ସବୁ ଭାସିଲା, ୧୮ ଘଣ୍ଟାରେ ୨୨୦ ମିମି ବର୍ଷା

ଦିନକରେ ୩ ହଜାର କୋଟି ଲିଟର ଅଜାଡ଼ି ହୋଇଗଲା

ଭୁବନେଶ୍ୱର: ରାଜଧାନୀବାସୀଙ୍କ ପାଇଁ ଆଜିର ଦିନଟି ସ୍ମରଣୀୟ ପାଲଟି ଯାଇଛି। ଲଗାଣ ବର୍ଷା ରାଜଧାନୀରେ ତାଣ୍ଡବ ରଚିଛି। ଗଳିକନ୍ଦିରୁ ଆରମ୍ଭ କରି ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ସବୁଠି ପାଣିର ସୁଅ। ରାଜଧାନୀର ଏମିତି କୌଣସି ସ୍ଥାନ ନଥିଲା, ଯେଉଁଠି ପାଣି ଜମି ନଥିଲା। ୧୮ଘଣ୍ଟାରେ ୨୨୦ମିମି ବର୍ଷା ହେବାରୁ ପୂରା ରାଜଧାନୀରେ ବନ୍ୟା ହୋଇଛି। ସ୍ଥିତି ଏମିତି ହେଲା ଯେ, ୧୯୯୯ ମହାବାତ୍ୟା, ୨୦୧୩ର ଫାଇଲିନ୍‌ ସମୟରେ ଯେଉଁ ଘରକୁ କେବେ ପାଣି ସ୍ପର୍ଶ କରିନଥିଲା, ସେ ଘରଗୁଡ଼ିକରେ ବି ଛାତିଏ ଉଚ୍ଚର ପାଣି ଜମିିଥିଲା। ରାଜଧାନୀର ଉଚ୍ଚା ସ୍ଥାନ କୁହାଯାଉଥିବା ଖଣ୍ଡଗିରି, ଚନ୍ଦ୍ରଶେଖରପୁର ଭଳି ଅଞ୍ଚଳ ବି ବାଦ୍‌ ପଡ଼ିନଥିଲା। ଏପରିକି ଯେଉଁ ସମ୍ଭ୍ରାନ୍ତ ଅଞ୍ଚଳରେ ପ୍ରଶାସନ ଡ୍ରେନ୍‌, ପ୍ରଶସ୍ତ ରାସ୍ତା, ସ୍ୱେରେଜ୍‌ ଲାଇନ୍‌ ବିଛାଇଛି, ସେହି ଅଞ୍ଚଳରେ ବି ସ୍ଥିତି ସଙ୍ଗିନ୍‌ ହୋଇଥିଲା। ଆଜିର ବର୍ଷା ପ୍ରଭାବରେ ପୂର୍ବାହ୍ନରେ ରାଜଧାନୀରେ ଯାତାୟାତ ଠପ୍‌ ହୋଇଯାଇଥିଲା। ପୂରା ରାଜଧାନୀ ଭାସିଥିଲା। ରାଜଧାନୀରେ ପୂର୍ବରୁ ଏହିଭଳି ପରିସ୍ଥିତି କେବେ ସୃଷ୍ଟି ହୋଇନଥିବା ବେଳେ ଆଜିର ବର୍ଷା ରାଜଧାନୀବାସୀଙ୍କୁ ପୂରା କଲବଲ କରିଦେଇଥିଲା। ଦିନକରେ ପ୍ରାୟ ୩ହଜାର କୋଟି ଲିଟର ପାଣି ଆକାଶରୁ ଅଜାଡ଼ି ହୋଇପଡ଼ିବାରୁ ଏହାର ନିଷ୍କାସନ ବାଟ ସବୁ ବନ୍ଦ ହୋଇଯାଇଥିଲା। ଶୁକ୍ରବାର ରାତିରୁ ଲାଗି ରହିଥିବା ବର୍ଷା ପ୍ରଭାବରେ ପୂରା ସହର ଜଳମଗ୍ନ ହୋଇଯାଇଥିଲା। ବର୍ଷା ଅନବରତ ଅଜାଡ଼ୁ ଥିବାରୁ ଭୋର୍‌ରୁ ଘରେ ଅତର୍କିତ ଭାବେ ପାଣି ପଶି ସବୁ ଧୋଇ ଦେଇଥିଲା। ଏକରକମ ନିଦ ହଜେଇ ଦେଇଥିଲା। ସାହାଯ୍ୟ ମାଗିବା ପାଇଁ ବାହାରକୁ ଆସିଲା ବେଳକୁ ଅଣ୍ଟେ ଉଚ୍ଚରେ ପାଣି ସୁଅ ଛୁଟୁଥିଲା। କ’ଣ କରିବେ କେହି ଜାଣିପାରିନଥିଲେ। ସମୟ ଯେତିକି ବଢ଼ୁଥିଲା, ପାଣି ସେହି ଅନୁସାରେ ବଢ଼ି ଚାଲିଥିଲା। ଲୋକ ଜୀବନ ବିକଳରେ ଭୁବନେଶ୍ୱର ଓ୍ଵାନ୍‌ ହେଲ୍ପଲାଇନ୍‌, ଅଗ୍ନିଶମ ବିଭାଗ ଓ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଫୋନ୍‌ କରି ଚାଲିଥିଲେ। କିନ୍ତୁ ପ୍ରଶାସନ ପହଞ୍ଚିଲା ବେଳକୁ ସବୁ ଭାସୁଥିଲା। ବିଏମ୍‌ସି, ଅଗ୍ନିଶମ ବିଭାଗ ଏବଂ ଓଡ୍ରାଫ୍‌ ଟିମ୍‌ ଆଜି ବହୁ ଉଦ୍ୟମ କରି ଲୋକଙ୍କୁ ଜଳବନ୍ଦୀରୁ ମୁକୁଳାଇଛନ୍ତି। ଏଣେ ପାଣିପାଗ ବିଭାଗ ଆଉ ୪୮ ଘଣ୍ଟା ବର୍ଷିବ ବୋଲି ସୂଚନା ଦେବା ପରେ ଲୋକଙ୍କ ମଧ୍ୟରେ ଆଶଙ୍କା ବଢ଼ିଯାଇଛି।
ଫଟୋ: ଅପର୍ତ୍ତି, ପ୍ରଭାତ, ଅସିତ

