ଭୁବନେଶ୍ବର: ଭୁବନେଶ୍ବରରେ ରହିଛି ୫ଟି କୁଷ୍ଠ କଲୋନି। ଏଠାରେ ଅଛନ୍ତି ୧୮୯ ପରିବାର। କିନ୍ତୁ ଜଗନ୍ନାଥ କଲୋନି ଓ ରାମକୃଷ୍ଣ ପଲ୍ଲୀ କଲୋନିରୁ ୨ ଜଣଙ୍କୁ ଆତ୍ମନିର୍ଭର କରିବା ଲାଗି ଦକ୍ଷତା ବିକାଶ ତାଲିମ ପାଇଁ ଚିହ୍ନଟ କରାଯାଇଛି। ଅନ୍ୟକେହି କାହିଁକି ଏହି ତାଲିମ ପାଇଁ ଯୋଗ୍ୟ ବିବେଚିତ ହେଲେ ନାହିଁ ଏହାକୁ ନେଇ ଖୋର୍ଧା ଜିଲ୍ଲାପାଳ ହାଇକୋର୍ଟରେ ଦେଇଥିବା ସତ୍ୟପାଠରେ ସ୍ପଷ୍ଟ ସୂଚନା ଦେଇ ନାହାନ୍ତି।

Advertisment

ସୂଚନା ଅନୁଯାୟୀ, କୁଷ୍ଠ ରୋଗୀ ଏବଂ କୁଷ୍ଠମୁକ୍ତଙ୍କ ଥଇଥାନ ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରାଯାଇଛି। ଏହାର ଶୁଣାଣି କରି ହାଇକୋର୍ଟ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ଅତିରିକ୍ତ ସଚିବ, ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ, ଖୋର୍ଧା, ବାଲେଶ୍ବର ଏବଂ ପୁରୀ ଜିଲ୍ଲାପାଳମାନଙ୍କୁ ବିଭିନ୍ନ ପ୍ରକାର ନିର୍ଦେଶ ହୋଇଛନ୍ତି।

ଏଥିରେ କୁଷ୍ଠମୁକ୍ତଙ୍କୁ ରାଜ୍ୟ ସରକାରଙ୍କୁ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମରେ ସାମିଲ କରିବା ଅନ୍ୟତମ। ଏହା ଜରିଆରେ ଏହି ବ୍ୟକ୍ତିମାନଙ୍କୁ ସିଲେଇ ପ୍ରଶିକ୍ଷଣ ବା ସେମାନେ କରିପାରୁଥିବା ଯୋଗ୍ୟ କାର୍ଯ୍ୟ ଚିହ୍ନଟ କରି ତାଲିମ ଦିଆଯିବା ଅନ୍ତର୍ଭୁକ୍ତ। ରାଜ୍ୟରେ ଦକ୍ଷତା ବିକାଶ ତାଲିମ କେନ୍ଦ୍ରର କାର୍ଯ୍ୟକ୍ରମ ଚର୍ଚ୍ଚା ସମଗ୍ର ଦେଶରେ ରହିଥିବାରୁ କୁଷ୍ଠମୁକ୍ତ ମଧ୍ୟ ଏହାର ଲାଭ ଉଠାଇ ପାରିବେ ବୋଲି ଆଶା କରାଯାଉଥିଲା। ମାତ୍ର ଖୋର୍ଧା ଜିଲ୍ଲା ପ୍ରଶାସନ ଏହି ତାଲିମ ପାଇଁ ମାତ୍ର ଦୁଇ ଜଣଙ୍କୁ ଚିହ୍ନଟ କରିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ହାଇକୋର୍ଟରେ ଖୋର୍ଧା ଜିଲ୍ଲାପାଳଙ୍କ ସତ୍ୟପାଠ ଦାଖଲ
କୁଷ୍ଠ ରୋଗୀଙ୍କ ପ୍ରତି ଖୋର୍ଧା ପ୍ରଶାସନ ବିମୁଖ କାହିଁକି?

ସୂଚନା ଅନୁଯାୟୀ, ଭୁବନେଶ୍ବରରେ ବର୍ତ୍ତମାନ ବାପୁଜୀ କଲୋନି, ଧାରାବତୀ କଲୋନି, ଜଗନ୍ନାଥପଲ୍ଲୀ କୁଷ୍ଠ କଲୋନି, ରାମକୃଷ୍ଣ ପଲ୍ଲୀ କଲୋନି ରହିଛି। ଏଠାରେ କିଛି କୁଷ୍ଠ ରୋଗୀ ଅଛନ୍ତି। କିନ୍ତୁ ଅଧିକାଂଶ କୁଷ୍ଠମୁକ୍ତ କିମ୍ବା ସେମାନଙ୍କ ପରିବାର ଅଛନ୍ତି। ଯେଉଁମାନେ କାର୍ଯ୍ୟ କରିବା ପାଇଁ ଯୋଗ୍ୟ ଅଟନ୍ତି। ମାତ୍ର ରୋଗ ଯୋଗୁଁ ସମାଜର ସେମାନଙ୍କ ପ୍ରତି ଘୃଣା ଭାବ ପାଇଁ ରୋଜଗାର ପାଉ ନାହାନ୍ତି। ସମ୍ବଳ ଅଭାବରୁ ଆତ୍ମନିର୍ଭର ମଧ୍ୟ ହୋଇ ପାରୁ ନାହାନ୍ତି। ଏଥିଯୋଗୁଁ ଅଧିକାଂଶ ଅଧିବାସୀ ଭିକ୍ଷା ମାଗି ଚଳୁଛନ୍ତି।

ବର୍ତ୍ତମାନ ବିଏମସି ପକ୍ଷରୁ ଭିକ୍ଷାମୁକ୍ତ ଅଭିଯାନ ଆରମ୍ଭ କରାଯାଇଥିବାରୁ ସେମାନେ ଭିକ୍ଷା ମାଗି ପାରୁନଥିଲେ। ଏଣେ ସେମାନଙ୍କ ରୋଜଗାର ପାଇଁ ମଧ୍ୟ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ସରକାରଙ୍କ ବ୍ୟବସ୍ଥା, କୋର୍ଟଙ୍କ ନିର୍ଦେଶ ପରେ ବି ଖୋର୍ଧା ଜିଲ୍ଲା ପ୍ରଶାସନ କୁଷ୍ଠ ରୋଗୀଙ୍କ ପ୍ରତି କାହିଁକି ବିମୁଖ ଏବଂ ସେମାନଙ୍କୁ ଚିହ୍ନଟ କରି ଆତ୍ମନିର୍ଭର କରିବା ଦିଗରେ ପଦକ୍ଷେପ ନେଉ ନାହିଁ ଏହାକୁ ନେଇ ସାମାଜିକ ସଙ୍ଗଠନର କର୍ମକର୍ତ୍ତାମାନେ ପ୍ରଶ୍ନ କରିଛନ୍ତି।