ମନ ଜିଣିଲା ମଣିପୁରୀ, ଶିହରଣ ଖେଳାଇଲା ସମରକଳା

୧୮ତମ ଧଉଳି-କଳିଙ୍ଗ ମହୋତ୍ସବ ଉଦ୍‌ଘାଟିତ

ଭୁବନେଶ୍ୱର: ଦର୍ଶକଙ୍କ ମନ ଜିଣିଲା ମଣିପୁରୀ ଓ ଓଡ଼ିଶୀ ନୃତ୍ୟ। ସମରକଳା ଶିହରଣ ଖେଳାଇଦେଲା। ମଣିପୁରୀ ନୃତ୍ୟରେ ଭୂମିମାତାଙ୍କ ପୂଜା ଦର୍ଶକଙ୍କ ମନରେ ଭାବଭକ୍ତିର ରସ ଭରି ଦେଇଥିବା ବେଳେ ସମରକଳା ନୃତ୍ୟ ଦର୍ଶକଙ୍କୁ କଳିଙ୍ଗ ଯୁଦ୍ଧର କାହାଣୀ ମନେ ପକାଇ ଦେଇଥିଲା। ରାଜ୍ୟ ପର୍ଯ୍ୟଟନ ବିଭାଗ, ଓଡ଼ିଶା ଡ୍ୟାନ୍ସ ଏକାଡେମି ଓ ଆର୍ଟ ଭିଜନ୍‌ ଦ୍ବାରା ଧଉଳି ପାଦଦେଶରେ ଆୟୋଜିତ ୧୮ତମ ଧଉଳି-କଳିଙ୍ଗ ମହୋତ୍ସବର ଉଦ୍‌ଘାଟନୀ ସନ୍ଧ୍ୟାରେ ଏମିତି ଥିଲା ପରିବେଶ। ଉଦ୍‌ଘାଟନୀ ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା ବିମ୍ବାବତୀ ଦେବୀ ଓ ସାଥୀଙ୍କ ମଣିପୁରୀ ନୃତ୍ୟ। ଭୂମି ସୁକଟମ୍ ଉପରେ ଆଧାରିତ ଏହି ନୃତ୍ୟ ଅଥର୍ବ ବେଦର ଦ୍ବାଦଶ ଅଧ୍ୟାୟର ୬୩ ମନ୍ତ୍ର ଉପରେ ନିବଦ୍ଧ ଥିଲା। ନୃତ୍ୟ ସଂରଚନା କରିଥିଲେ ଗୁରୁ ବିମ୍ବା‌ବତୀ ଦେବୀ। ପରେ ପରିବେଷିତ ହୋଇଥିଲା ପୂର୍ଣ୍ଣ ପୁରୁଷୋତ୍ତମ।

ନରସିଂହଙ୍କ ରୂପରେ ବିଷ୍ଣୁଙ୍କର ଅବତାରକୁ ଗୁରୁ ବିମ୍ବାବତୀ ଦେବୀ ତାଙ୍କ ନୃତ୍ୟାଭିନୟରେ ପ୍ରଦର୍ଶନ କରି ଦର୍ଶକମାନଙ୍କ ମନ କିଣିନେଇଥିଲେ। ଦ୍ବିିତୀୟ କାର୍ଯ୍ୟକ୍ରମ ଥିଲା ଗୁରୁ ପ୍ରଭାତ ସ୍ବାଇଁଙ୍କ ସଂରଚନାରେ ଭୁବନେଶ୍ବର ନୃତ୍ୟ ନୈବେଦ୍ୟ ଅନୁଷ୍ଠାନର କଳାକାରମାନଙ୍କ ଓଡ଼ିଶୀ ନୃତ୍ୟ। ବକୁଳାଭରଣ ପଲ୍ଲବୀ, ତାଳ ଏକତାଳୀ ଓ ରାଗ ବକୁଳାଭରଣ ଉପରେ ଥିଲା ଏହି ନୃତ୍ୟ। ସେମାନଙ୍କର ପରବର୍ତ୍ତୀ ପ୍ରସ୍ତୁତିଟି ଥିଲା ଷଡ଼ରିପୁ। ନୃତ୍ୟ ସଂରଚନା କରିଥିଲେ ଗୁରୁ ପ୍ରଭାତ ସ୍ୱାଇଁ ଓ ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ଧନେଶ୍ବର ସ୍ବାଇଁ। ଅନ୍ତିମ ପ୍ରସ୍ତୁତି ଥିଲା ସନ୍ତୋଷ ନାୟର ଓ ସାଥୀଙ୍କ ସମରକଳା ନୃତ୍ୟ। ରହସ୍ୟମୟ ଜଙ୍ଗଲ ମଧ୍ୟରେ ଜୀବନର ଅନୁସନ୍ଧାନ ଉପରେ ଆଧାରିତ ଥିଲା ଏହି ସମରକଳା ନୃତ୍ୟ। ମୟୂରଭଞ୍ଜର ପ୍ରସିଦ୍ଧ ଛଉ ନୃତ୍ୟର ବାସ୍ନା ବାରି ହେଉଥିଲା ଏହି ନୃତ୍ୟରୁ।

ଏହି ଅବସରରେ ଓଡ଼ିଶା ଡ୍ୟାନ୍ସ ଏକାଡେମି ଦ୍ବାରା ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି ସମ୍ମାନ ୨୦୨୨ ପ୍ରଦାନ କରାଯାଇଥିଲା। ଓଡ଼ିଶୀ ସଙ୍ଗୀତ ନୃତ୍ୟ ଗୁରୁ ଦୁର୍ଗା ଚରଣ ରଣବୀର, ବିଶିଷ୍ଟ କଣ୍ଠଶିଳ୍ପୀ ତଥା ସଙ୍ଗୀତ ସଂଯୋଜକ ଲକ୍ଷ୍ମୀକାନ୍ତ ପାଲିତ୍, ବିଶିଷ୍ଟ ସଂସ୍କୃତ ବିଦ୍ବାନ ତଥା କବି ପଣ୍ଡିତ ନିତ୍ୟାନନ୍ଦ ମିଶ୍ର ଏବଂ ଆମେରିକାରେ ଓଡ଼ିଶୀ ନୃତ୍ୟର ପ୍ରଚାର ଓ ପ୍ରସାର କରୁଥିବା ସୋମଦତ୍ତ ବେଉରାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଉଦ୍‌ଘାଟନୀ ସନ୍ଧ୍ୟାରେ ଅତିଥି ଭାବେ ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ, ପର୍ଯ୍ୟଟନ ବିଭାଗର ଅତିରିକ୍ତ ଶାସନ ସଚିବ ରୀନା ମହାପାତ୍ର, ଓଡ଼ିଶା ଡ୍ୟାନ୍ସ ଏକାଡେମିର ସଚିବ ଗୁରୁ ଅରୁଣା ମହାନ୍ତି ଏବଂ ଆର୍ଟ ଭିଜନ୍‌ର ସଚିବ ଇଲିୟାନା ସୀତାରିଷ୍ଟ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ସଂଚାଳନା କରିଥିଲେ ଶ୍ରୀନିବାସ ଘଟୁଆରୀ ଓ ତାରିଣୀ ତନୁଜା ମିଶ୍ର।

ସମ୍ବନ୍ଧିତ ଖବର