ଭୁଶୁଡ଼ିଲା ଘର, ବର୍ତିଗଲା ୧୧ଦିନର ଶିଶୁ
ବର୍ଷା ଯୋଗୁଁ ସତ୍ୟନଗର ନବୀନ ବସ୍ତିର ୩ଟି ଘରର କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଉର୍ମିଳା ମଲ୍ଲିକ, ସଂଯୁକ୍ତା ମହାପାତ୍ର ଓ କବିର ଡାକୁଆଙ୍କ ଘର ଭୁଶୁଡ଼ି ପଡ଼ିବାରୁ ଘରେ ଥିବା ସମସ୍ତ ଆସବାବପତ୍ର ଭାସି ଯାଇଥିଲା। କବିରଙ୍କ କହିବା ମୁତାବକ, ତାଙ୍କ ଘରେ ୧୧ଦିନର ନାତୁଣି ରହୁଥିବାରୁ ତାକୁ କିଛି ସମୟ ଆଗରୁ ନେଇ ଅନ୍ୟସ୍ଥାନରେ ଛାଡ଼ି ଦେଇଥିଲି। ତେଣୁ ପାଚେରି ଭୁଶୁଡ଼ିଥିଲେ ହେଁ ମୋ ନାତୁଣି ଦୁର୍ଘଟଣାରୁ ବର୍ତିଯାଇଥିଲା ବୋଲି ସେ କହିଥିଲେ।

ଖୋଳା ହେଲା କେନାଲ ବନ୍ଧ ରାସ୍ତା
ବମିଖାଲ ଅଞ୍ଚଳରେ ବର୍ଷା ଆଜି ନାକେଦମ କରିଥିଲା। ବର୍ଷାରେ ବମିଖାଲ ଗାଁ, ଜୟଦୁର୍ଗା ନଗର, ଜଗନ୍ନାଥ ନଗର ବସ୍ତି ଏବଂ କେନାଲ ବନ୍ଧ ବସ୍ତିରେ ପାଣି ପଶିଯିବାରୁ ଲୋକ ଜଳବନ୍ଦୀ ହୋଇଯାଇଥିଲେ। ବମିଖାଲ ସନ୍ତୋଷୀ ମା’ଙ୍କ ମନ୍ଦିର ନିକଟ ନାଳରେ ପାଣି ଉଛୁଳି ରାସ୍ତା ଉପରେ ଚାଲିଥିଲା। ତେଣୁ ବିଏମ୍‌ସି ପକ୍ଷରୁ ଏକ୍ସାଭେଟର ଲଗାଇ ବନ୍ଧ ରାସ୍ତାକୁ ଖୋଳାଯାଇଥିଲା। ଏହା ନିକଟରେ ଥିବା ବସନ୍ତକୁଞ୍ଜ ଆପାର୍ଟମେଣ୍ଟରେ ପାଣି ପଶିଯିବାରୁ ଲୋକ ଅସ୍ତବ୍ୟସ୍ତ ହୋଇଯାଇଥିଲେ। ପୂର୍ବରୁ ଶାନ୍ତି ନଗର ନିକଟରେ ମଧ୍ୟ କେନାଲ ବନ୍ଧ ରାସ୍ତା ଖୋଳାଯାଇଥିଲା।

