ଆଖଣ୍ଡଳମଣି ବସ୍ତି ସାଜିବ ସୁପରସ୍ପ୍ରେଡର!

ବାୟାବାବା ମଠ ବସ୍ତିର ସୁପରସ୍ପ୍ରେଡର, ମହିଳାଙ୍କ ସଂସ୍ପର୍ଶରେ ଆସି ୧୯ ପଜିଟିଭ୍

ଭୁବନେଶ୍ବର: ଚିନ୍ତା ବଢ଼ାଇଲେଣି ସୁପରସ୍ପ୍ରେଡର୍‌। ବିଶେଷକରି ବସ୍ତି ଅଞ୍ଚଳରେ ଏଭଳି ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ବହୁ ସଂଖ୍ୟାରେ ଲୋକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୟୁନିଟ୍‌-୯ ବାୟାବାବା ବସ୍ତିରେ ଏଭଳି ଜଣେ ମହିଳା ସୁପରସ୍ପ୍ରେଡର ସାଜିଛନ୍ତି। ତାଙ୍କ ସହ ସଂସ୍ପର୍ଶରେ ଆସି ୧୯ଜଣ ସଂକ୍ରମିତ ହୋଇଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି। ଏଥିରେ ୮ଜଣ ମହିଳା ଥିବା ବେଳେ ୧୧ଜଣ ପୁରୁଷ ରହିଛନ୍ତି।

ରାଜଧାନୀରେ ଗତ ୨୪ ଘଣ୍ଟାରେ ୨୧୫ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗତ ୨୮ ଦିନରେ ୨ ହଜାରରୁ ଅଧିକ ସଂକ୍ରମିତ ଲୋକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଦୈନିକ ୧୦ ପ୍ରତିଶତ ହାରରେ ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ୨୧୫ ଆକ୍ରାନ୍ତଙ୍କ ମଧ୍ୟରେ ୧୫୦ଜଣ ସଙ୍ଗରୋଧରୁ ଥିବା ବେଳେ ୬୫ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ରାଜଧାନୀରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୩୬୫ରେ ପହଞ୍ଚିଛି। ଆଇଗିଣିଆ ଆଳୁଗଦିରୁ ୧୦ଜଣ, ସାଲିଆସାହିରୁ ୧୧, ୟୁନିଟ-୪ ଏମଏଲଲ କଲୋନି ବସ୍ତି ଓ ୧୧ଜଣ ଘରୋଇ ହସ୍ପିଟାଲର କର୍ମଚାରୀ ଚିହ୍ନଟ ହୋଇଛନ୍ତି। ଏହାସହ ମାଳିସାହିରୁ ୪, ଫାୟାର ଷ୍ଟେସନ୍ ବସ୍ତି ଓ ନୂଆପଲ୍ଲୀ ଗଣପତି ନଗର ୩ଜଣଙ୍କୁ ଚିହ୍ନଟ କରାଯାଇଛି। ଏହାବାଦ୍ ରାଜଧାନୀର ଅନେକ ବସ୍ତି ଓ ଘରୋଇ ହସ୍ପିଟାଲର କର୍ମଚାରୀ ସଂକ୍ରମିତ ହୋଇଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

