ଦସ୍ତଖତ ନକଲ କରି ୧୮ କୋଟି ଠକେଇ ମାମଲା, ରିମାଣ୍ଡରେ ଦୁଇ ଅଭିଯୁକ୍ତ

ଭୁବନେଶ୍ବର: ଜାଲ୍ ଦସ୍ତଖତ କରି ୧୮ କୋଟି ଟଙ୍କା ଠକି ନେବା ଅଭିଯୋଗରେ ଗିରଫ ଦୁଇ ଅଭିଯୁକ୍ତ ରିମାଣ୍ଡରେ ଆସିଛନ୍ତି। ଗିରଫ ଅଭିଯୁକ୍ତ ହେଉଛନ୍ତି ବ୍ରହ୍ମପୁର ଛେତ୍ରୀର ପ୍ରଭାସ ଚନ୍ଦ୍ର ମିଶ୍ର ଓ ଆଠଗଡ଼ ପିତିରିର ରୁଦ୍ର ଦାଶ। ଅଧିକ ତଦନ୍ତ ଓ ତଥ୍ୟ ପ୍ରମାଣ ଯୋଗାଡ଼ କରିବାକୁ ଉଭୟଙ୍କୁ ନୂଆପଲ୍ଲୀ ଥାନା ପୁଲିସ ରିମାଣ୍ଡରେ ଆଣି ପଚରା ଉଚରା ଆରମ୍ଭ କରିଛି। ଅଭିଯୁକ୍ତମାନଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେବାକୁ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ନୂଆପଲ୍ଲୀ ଥାନା ପୁଲିସ ଆବେଦନ କରିଥିଲା। କୋର୍ଟ ଗୋଟିଏ ଦିନ ରିମାଣ୍ଡ ମଞ୍ଜୁର ପ୍ରଦାନ କରିଥିଲେ। ଅଭିଯୁକ୍ତମାନେ ମୂଳ କାଗଜପତ୍ର ଲୁଚାଇ ରଖିଛନ୍ତି। ଏହାକୁ ଆଣିବା ପାଇଁ ପୁଲିସ ପଚରା ଉଚରା ଜାରି ରଖିଛି। ଆସନ୍ତାକାଲି ଦୁହିଁଙ୍କୁ କୋର୍ଟରେ ହାଜର କରାଯିବ ବୋଲି ପୁଲିସ କହିଛି।

ସୂଚନାଯୋଗ୍ୟ, ଆଇଆରସି ଭିଲେଜର ନନ୍ଦକିଶୋର ବେହେରା ଜଗନ୍ନାଥ ସୁପର ଷ୍ଟ୍ରକ୍‌ଚର ପ୍ରାଇଭେଟ୍ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଥିଲେ। ନନ୍ଦକିଶୋର ଏହି କନ୍‌ଷ୍ଟ୍ରକସନ୍ ସଂସ୍ଥା ଖୋଲିବା ପରେ ଅଭିଯୁକ୍ତ ଦୁଇ ବନ୍ଧୁଙ୍କୁ ଆର୍ଥିକ ସାହାଯ୍ୟ ମାଗିଥିଲେ। ସେମାନେ ଟଙ୍କା ଦେଇ ପାର୍ଟନର ହେବାକୁ ଚାହିଥିଲେ। ସେମାନେ ଟଙ୍କା ଦେବା ପରେ ନନ୍ଦଙ୍କ ସହ ମିଶି ଏକାଠି କାମ କରୁଥିଲେ। କ୍ରମେ ଲକ୍ଷ ଲକ୍ଷ ଟଙ୍କାର ବିଲ ହଡ଼ପ କରିବାକୁ ଲାଗିଥିଲେ। ଏଭଳି ୧୮ କୋଟି ୩୧ ଲକ୍ଷ ୪୮ ହଜାର ୯୭୮ ଟଙ୍କା ଠକି ନେଇଥିଲେ। ଏ ନେଇ ନୂଆପଲ୍ଲୀ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଦୁଇ ଠକଙ୍କୁ ଡିସେମ୍ବର ୫ ତାରିଖ ଦିନ ଗିରଫ କରିଥିଲା।

ସମ୍ବନ୍ଧିତ ଖବର