ଭୁବନେଶ୍ବର : ମହାନଗର ନିଗମ ନିର୍ବାଚନ ପାଇଁ ବୁଧବାର ଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି। ବୁଧବାର ପ୍ରଥମ ଦିନରେ ୧୯୯ ନାମାଙ୍କନ ପତ୍ର ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଯାଇଥିଲେ ମଧ୍ୟ ଗୋଟିଏ ହେଲେ ଦାଖଲ ହୋଇ ନାହିଁ। କର୍ପୋରେଟର ପଦ ପାଇଁ ୧୯୪ଟି ନାମାଙ୍କନ ପତ୍ର ଯାଇଥିବା ବେଳେ ମେୟର ପଦ ପାଇଁ ୫ଟି ଯାଇଛି। ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଏହି ନାମାଙ୍କନ ପତ୍ର ଦାଖଲ କରିବା ସମୟ ରହିଛି।
ନିର୍ବାଚନ ଅଧିକାରୀ ତଥା ଏଡିଏମ୍ଙ୍କ କାର୍ଯ୍ୟାଳୟରେ ଏହି ନାମାଙ୍କନ ପତ୍ର ଉପଲବ୍ଧ ହେଉଛି। ବୁଧବାର ଦିନର ପ୍ରଥମାର୍ଦ୍ଧରେ ନାମାଙ୍କନ ପତ୍ର ନେବା ପାଇଁ ପ୍ରବଳ ଭିଡ଼ ହୋଇଥିଲା। ଏହି ବ୍ୟବସ୍ଥାକୁ ଶୃଙ୍ଖଳିତ ଢଙ୍ଗରେ କରିବା ପାଇଁ ଯୋଜନା ହୋଇଥିଲା। ନାମାଙ୍କନ ପତ୍ର ୩ଟି କାଉଣ୍ଟରରେ ଉପଲବ୍ଧ ହେଉଥିଲା। ପ୍ରଥମ କାଉଣ୍ଟରରେ ୧ରୁ ୨୧ ନମ୍ବର ୱାର୍ଡର କର୍ପୋରେଟର ପଦ ସମେତ ମେୟର ପଦ ପାଇଁ ନାମାଙ୍କନ ଉପଲବ୍ଧ ହେଉଥିବା ବେଳେ ଦୁଇ ନମ୍ବର କାଉଣ୍ଟରରେ ୨୨ରୁ ୪୫ ଓ ୩ ନମ୍ବରରେ ୪୫ରୁ ୬୭ ନମ୍ବର ୱାର୍ଡ କର୍ପୋରେଟର ପଦ ପାଇଁ ଫର୍ମ ଉପଲବ୍ଧ ହେଉଛି। ଫର୍ମ ମାଗଣାରେ ଦିଆଯାଉଥିବା ବେଳେ ଯେଉଁମାନେ ଦାଖଲ କରିବାକୁ ଚାହୁଛନ୍ତି ସେମାନେ ୨୫୦ ଟଙ୍କା ସିକ୍ୟୁରିଟି ଜମା କରୁଛନ୍ତି।
ବୁଧବାର କେତେକ ପ୍ରମୁଖ ଦଳର ପ୍ରାର୍ଥୀ ତାଲିକା ପ୍ରସ୍ତୁତ ହୋଇଛି। ଆଜି ସେହି ସବୁ ଦଳର ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିବେ। ଏଣୁ ଭିଡ଼ ବଢ଼ିବା ଆଶଙ୍କା କରାଯାଉଛି। ସେଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗୋଟିଏ ପ୍ଲାଟୁନ୍ ଫୋର୍ସ ସହ ୫ ଜଣ ଅଫିସରଙ୍କୁ ସୁରକ୍ଷା ଦାୟିତ୍ବ ଦିଆଯାଇଛି। ବାରିକେଡ୍ ଜରିଆରେ ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଥିବା ବେଳେ ସିସିଟିଭି ଜରିଆରେ ସମଗ୍ର ବ୍ୟବସ୍ଥା ଉପରେ ନଜର ରଖାଯାଉଥିବା ସୂଚନା ଦେଇଛନ୍ତି ନିର୍ବାଚନ ଅଧିକାରୀ ପ୍ରଫୁଲ୍ଲ କୁମାର ସ୍ବାଇଁ।
ନାମାଙ୍କନ ପତ୍ର ୩ଟି କାଉଣ୍ଟରରେ ଉପଲବ୍ଧ ହେଉଥିବା ବେଳେ ଦାଖଲ କରିବା ପାଇଁ ୧୧ଟି କାଉଣ୍ଟର କରାଯାଇଛି। ଏଥିରେ ୧୧ଜଣ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। କାର୍ଯ୍ୟାଳୟ ପରିସରରେ ଭିଡ଼ ନ ହେବା ପାଇଁ ଜଣେ ପ୍ରାର୍ଥୀଙ୍କ ସହ ସର୍ବାଧିକ ୪ ଜଣ ସମର୍ଥକ ଆସିପାରିବେ ବୋଲି କୁହାଯାଇଛି। ସେହିଭଳି ଏଡିଏମ୍ଙ୍କ କାର୍ଯ୍ୟାଳୟରେ ଭୋଟର ତାଲିକା ମଧ୍ୟ ଉପଲବ୍ଧ ହେଉଛି। ଆବଶ୍ୟକ ଦେୟ ଦାଖଲ କଲେ ଏହା ମିଳିପାରୁଥିବା ସୂଚନା ମିଳିଛି।