ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ରାବାସର ୧୮୭ଟି ରୁମ୍‌ ମଧ୍ୟରୁ ୧୫୬ଟିକୁ କବ୍‌ଜା କରି ନେଇଛନ୍ତି ଅଣଛାତ୍ର ଓ ପୁରାତନ ଛାତ୍ର। କିଏ ୫ ବର୍ଷ ହେଲା ତ କିଏ ୮ ବର୍ଷ ହେଲା କବ୍‌ଜାରେ ରଖିଛି। କେବଳ ସେତିକି ନୁହେଁ, ଏଠାରେ ଏକ ରାଜ‌ନୈତିକ ଦଳର କାର୍ଯ୍ୟାଳୟ ମଧ୍ୟ ଖୋଲିଛି। ରୁମ୍‌ଗୁଡ଼ିକରେ ହିଟର୍‌ ଲାଗିଛି। ଦିନରାତି ଲାଇଟ୍‌ ଜଳୁଛି। ଫ୍ୟାନ୍‌ ବି ବୁଲୁଛି। ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସର ଫକୀର ମୋହନ ଛାତ୍ରାବାସକୁ ଏଭଳି ଭାବେ କବ୍‌ଜା କରି ନେଇଛନ୍ତି ଅଣଛାତ୍ରମାନେ। ସହିଦନଗର ଥାନା ପୁଲିସ ସହାୟତାରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଆଜି ଛାତ୍ରାବାସରେ ଚଢ଼ଉ କରିବା ସମୟରେ ଏମିତି ତଥ୍ୟ ସାମ୍‌ନାକୁ ଆସିଛି। 

Advertisment

ଅଣଛାତ୍ର ଛାତରୁ ଡେଇଁଲେ, ଚାବି ପକାଇ ଧାଇଁଲେ
ପାଣି ଓ ଲାଇନ୍‌ କାଟିଲେ କର୍ତ୍ତୃପକ୍ଷ

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଏହି ହଷ୍ଟେଲର ରୁମ୍‌ଗୁଡ଼ିକ ଭଡ଼ାରେ ଲାଗିଛି। ଅଣଛାତ୍ରମାନେ ଛାତ୍ରମାନଙ୍କୁ ରହିବାକୁ ଦେଉ ନାହାନ୍ତି। ଯେଉଁମାନେ ରହିବାକୁ ଚାହୁଛନ୍ତି, ସେମାନଙ୍କୁ ବିଭିନ୍ନ ଉପାୟରେ ଧମକ ଦେଉଛନ୍ତି। ଅନେକ ଛାତ୍ର ଭୟରେ କ୍ୟାମ୍ପସ ଛାଡ଼ି ବାହାରେ ରହୁଥିବା ସାମ୍ନାକୁ ଆସିଛି। ଯେଉଁ ଛାତ୍ରମାନେ ନିର୍ଯାତନା ସହି ରହୁଛନ୍ତି, ସେମାନେ ଅଣଛାତ୍ରଙ୍କୁ ମାସିକ ଅର୍ଥ ଦେଉଛନ୍ତି। ଗୋଟିଏ ଗୋଟିଏ ରୁମ୍‌ର ୨ରୁ ୩ ହଜାର ଟଙ୍କା ଭଡ଼ା ମିଳୁଛି। ଅଣଛାତ୍ରମାନେ ଭଡ଼ା ଆକାରରେ ପ୍ରଚୁର ପାଇସା ପାଉଥିବା ବେଳେ ପାଣି ଓ ବିଜୁଳି ବିଲ୍‌ ଅର୍ଥ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଭରଣା କରୁଛନ୍ତି। ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ନେତୃତ୍ବରେ ହୋଇଥିବା ଚଢ଼ାଉରେ ହଷ୍ଟେଲ ୱାର୍ଡନ୍‌, ବିଭିନ୍ନ ବିଭାଗର ମୁଖ୍ୟ, ସହିଦନଗର ଆଇଆଇସି ପ୍ରମୁଖ ସାମିଲ ହୋଇଥିଲେ। ୧୦ ସେକ୍ସନ୍‌ ପୁଲିସ ଫୋର୍ସଙ୍କ ଉପସ୍ଥିତିରେ ସେମାନେ ଛାତ୍ରାବାସର ବିଭିନ୍ନ ରୁମ୍‌ ବୁଲିଥିଲେ। ଚଢ଼ାଉ ଖବର ଜାଣିବା ପରେ ଅଣଛତ୍ରମାନେ ଛାତ୍ରାବାସ ଛାଡ଼ି ଦୌଡ଼ିଥିଲେ।

କିଏ ଛାଡ଼ ଉପରକୁ ଚଢ଼ି ପଳାଇଥିଲେ ତ ଆଉ କିଏ ରୁମ୍‌ ତାଲା ପକାଇ ଏଣେତେଣେ ଧାଇଁଥିଲା। ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର କେତେଜଣ ଛାତ୍ର ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନାଲିଆଖି ଦେଖାଇବାକୁ ମଧ୍ୟ ପଛାଇ ନ ଥିଲେ। ଏଭଳି ଚଢ଼ାଉ ସହ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଅଣଛାତ୍ରମାନଙ୍କୁ ୨୪ ଘଣ୍ଟାର ମହଲତ ଦେଇଛନ୍ତି। ୨୦୨୪-୨୫ ଶିକ୍ଷାବର୍ଷ ଆରମ୍ଭର ମାସକ ମଧ୍ୟରେ କ୍ୟାମ୍ପସକୁ ଅଣଛାତ୍ରମୁକ୍ତ କରିବାକୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଅଣ୍ଟା ଭିଡ଼ିବା ସହ ଏହି ଛାତ୍ରାବାସର ୮୨ଟି ରୁମ୍‌ ଖାଲି କରିଥିଲେ। ଆଜିର ଚଢ଼ଉ ପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ୩ ନମ୍ବର ଛାତ୍ରାବାସର ହଷ୍ଟେଲରୁ ଲାଇନ୍‌ ଓ ପାଣି କାଟି ଦେଇଛନ୍ତି। ସ୍ନାତକୋତ୍ତର ଶିକ୍ଷା ଶେଷ କରିଥିବା ଛାତ୍ରମାନେ ଯେତେଶୀଘ୍ର ସମ୍ଭବ କ୍ୟାମ୍ପସ ଛାଡ଼ିବାକୁ ଚେତାବନୀ ଦିଆଯାଇଛି।