ଭୁବନେଶ୍ବର: ରାଜଧାନୀବାସୀଙ୍କୁ ନିଜ ଘରେ ପରିମଳ ବ୍ୟବସ୍ଥା ନେଇ ସଚେତନ କରିବା ଉଦ୍ଦେଶ୍ୟରେ ବିଏମ୍‌ସି କର୍ତ୍ତୃପକ୍ଷ ‘ମୁଁ ସଫେଇବାଲା’ ଅଭିଯାନ ଆରମ୍ଭ କରିଛନ୍ତି। ଏଥିରେ ୧୯୪ଟି ସ୍କୁଲକୁ ସାମିଲ୍‌ କରାଯାଇଛି। ସ୍କୁଲ ଗୁଡ଼ିକ ମଧ୍ୟରେ ୧୩୪ଟି ବେସରକାରୀ ସ୍କୁଲ ଥିବା ବେଳେ ୬୦ଟି ସରକାରୀ ସ୍କୁଲ ରହିଛି। ଏହି ଛାତ୍ରଛାତ୍ରୀମାନେ ସଫେଇ ବ୍ୟବସ୍ଥା ସମ୍ପର୍କରେ ନିଜେ ସଚେତନ ହେବା ସହ ପରିବାର ଲୋକଙ୍କୁ ବି ସଚେତନ କରାଇବେ। ଏଥିପାଇଁ ସାମିଲ ସମସ୍ତ ଛାତ୍ରଛାତ୍ରୀଙ୍କୁ ‘ମୁଁ ସଫେଇବାଲା’ ଶପଥ ପତ୍ର ଦିଆଯାଇ ଥିବା ବେଳେ ପ୍ରାୟ ୫୦ଟି ବିଦ୍ୟାଳୟରେ ‘ମୁଁ ସଫେଇବାଲା’ ପ୍ରଶ୍ନପତ୍ର ବଣ୍ଟା ସରିଛି । ଆସନ୍ତା ୧୬ତାରିଖ ସୁଦ୍ଧା ଅନ୍ୟସବୁ ବିଦ୍ୟାଳୟରେ ପ୍ରଶ୍ନପତ୍ର ବଣ୍ଟାଯିବ।

Advertisment

ଏଥିରେ ଥିବା ଶପଥଗୁଡିକୁ ଆଚରଣରେ ପରିଣତ କରିବା ପାଇଁ ଉତ୍ସାହିତ କରାଯାଇଛି। ଶପଥ ପାଠ ନେଇ ଯେଉଁ ଶିଶୁ ୮୦ ପ୍ରତିଶତ ଏବଂ ଏହାଠାରୁ ଅଧିକ ନମ୍ବର ରଖିବେ ସେ ପ୍ରଥମେ ‘ମୁଁ ସଫେଇବାଲା’ ଭାବେ ଘୋଷିତ ହେବେ। ଯେଉଁମାନେ ୮୦ ପ୍ରତିଶତରୁ କମ୍‌ ନମ୍ବର ରଖିବେ ସେମାନେ ‘ଅଳିଆବାଲା’ ହେବେ। ତେଣୁ ପ୍ରତ୍ୟେକ ଛାତ୍ରଛାତ୍ରୀ ‘ମୁଁ ସଫେଇବାଲା’ ହେବା ଓ ନିଜ ପରିବାରର ଲୋକଙ୍କୁ ଏଥିରେ ଅଧିକରୁ ଅଧିକ ସାମିଲ କରିବାକୁ ଉତ୍ସ‌ାହିତ ହେବେ। ‘ପ୍ରଶ୍ନପତ୍ର ମାଧ୍ୟମରେ ଜଣେ ଛାତ୍ର/ଛାତ୍ରୀ ନିଜେ ଓ ନିଜର ପରିବାର କେତେଦୂର ସଚେତନ ହୋଇ ପାରିଛନ୍ତି ବା ସଚେତନତାର ସ୍ତରକୁ କେତେଦୂର ବୁଝିଛନ୍ତି, ତାହା ସେମାନଙ୍କର ନମ୍ବରରୁ ଜଣାପଡିବ । ଯଦି ଜଣେ ସମୁଦାୟ ୧୦୦ରୁ ୭୦ ନମ୍ବର ରଖିବେ ତେବେ ସେହି ବିଦ୍ୟାଳୟରେ ଶିଶୁମାନଙ୍କୁ ଏହାର ମହତ୍ତ୍ୱ ଓ ଆଚରଣ ଦିଗ ବାବଦରେ ପୁନଶ୍ଚ ଜଣାଇ ଆବଶ୍ୟକ ପରିବର୍ତ୍ତନ ଅଣାଯିବ। ଏହାଦ୍ବାରା ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ସଫଳ ହେବ ବୋଲି କର୍ତ୍ତୃପକ୍ଷ ଆଶା ରଖିଛନ୍ତି।