ମୁକ୍ତ ଚିନ୍ତନ ମଞ୍ଚର ୧୮୭ତମ ଆଲୋଚନାଚକ୍ର

ଭୁବନେଶ୍ୱର: ମୁକ୍ତ ଚିନ୍ତନ ମଞ୍ଚ ଓ ଭାରତୀୟ ବିଦ୍ୟାଭବନ ଆନୁକୂଲ୍ୟରେ ଓଡ଼ିଶା ଲେଖିକା ସଂସଦ ସହଯୋଗରେ ଦୁଇ ପଦ୍ମଶ୍ରୀଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଓଡ଼ିଶା ଲେଖିକା ସଂସଦର ପ୍ରତିଷ୍ଠାତା ସଭାପତି ତଥା ପ୍ରଥମ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାରପ୍ରାପ୍ତ ଲେଖିକା ବୀଣାପାଣି ମହାନ୍ତି ଓ ପ୍ରସିଦ୍ଧ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ବିୟୋଗରେ ସଭା ଅନୁଷ୍ଠିତ ହୋଇଥିଲା। ଓଡ଼ିଶା ଲେଖିକା ସଂସଦର ସମ୍ପାଦିକା ଶକ୍ତୁନ୍ତଳା ବଳିଆରସିଂହ, ବୀଣାପାଣି ମହାନ୍ତିଙ୍କ ସହ ତାଙ୍କର ଅନୁଭୂତି ବର୍ଣ୍ଣନା କରିଥିଲେ। ବୀଣାପାଣି କିପରି ବହୁ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିଥିଲେ ସେ ସମ୍ପର୍କରେ ବହୁ ଉଦାହରଣ ଦେଇଥିଲେ। ତାଙ୍କର ସାଙ୍ଗଠନିକ ଦକ୍ଷତା ସମ୍ପର୍କରେ ମଧ୍ୟ ଅନୁଭୂତି ବଖାଣିଥିଲେ।

ଲେଖିକା ସଂସଦର କୋଷାଧ୍ୟକ୍ଷା ଗୋଲାପ ମଞ୍ଜରୀ କର ମଧ୍ୟ ବୀଣାପାଣିଙ୍କ ସହ ତାଙ୍କର ଦୀର୍ଘଦିନର ଅନୁଭୂତି ବର୍ଣ୍ଣନା କରିଥିଲେ ଓ ତା’ ସହିତ ସେ ପ୍ରଫୁଲ୍ଲ କରଙ୍କ ପରିବାରର ବୋହୂ ହିସାବରେ ପ୍ରଫୁଲ୍ଲ କରଙ୍କ ପ୍ରତିଭା ତଥା ବ୍ୟକ୍ତିତ୍ୱର ଅବତାରଣା କରିଥିଲେ। ପ୍ରାରମ୍ଭରେ ମୁକ୍ତ ଚିନ୍ତନ ମଞ୍ଚର ସମ୍ପାଦକ ପୀତବାସ ରାଉତରାୟ ସ୍ୱାଗତ ଭାଷଣରେ ବୀଣାପାଣି ମହାନ୍ତିଙ୍କର ‘ଶ୍ରେଷ୍ଠ କଥା ଦଶକ’ ପ୍ରକାଶନ ସମୟର ଅନୁଭୂତି ବର୍ଣ୍ଣନା କରିଥିଲେ ଓ ପ୍ରଫୁଲ୍ଲ କରଙ୍କର ମୁକ୍ତ ଚିନ୍ତନ ମଞ୍ଚ ସହ ସମ୍ପର୍କ ସମ୍ପର୍କରେ ଆଲୋକପାତ କରିଥିଲେ। ସଭା ଶେଷରେ ଆବାହକ ରମାକାନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଭାରେ ବିଶିଷ୍ଟ ସାହିତ୍ୟିକା ପ୍ରତିଭା ଶତପଥୀ ସଭାପତିତ୍ୱ କରିଥିଲେ। ସଭାରେ ସାହିତ୍ୟିକା ବନଜ ଦେବୀ, ପ୍ରବୀଣା ମହାନ୍ତି, ଅଞ୍ଜଳି ତ୍ରିପାଠୀ, ମିନତି ଦାସ, ବିଜୟଲକ୍ଷ୍ମୀ ସାହୁ, କୁସୁମ ପଟେଲ, ବିଜୟଲକ୍ଷ୍ମୀ ମହାନ୍ତି ପଟ୍ଟନାୟକ, ବିମଳା ସିଂହ, ମୀନାକ୍ଷୀ ରାଉତରାୟ, ଆରତି ମହାନ୍ତି ଓ ସୁଷମା ଲେଙ୍କା ପ୍ରମୁଖ ଯୋଗ ଦେଇ ଉଭୟଙ୍କ ବ୍ୟକ୍ତିତ୍ବର ସ୍ମୃତିଚାରଣ କରିଥିଲେ।

ସମ୍ବନ୍ଧିତ ଖବର