ଅପରପକ୍ଷରେ ଦିନକରେ ଚିହ୍ନଟ ହୋଇଥିବା ରୋଗୀଙ୍କ ମଧ୍ୟରେ ୩୦ ପ୍ରତିଶତ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି। ୬୫ଜଣ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ୨ ଘରୋଇ ହସ୍ପିଟାଲର ୯ଜଣ କର୍ମଚାରୀଙ୍କୁ ଚିହ୍ନଟ କରାଯାଇଛି। ତେବେ ଅନେକ ରୋଗୀ ହସ୍ପିଟାଲ, ହଟ୍‌ସ୍ପଟ୍‌ କିମ୍ବା ପଜିଟିଭ୍ ରୋଗୀଙ୍କ ସଂସ୍ପର୍ଶରେ ନ ଆସି ମଧ୍ୟ ‌କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଭଳି ପରିସ୍ଥିତିରେ ସଂପୃକ୍ତ ବ୍ୟକ୍ତିମାନେ ପଜିଟିଭ୍‌ ଚିହ୍ନଟ ହେବା ରାଜଧାନୀ ଧୀରେ ଧୀରେ ଗୋଷ୍ଠୀ ସଂକ୍ରମଣ ଆଡ଼କୁ ମୁହାଁଇଥିବା ସ୍ପଷ୍ଟ ହେବାରେ ଲାଗିଛି। ରାଜଧାନୀରେ ୧୩୦ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଭୁବନେଶ୍ବରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୧୪୧ରେ ପହଞ୍ଚିଥିବା ବେଳେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୨୦୯ ରହିଛନ୍ତି। ରାଜଧାନୀରେ କରୋନା ସୁସ୍ଥ ହାର ୪୭ ପ୍ରତିଶତ ରହିଛି।

ଆଖଣ୍ଡଳମଣି ବସ୍ତି ସାଜିବ ସୁପରସ୍ପ୍ରେଡର!
ଭୁବନେଶ୍ବର: ୟୁନିଟ-୧ସ୍ଥିତ ଆଖଣ୍ଡଳମଣି ବସ୍ତି ରାଜଧାନୀରେ ସୁପରସ୍ପ୍ରେଡର ସାଜିପାରେ। ଏଠାରେ ପ୍ରାୟ ୨୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୦ରୁ ଅଧିକ ପରିବାରକୁ ସଙ୍ଗରୋଧରେ ରଖାଯାଇଛି। ହେଲେ କେହି ସଙ୍ଗରୋଧ ନିୟମ ମାନୁନାହାନ୍ତି। ଏହି ବସ୍ତିର ଅଧିକାଂଶ ଲୋକ ୟୁନିଟ-୧ ହାଟରେ ପରିବା, କୁଲା, ବାଉଁଶିଆ ସାମଗ୍ରୀ ବ୍ୟବସାୟ କରିବା ସହ ମାଲ୍‌ ଗାଡ଼ିରୁ ଜିନିଷ ଲୋଡ୍‌ ଅନଲୋଡ୍‌ କରିଥାନ୍ତି। ଏବେ ସଙ୍ଗରୋଧ ନିୟମ ଭାଙ୍ଗି ଏମାନେ ପୂର୍ବଭଳି କାମ କରୁଛନ୍ତି। ତେଣୁ ଏମାନଙ୍କ ଭିତରେ ଯଦି କେହି ଲକ୍ଷଣବିହୀନ ଆକ୍ରାନ୍ତ ଥିବେ, ତେବେ ଶହ ଶହ କରୋନା ଆକ୍ରାନ୍ତ ବାହାରିବେ। ବିଏମ୍‌ସି କର୍ତ୍ତୃପକ୍ଷ ଯେତେ କଣ୍ଟାକ୍ଟ ଟ୍ରେସିଂ କଲେ ବି କେଉଁଠୁ କରୋନା ଆକ୍ରାନ୍ତ ହେଲେ ଚିହ୍ନଟ କରିପାରିବେନି। ୟୁନିଟ-୧ ହାଟକୁ ଦିନକୁ ହଜାର ହଜାର ଲୋକ ଯାଉଥିବାରୁ ସମ୍ବେଦନଶୀଳତା ଦୃଷ୍ଟିରୁ ବିଏମ୍‌ସି କର୍ତ୍ତୃପକ୍ଷ ତୁରନ୍ତ କିଛି ପଦକ୍ଷେପ ନେବା ଆବଶ୍ୟକ ହୋଇପଡ଼ିଛି।

ସମ୍ବନ୍ଧିତ ଖବର