ୟୁନିଫର୍ମ ଏକ ପ୍ରେରଣା, ନୂଆ ନିଯୁକ୍ତି ପାଇଲେ ୧୯ ଫାୟାର ଅଫିସର

ଖଣ୍ଡଗିରି: ସେନାବାହିନୀ ହେଉ କି ପୁଲିସ ବାହିନୀ କିମ୍ବା ଅଗ୍ନିଶମ ବାହିନୀ, ଜନସେବା ପାଇଁ ଉଦ୍ଦିଷ୍ଟ ୟୁନିଫର୍ମ ସମସ୍ତଙ୍କ ଭାଗ୍ୟରେ ନଥାଏ। ଏହା ଏକ ଗର୍ବ, ଗୌରବ ଓ ପ୍ରେରଣା। ଜୀବନରକ୍ଷା ଏକ ମହାନ୍ ସେବା ବୋଲି ୟୁନିଫର୍ମ ହିଁ ସବୁ ସମୟରେ ଚେତେଇ ଦେଇଥାଏ। ରୋମ୍ ସଭ୍ୟତା ସମୟର ଅଗ୍ନିଶମ ବାହିନୀ ଏକ ବହୁ ପ୍ରାଚୀନ ସେବା ସଂସ୍ଥା। ତେଣୁ ଆଜି ଯେଉଁମାନେ ଅଗ୍ନିଶମ ବାହିନୀରେ କର୍ତ୍ତବ୍ୟରତ, ସେମାନେ ନିଜକୁ ଏକ ପ୍ରାଚୀନ ସଂସ୍ଥାର ଦାୟାଦ ବୋଲି ମନେ କରି ଗର୍ବ କରିବା ଉଚିତ୍‌। ଗୁରୁବାର ସନ୍ଧ୍ୟାରେ ବରମୁଣ୍ଡା ଅଗ୍ନି ଓ ବିତ୍ପାତ ପ୍ରଶମନ ପ୍ରଶିକ୍ଷଣ କେନ୍ଦ୍ରରେ ୧୯ଜଣ ଫାୟାର୍ ଷ୍ଟେସନ ଅଫିସର୍‌ଙ୍କୁ ନୂଆ ନିଯୁକ୍ତିପତ୍ର ବଣ୍ଟନ କରିବା ଅବସରରେ ରାଜ୍ୟ ଶିଳ୍ପ ମନ୍ତ୍ରୀ କ୍ୟାପ୍‌ଟେନ ଦିବ୍ୟଶଙ୍କର ମିଶ୍ର ଏହା କହିଛନ୍ତି। ମୁଖ୍ୟ ଅତିଥି ମନ୍ତ୍ରୀ ମିଶ୍ରଙ୍କ ଅଭିଭାଷଣ ପରେ ଡିଜିପି (ଫାୟାର୍) ବି.କେ ଶର୍ମା ରାଜ୍ୟର ଅଗ୍ନିଶମ ବାହିନୀ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି ସଂସ୍ଥା ସମସ୍ତ ପ୍ରକାର ବିପଦ ଆପଦ କାଳରେ ଲୋକଙ୍କ ସୁରକ୍ଷା ସହ ପ୍ରତ୍ୟକ୍ଷ ଭାବେ ଯୋଡ଼ି ହୋଇଛି ବୋଲି ସେ ସୂଚନା ଦେବା ସହ ନବ ନିଯୁକ୍ତ ଫାୟାର ଅଫିସରମାନଙ୍କଠାରୁ ଗୁଣାତ୍ମକ ସେବା ପାଇବେ ବୋଲି ଆଶାପୋଷଣ କରିଥିଲେ। ଶେଷରେ ଆଇଜି ରାଜେଶ କୁମାର ଧନ୍ୟବାଦ ଅର୍ପଣ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ଷ୍ଟାଫ୍ ସିଲେକ୍ସନ ଜରିଆରେ ନିଯୁକ୍ତି ପାଇଥିବା ଏହି ୧୯ଜଣ ଏବେ ତାଲିମ ଗ୍ରହଣ କରିବା ପରେ ରାଜ୍ୟର ବିଭିନ୍ନ ଦମକଳ କେନ୍ଦ୍ରର ଅଧିକାରୀ ଭାବେ କାମ କରିବେ।

ସମ୍ବନ୍ଧିତ ଖବର