ଭାଙ୍ଗିଲା ରାଜଭବନ ହରିଣ ପାର୍କ ଓ ବିମାନବନ୍ଦର ପାଚେରି
ବର୍ଷା ଯୋଗୁଁ ରାଜଭବନ ପରିସରରେ ଥିବା ହରିଣ ପାର୍କ ପାଚେରି ବାହାରପଟୁ ଧସି ଯାଇଥିଲା। ସକାଳ ସାଢ଼େ ୬ଟାରେ ପ୍ରାୟ ୬୦ ଫୁଟ ଲମ୍ବର ପାଚେରି ପଡ଼ିଥିଲା। ତେଣୁ କିଛି ହରିଣ ବାହାରକୁ ଚାଲି ଆସିଥିଲେ। ତେବେ ଏହି ଘଟଣା ନଜରରେ ପଡ଼ିବା ପରେ ସଙ୍ଗେସଙ୍ଗେ ଅସ୍ଥାୟୀ ପାଚେରି କରାଯାଇଥିଲା। ସେହିପରି ବିମାନବନ୍ଦରର କାରଗିଲ୍‌ ବସ୍ତି ନିକଟରେ ଥିବା ପାଚେରି ପ୍ରାୟ ୬୦ଫୁଟ ଭୁଶୁଡ଼ି ପଡ଼ିଥିଲା। ସୁରକ୍ଷା ଦୃଷ୍ଟିରୁ ଏଠାରେ ଅଧିକ ସୁରକ୍ଷାକର୍ମୀ ମୁତୟନ କରାଯାଇଥିବା ବେଳେ ଖୁବ୍‌ଶୀଘ୍ର ପାଚେରି ନିର୍ମାଣ କରାଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ସେହିଭଳି ଶିବାନୀ ଭିଲ୍ଲା, ବାସନ୍ତୀ ଭିଲ୍ଲା, ବୈରାଗୀ ନଗର ନିକଟସ୍ଥ ଏକ ଆପାର୍ଟମେଣ୍ଟ୍‌ର ପାଚେରି ଭାଙ୍ଗି ଯାଇଛି। ସିଆର୍‌ପି ଛକସ୍ଥିତ ମୁଣ୍ଡା ସାହିର ସୀମାକୁ ଲାଗି ରହିଥିବା ଷ୍ଟିଓ୍ଵାର୍ଟ ସ୍କୁଲ୍‌ର ପାଚେରି ଭୁଶୁଡ଼ିଯିବାରୁ ବସ୍ତିରେ ୩୦ରୁ ଊର୍ଧ୍ୱ ଘର ଭିତରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଥିଲା। ଓର୍‌ମାସ କାର୍ଯ୍ୟାଳୟ ସମ୍ମୁଖ ଏବଂ ସତ୍ୟନଗର ହୀରା ଆପାର୍ଟମେଣ୍ଟ୍‌ ସମେତ କିଛି ସ୍ଥାନରେ ଗଛ ଉପୁଡ଼ି ଯାଇଛି।

