ବାରଙ୍ଗ: ଚନ୍ଦକା-ଡମପଡ଼ା ହସ୍ତୀ ଅଭୟାରଣ୍ୟରେ ଚଳିତ ବର୍ଷର ପକ୍ଷୀ ଗଣନା ଶେଷ ହୋଇଛି। ଚଳିତ ବର୍ଷ ଏଠାକୁ ୧୯ ହଜାର ୧୦୯ ବହିରାଗତ ପକ୍ଷୀ ଆସିଥିବା ଗଣନାରୁ ଜଣାପଡ଼ିଛି। ତେବେ ଗତବର୍ଷ ତୁଳନାରେ ୩ ହଜାର ପକ୍ଷୀ କମ୍ ଥିବା ଅଭୟାରଣ୍ୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ୧୦ଟି ଟିମ୍ ଅଭୟାରଣ୍ୟର ୨୭ଟି ସ୍ଥାନରେ ଗଣନା କରିଛନ୍ତି। ପକ୍ଷୀମାନଙ୍କ ମଧ୍ୟରେ ଅଛନ୍ତି ୫୯ ପ୍ରଜାତିର ଜଳଚର, ୮ ପ୍ରଜାତିର ଜଳ ଉପରେ ନିର୍ଭରଶୀଳ ଓ ୩୧ ପ୍ରଜାତିର ବିଦେଶାଗତ। ସେହିଭଳି ଅତିରିକ୍ତ ୮ ପ୍ରଜାତିର ୪୯ ଦେଶୀୟ ପକ୍ଷୀ ରହିଛନ୍ତି।
ମୁଖ୍ୟ ପକ୍ଷୀମାନଙ୍କ ମଧ୍ୟରେ ଅଛନ୍ତି ନର୍ଦର୍ଣ୍ଣ ପିନ୍ଟେଲ୍, ଟଫ୍ଟେଲ୍ ଡଲ୍, ଗାଡ୍ୱ।ଲ୍, ରେଡ୍କ୍ରେଷ୍ଟେଡ୍ ପୋଚାର୍ଡ, ନର୍ଦର୍ଣ୍ଣ ସୋଭ୍ଲର୍, ନଦର୍ଣ୍ଣ ଟର୍ଣ୍ଣ, ଡାଟିର୍ ଓରିଭର୍ ଲାପିଙ୍ଗ। କୁମାରଖୁଣ୍ଟି, ଝଲରା, ଡେରାସ, ଝୁମୁକା ଓ ବଡ଼ ପୋଖରୀ ଆଦି ସ୍ଥାନରେ ପକ୍ଷୀ ଗଣନା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବନ୍ୟପ୍ରାଣୀ ବିଭାଗ, ବନ ବିଭାଗ, ଚିଲିକା ଉନ୍ନୟନ ସଂସ୍ଥା(ସିଡିଏ)ର ଗବେଷକ, ଉତ୍କଳ ବିଶ୍ବବିଦ୍ୟାଳୟ, ସେଞ୍ଚୁରିଆନ୍ କୃଷି ବିଶ୍ୱବିଦ୍ୟାଳୟ ଓ ବିଜେବି କଲେଜର ଛାତ୍ରଛାତ୍ରୀ, ଅଧ୍ୟାପକମାନଙ୍କ ସହିତ ସାମାଜିକ କର୍ମୀ ଏବଂ ବନ୍ୟପ୍ରାଣୀ ତତ୍ତ୍ୱାବଧାରକମାନେ ସାମିଲ ହୋଇଥିଲେ।