହି ୫୧ବର୍ଷୀୟ ବ୍ୟକ୍ତି ଜଣଙ୍କ ୪୨ ନମ୍ବର କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ହେଲେ ଏହି ବ୍ୟକ୍ତି ଜଣଙ୍କ କେଶୁରା ବଜାର, ରସୁଲଗଡ଼ ହାଟ (କୋଚିଲେଇ ହାଟ) ଓ ପଳାସୁଣି ଛକକୁ ପରିବା ଓ ସଉଦା ପାଇଁ ଆସିଛନ୍ତି। ଲକ୍‌ଡାଉନ୍ ହେବା ଭିତରେ ସେ ଏହି ସବୁ ଅଞ୍ଚଳ ବୁଲିଛନ୍ତି। ମାର୍ଚ୍ଚ ୨୨ରୁ ଏପ୍ରିଲ ୧୩ ମଧ୍ୟରେ ସେ ସାଧାରଣ ଲୋକଙ୍କ ଭଳି ବୁଲିଛନ୍ତି। ଘରୁ ବାରମ୍ବାର ପରିବା କିଣିବାକୁ ହାଟକୁ ଆସିଛନ୍ତି। ଦୋକାନ ବୁଲିବୁଲି ପରିବା କିଣିଛନ୍ତି। କେବଳ ଏତିକି ନୁହେଁ ସଉଦା କିଣିବାକୁ କେଶୁରା ବଜାର, ରସୁଲଗଡ଼ ହାଟ ଓ ପଳାସୁଣି ଛକକୁ ଆସିଛନ୍ତି। ବହୁ ଲୋକଙ୍କ ସହ ମିଶିଛନ୍ତି। ଦୋକାନୀଙ୍କ ହାତକୁ ଟଙ୍କା ଦେଇଛନ୍ତି ଓ ଟଙ୍କା ବି ନେଇଛନ୍ତି। ପରିବା ଦୋକାନରେ ପରିବା ବାଛିକି କିଣିଛନ୍ତି। ହାଟରୁ ଅନ୍ୟ ସାମଗ୍ରୀ ବି କିଣିଛନ୍ତି। ଯଦି ବିଶେଷଜ୍ଞଙ୍କ କଥା ଅନୁଯାୟୀ, କୋଭିଡ-୧୯ ଭୂତାଣୁ ଆକ୍ରାନ୍ତଙ୍କ ଶରୀରରୁ ଅନ୍ୟ ସ୍ଥାନକୁ ସହଜରେ ଯାଇପାରୁଥିବ, ଆକ୍ରାନ୍ତଙ୍କୁ ଛୁଉଁଥିବା ଲୋକଙ୍କ ଠାରୁ ସହଜରେ ଅନ୍ୟମାନଙ୍କ ଦେହକୁ ଡେଉଁଥିବ ତେବେ ବହୁ ଆକ୍ରାନ୍ତ ବାହାରିବାର ଆଶଙ୍କାକୁ ଏଡ଼ାଇ ହେବନି। ଅପରପକ୍ଷେ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ଏନେଇ ପଚାରିବାରୁ ସେ କହିଛନ୍ତି ଯେ, କେସ୍‌ ନଂ-୬୦ ଆମ ଚିନ୍ତା ବଢ଼ାଇ ଦେଇଛନ୍ତି। ସେ ଯେଉଁ ସବୁ ଅଞ୍ଚଳକୁ ଯାଇଛନ୍ତି ସେଗୁଡ଼ିକୁ ତ ସିଲ୍‌ କରିହେବନି ଆମେ ଏହି ଅଞ୍ଚଳଗୁଡ଼ିକୁ ବିଶୋଧନ କରିବୁ। ଯଥାସମ୍ଭବ ପ୍ରତିଷେଧମୂଳକ ପଦକ୍ଷେପ ନେବୁ। ସ୍ବାସ୍ଥ୍ୟ ବିଭାଗ ଯାହା ନିର୍ଦ୍ଦେଶ ଦେବ ସେହି ଅନୁଯାୟୀ ଆମେ ପଦକ୍ଷେପ ନେବୁ।

ବମିଖାଲ ଅଞ୍ଚଳକୁ ବିଏମ୍‌ସି ସଂକ୍ରମିତ ଅଞ୍ଚଳ ଘୋଷଣା କରି ସିଲ୍‌ କରିଥିବାବେଳେ ଏଠାରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁନି। ନିୟମିତ ବ୍ୟବଧାନରେ ଏଠାରୁ କରୋନା ଆକ୍ରାନ୍ତ ବାହାରିବାରେ ଲାଗିଛନ୍ତି। ବମିଖାଲ ଅଞ୍ଚଳ ହଟ୍‌ସ୍ପଟ୍ ଘୋଷଣା ହୋଇଥିଲେ ହେଁ ଜୟଦୁର୍ଗା ନଗର ଅଞ୍ଚଳରେ ଥିବା ବେବିଲନ୍ ଆପାର୍ଟମେଣ୍ଟ ଓ ଏହା ନିକଟବର୍ତ୍ତୀ ୫୦ମିଟର ପରିଧିର ଅଞ୍ଚଳରୁ ୧୮ଜଣ କରୋନା ଆକ୍ରାନ୍ତ ବାହାରିଲେଣି। ଏପରିକି ସତ୍ୟନଗରରେ ଚିହ୍ନଟ ହୋଇଥିବା ୪ଜଣ କରୋନା ଆକ୍ରାନ୍ତ ଏଠାକାର ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ। ଫଳରେ ଏହି ଆପାର୍ଟମେଣ୍ଟ ଓ ଏହା ନିକଟବର୍ତ୍ତୀ ଅଞ୍ଚଳ ଏବେ ସୁପର ହଟସ୍ପଟ୍ ପାଲଟିଯାଇଛି। ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳରୁ ଏତେ ସଂଖ୍ୟକ କରୋନା ଆକ୍ରାନ୍ତ ବାହାରୁଥିଲେ ହେଁ ଏହା ବିଶେଷ ଚିନ୍ତାଜନକ ନୁହେଁ ବୋଲି ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି। ଉକ୍ତ ଅଧିକାରୀଙ୍କ ସୂଚନା ଅନୁଯାୟୀ କେବଳ ବେବିଲନ୍ ଆପାର୍ଟମେଣ୍ଟ ଓ ଏହା ନିକଟବର୍ତ୍ତୀ ଦୁଇ ତିନିଟି ଘରୁ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଗୋଟିଏ ପରିବାରରୁ ଏହା ଅନ୍ୟ ପରିବାରକୁ ଡେଇଁଛି। କିନ୍ତୁ ସମସ୍ତେ ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳର ଓ ସମ୍ପର୍କୀୟ। ତେଣୁ ଗୋଷ୍ଠୀ ସଂକ୍ରମଣ ହୋଇନି। ଉକ୍ତ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବେବିଲନ୍ ଆପାର୍ଟମେଣ୍ଟରେ ୨୮ଟି ପରିବାର ରହୁଥିବାବେଳେ ୧୨୦ ଜଣ ଲୋକ ରହୁଛନ୍ତି। ସେମାନଙ୍କୁ ଆମେ ସିଲ୍‌ କରିଦେଇଛୁ। ଏହି ଅଞ୍ଚଳକୁ ସୁପର ହଟ୍‌ସ୍ପଟ୍ ଭଳି ଆମେ ଯୋଜନା କରିଛୁ। ଏହି ଆପାର୍ଟମେଣ୍ଟ ଓ ଏହାକୁ ଲାଗି ରହିଥିବା ଦୁଇ/ତିନିଟି ଘରର ଲୋକଙ୍କୁ ମଧ୍ୟ ସିଲ୍‌ କରିଦିଆଯାଇଛି। ସେମାନେ ଆପାର୍ଟମେଣ୍ଟ ବାହାରକୁ କିମ୍ବା ଘରର ପାଚେରି ବାହାରକୁ ନଯିବାକୁ କୁହାଯାଇଛି। ଏହି ଅଞ୍ଚଳକୁ ପ୍ରତିଦିନ ବିଶୋଧନ କରାଯାଉଛି। ପୂର୍ବରୁ ଯେଉଁ ଲୋକମାନଙ୍କର ରକ୍ତ ନମୁନା ନେଗେଟିଭ୍ ଆସିଥିଲା ଏବେ ତାହା ପଜିଟିଭ୍ ଆସିଛି। ଅପରପକ୍ଷେ ବର୍ତ୍ତମାନ ସ୍ଥିତି ଯାହା ଅଛି ଏହି ଅଞ୍ଚଳକୁ ଅଣସଂକ୍ରମିତ ଜୋନ୍ ଘୋଷଣା କରିହେବନି। ଏପରିକି ଏହି ଅଞ୍ଚଳରେ କୋଭିଡ-୧୯ ନମୁନା କାହାର ଯେତେବେଳେ ପଜିଟିଭ୍ ଆସିବନି ସେତେବେ‌ଳ ଆମେ ପ୍ରତ୍ୟେକ ଘରକୁ ବିଶୋଧନ କରି ଏହି ଅଞ୍ଚଳର ସିଲ୍‌ ଖୋଲିବୁ।

ସମ୍ବନ୍ଧିତ ଖବର