ସାପ, ପୋକ ସାଲୁବାଲୁ
ସତ୍ୟନଗର ପଞ୍ଜାବୀ କଲୋନି, ପାଇକ ନଗର, ପ୍ରକୃତି ବିହାରରେ ଅନେକ ଲୋକଙ୍କ ଘରେ ପାଣି ଜମିଥିଲା। ମଲ୍ଲିକ କମ୍ପ୍ଲେକ୍ସ, ଜଗମୋହନ ନଗର, ଶାନ୍ତିନଗର, ଜଗନ୍ନାଥ ନଗର, ବୈରାଗୀ ନଗର, ମହାବୀର ନଗରବାସୀଙ୍କୁ ଘର ଭିତରେ ଅଣ୍ଟାଏ ପାଣି ଯୋଗୁଁ ହଟହଟା ହେବାକୁ ପଡ଼ିଥିଲା। କିଛି ସ୍ଥାନରେ ସାପ ଓ ପୋକ ସାଲୁବାଲୁ ହେଉଥିବାରୁ ଲୋକମାନେ ଆତଙ୍କିତ ହୋଇପଡ଼ିଥିଲେ।

ପାଣି ଘେରରେ ୬୮ଟି ଅଞ୍ଚଳ
ଶୁକ୍ରବାର ମଧ୍ୟ ରାତି ଓ ଶନିବାର ପୂର୍ବାହ୍ନ ମଧ୍ୟରେ ୧୮ଘଣ୍ଟାରେ ରାଜଧାନୀରେ ୨୨୦ ମିମି ବର୍ଷା ହୋଇଥିବା ବେଳେ ଆଜି କେବଳ ୧୯ସେମି ଅର୍ଥାତ୍‌ ୧୯୦ମିମି ବର୍ଷା ହୋଇଛି। ପୂରା ରାଜଧାନୀ ବର୍ଷା ପାଣିରେ ଉବୁଟୁବୁ ହେଉଥିବା ବେଳେ ୬୮ଟି ଅଞ୍ଚଳରେ ସ୍ଥିତି ସାଂଘାତିକ ହୋଇଥିଲା। ଆଚାର୍ଯ୍ୟ ବିହାର, ଜୟଦେବ ବିହାର, ବମିଖାଲ, ଜଗମୋହନ ନଗର, ଶାନ୍ତିନଗର, ନନ୍ଦନ ବିହାର, ଭିଏସ୍‌ଏସ୍‌ ନଗର, ବରମୁଣ୍ଡା, ଓ୍ଵାର୍ଡ ୨୫ର ପେଟ୍ରୋଲ ପମ୍ପ ନିକଟ ଅଞ୍ଚଳ, ଓ୍ଵାର୍ଡ ୧୯ର ବାଲିପାଟ ବସ୍ତି, ଓ୍ଵାର୍ଡ ୩୮ର ଏଲ୍‌ଆଇସି କଲୋନି, ଓ୍ଵାର୍ଡ ୧୨ର ଧିରିକୁଟି ବସ୍ତି, ଓ୍ଵାର୍ଡ ୬ର ପଦ୍ମାବତୀ ବିହାର, ଓ୍ଵାର୍ଡ ୩ର ଆଦିତ୍ୟ ଏନକ୍ଲେଭ୍‌, ଓ୍ଵାର୍ଡ ୫୯ର ଶ୍ରୀରାମ ନଗର ଲେନ୍‌-୧୯, ଓ୍ଵାର୍ଡ ୫ର ସମେଇଗାଡ଼ିଆ ପଟାଦେଇ ବସ୍ତି, ଓ୍ଵାର୍ଡ ୩୭ର ଖିମ୍‌ଜି ଲେନ୍‌, ଓ୍ଵାର୍ଡ ୩୭ର ପାଇକ ନଗର ଏବଂ ରାଧାକ୍ରିଷ୍ଣ ଲେନ୍‌ ଆଦି ଅଞ୍ଚଳରେ ବର୍ଷା ପାଣି ତାଣ୍ଡବ ରଚିଥିଲା। ଲୋକ ଜଳବନ୍ଦୀ ହୋଇଯିବା ପରେ ଉଦ୍ଧାର ପାଇଁ ପ୍ରଶାସନର ସହାୟତା ଲୋଡ଼ିଥିଲେ। ବିଏମ୍‌ସି, ଅଗ୍ନିଶମ ବିଭାଗ ଏବଂ ଓଡ୍ରାଫ୍‌ ଟିମ୍‌ ଲୋକଙ୍କୁ ଉଦ୍ଧାର କରିବା ସହ ୩୦ଟି ପମ୍ପ୍‌ ଯୋଗେ ପାଣି ନିଷ୍କାସନ କରିଥିଲେ। ହେଲେ ଅଧିକାଂଶ ସ୍ଥାନ ଏବେ ବି ଜଳଘେରି ହୋଇ ରହିଛି। ବିଏମ୍‌ସି ପକ୍ଷରୁ ଆଜିର ଉଦ୍ଧାର କାର୍ଯ୍ୟରେ ୪୦ଜଣ ଇଞ୍ଜିନିୟର, ୧୩ଜଣ ନୋଡାଲ୍‌ ଅଫିସର, ୧୩୦୦ଜଣ ସଫେଇ କର୍ମଚାରୀ, ୫ଟି ଜେସିବି, ୨ଟି ପ୍ରୋକ୍ଲେନ୍‌ ମେସିନ୍‌, ୫ଟି ସେସ୍‌ପୁଲ୍‌ ଗାଡ଼ି, ବିଏମ୍‌ସିର ୧୦ଟି ପମ୍ପ ନିୟୋଜିତ ହୋଇଥିଲା।

୪୫୦ଜଣଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ
ଆଜିର ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବିଭାଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ୪୬ଟି ସ୍ଥାନରୁ ୨୦ଟି ପମ୍ପ ସହାୟତାରେ ବର୍ଷା ପାଣି ନିଷ୍କାସନ କରିଥିବା ବେଳେ ୧୩ଟି ସ୍ଥାନରୁ ୪୫୦ଜଣ ଜଳବନ୍ଦୀଙ୍କୁ ଉଦ୍ଧାର କରିଥିଲା। ଏପରିକି ତିନିଟି ସ୍ଥାନରେ ଲୋକଙ୍କୁ ଉଦ୍ଧାର ପାଇଁ ଡଙ୍ଗାର ସହାୟତା ନିଆଯାଇଥିଲା। ଆଜି ଗୌରୀ ଗାର୍ଡେନ, ଗୌରୀ ନଗର, ଶ୍ରୀରାମ ନଗର, ମଲ୍ଲିକ କମ୍ପ୍ଲେକ୍ସ, ପାଇକ ନଗର, ପାସପୋର୍ଟ ଅଫିସ ଅଞ୍ଚଳ, ଜୟଦେବ ବିହାର, ନୂଆପଲ୍ଲୀ ଏକାମ୍ର ରାସ୍ତା, ଘନଶ୍ୟାମ ଆପାର୍ଟମେଣ୍ଟ, ନୀଳମାଧବ ବସ୍ତି, ଖରାଖିଆ ବୈଦ୍ୟନାଥ, ଚକେଇସିଆଣି, ଆନି ହାଉସ୍‌ ଛକ, ଲକ୍ଷ୍ମୀ ସାଗର, ଅଢ଼େଇ କୁଆଳ, ବସନ୍ତ ଭିଲ୍ଲା, ଜାଗମରା ଲେନ୍‌ -୪ ଅଞ୍ଚଳରେ ସ୍ଥିତି ସାଂଘାତିକ ହୋଇଥିଲା। ଅଗ୍ନିଶମ ବିଭାଗ କର୍ମଚାରୀମାନେ ବହୁ କଷ୍ଟରେ ଲୋକଙ୍କୁ ଉଦ୍ଧାର କରିଥିଲେ।

ସୋ’ ରୁମ୍‌ରେ ପାଣି ପଶିଲା, ଭାସିଲା କାର୍‌
ତମାଣ୍ଡୋସ୍ଥିତ ଆଦିତ୍ୟ ହ୍ୟୁଣ୍ଡାଇ ସୋ ରୁମ୍‌ରେ ବର୍ଷାଜଳ ପଶି ଯିବାରୁ ବ୍ୟାପକ କ୍ଷତି ଘଟିଛି। ପ୍ରାୟ ୫୦ଟି କାର୍‌ ପାଣିରେ ଭାସିଥିଲା। ସର୍ଭିସ୍‌ ସେଣ୍ଟରରେ କମ୍ପ୍ୟୁଟର୍‌ ସମତେ ବହୁ ଯନ୍ତ୍ରପାତି ଓ ଆସବାବପତ୍ର ନଷ୍ଟ ହୋଇଛି। ସେହିଭଳି ୧୬ ନମ୍ବର ଜାତୀୟ ରାଜପଥରୁ ରେତଙ୍ଗ ରେଳ ଷ୍ଟେସନ୍‌କୁ ଲମ୍ବିଥିବା ରାସ୍ତାଟି ମହୁରା ବଜାରଠାରେ ମଧ୍ୟ ବୁଡ଼ି ଯାଇଥିଲା। ଫଳରେ ମହୁରା, ନଁପୁଟ ଓ ରେତଙ୍ଗ ଆଦି ଅଞ୍ଚଳ ଏକପ୍ରକାର ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି।

କାମ ଦେଲାନି ହେଲ୍‌ପ ଲାଇନ୍‌

ରାଜଧାନୀବାସୀଙ୍କ ସମସ୍ୟାର ସମାଧାନ ପାଇଁ ‘ଭୁବନେଶ୍ୱର ଓ୍ଵାନ୍‌ ହେଲ୍‌ପ ଲାଇନ୍‌’ ନମ୍ବର ଜାରି ହୋଇଥିଲା। ଲୋକେ ଟୋଲ୍‌ ଫ୍ରି ନମ୍ବର ୧୮୦୦୩୪୫୦୦୬୧ ଏବଂ ଲ୍ୟାଣ୍ଡ୍‌ ଲାଇନ୍‌ ନମ୍ବର ୦୬୭୪-୨୫୪୮୨୯୫ରେ ଯୋଗାଯୋଗ କରିବାକୁ କୁହାଯାଇଥିଲା। କିନ୍ତୁ ଆଜି ସକାଳୁ ଦୁଇଟି ଯାକ ନମ୍ବର ଲାଗିନଥିଲା। ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ ଆଜି ଟୋଲ୍‌ ଫ୍ରି ନମ୍ବରରେ ୧୦୦ଟି କଲ୍‌ ଆସିଥିବା ବେଳେ ଲ୍ୟାଣ୍ଡଲାଇନ୍‌ ନମ୍ବରରେ ୧୨୧ଟି କଲ୍‌ ଆସିଥିଲା। ବରମୁଣ୍ଡା, କ୍ରିଷ୍ଣା ଗାର୍ଡେନ୍‌, ମଲ୍ଲିକ କମ୍ପ୍ଲେକ୍ସ, ସୌଭାଗ୍ୟନଗର, ଜଗମୋହନନଗର, ସିଦ୍ଧିବିହାର ଓ ପଞ୍ଚସଖାନଗର ଜଳାର୍ଣ୍ଣବ ହୋଇଯାଇଥିଲା। କୃଷି ବିହାର ଛକରୁ ଜାଗମରାକୁ ଲମ୍ବିଥିବା ରାସ୍ତା ନଦୀର ଭ୍ରମ ସୃଷ୍ଟି କରିଥିଲା। କିନ୍ତୁ ଏହା ଭିତରେ ମଜା ଉଠାଇଥିଲେ କିଛି ଲୋକ। ରାସ୍ତା ଉପରେ କଉ ମାଛ ବୁଲିବା ଦେଖିବାକୁ ମିଳିବା ପରେ ଲୋକଙ୍କ ଖୁସି କହିଲେ ନ ସରେ। ବିଶେଷକରି ବରମୁଣ୍ଡାର କିଛି ଲୋକ କଉ ମାଛ ଧରିବାରେ ଲାଗି ପଡ଼ିଥିଲେ। ପାଣି ସୁଅରେ ବଡ଼ ବଡ଼ କଳା କଉ ମାଛ ଉପରକୁ ଉଠିବା ଦେଖି ଲୋକେ ଜାଲ ଓ ମଶାରି ଦ୍ୱାରା କଉ ଶିକାର କରିବାରେ ଲାଗି ପଡ଼ିଥିଲେ।

ଫସିଗଲେ ଦୃଷ୍ଟିହୀନ
ସତ୍ୟନଗର ନବୀନ ବସ୍ତିର ୬ ଦୃଷ୍ଟିହୀନ ପରିବାର ପାଣି ଘେରରେ ପଡ଼ି କଲବଲ ହୋଇଛନ୍ତି। ବଂଶୀଧର ପ୍ରଧାନ, ଅମର ପ୍ରଧାନଙ୍କ ଘରେ ଛାତିଏ ଉଚ୍ଚର ପାଣି ପଶିଯିବାରୁ ଘରେ ଥିବା ଚାଉଳ, ସେମାନେ ବ୍ୟବସାୟ କରୁଥିବା ବହି ପାଣିରେ ଧୋଇଯାଇଛି। ସେମାନେ ଆଖପାଖ ଆପାର୍ଟମେଣ୍ଟ୍‌ ତଳେ ଆଶ୍ରୟ ନେଇଥିଲେ।

ସମ୍ବନ୍ଧିତ ଖବର