୧୯ରେ କର୍ପୋରେସନ ବୈଠକ, ପ୍ରସ୍ତୁତ ହେଲା ଏଜେଣ୍ଡା

ଭୁବନେଶ୍ବର: ଆସନ୍ତା ୧୯ ତାରିଖରେ ବସିବ କର୍ପୋରେସନ ବୈଠକ। ଦୀର୍ଘ ତିନି ବର୍ଷ ପରେ ଗଠନ ହୋଇଥିବା କର୍ପୋରେସନର ଏହା ହେବ ଦ୍ବିତୀୟ ବୈଠକ। ଏଥିପାଇଁ ବିଏମ୍‌ସି ଏଜେଣ୍ଡା ପ୍ରସ୍ତୁତ କରିଛି। ଏଥିରେ ଦୁଇଟି ପ୍ରମୁଖ ପ୍ରସଙ୍ଗ ରହିଛି। ସେଗୁଡ଼ିକ ହେଉଛି ହେଉଛି ୟୁନିଟ୍‌-୨ ଫଳ ବଜାର କେଳେଙ୍କାରୀ ଓ ସାନିଟାରି ମଲ୍ଟି ଟାସ୍କିଂ ଆସିଷ୍ଟାଣ୍ଟ ନିଯୁକ୍ତି। ଏ ଦୁଇ ପ୍ରସଙ୍ଗରେ ରହିଥିବା ଅଧିକାରୀଙ୍କ କଳା କାରନାମା କର୍ପୋରେସନ ମୋହର ପରେ ଲୁଚି ଯିବାକୁ ବସିଛି। ଏହା ସହିତ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷମାନଙ୍କ ମନରେ ରହିଥିବା କ୍ଷୋଭ ମଧ୍ୟ ଉଗ୍ର ରୂପ ନେବା ଆଶଙ୍କା ରହିଛି।

ଦୀର୍ଘ ବର୍ଷ ଧରି ୟୁନିଟ୍‌-୨ ଫଳ ବଜାରରେ ଦୋକାନୀଙ୍କୁ ବସାଇବା ପାଇଁ ବିଏମ୍‌ସି ଯୋଜନା କରୁଥିଲେ ମଧ୍ୟ ହାତଗଣତି ଦୋକାନୀ ଏଠାକୁ ଆସିଛନ୍ତି। ଅର୍ଦ୍ଧାଧିକ ବ୍ୟବସାୟୀ ଏଠାକୁ ଆସୁନାହାନ୍ତି। ବାସ୍ତବରେ ଫଳ ବ୍ୟବସାୟୀଙ୍କୁ ବାଦ୍‌ ଦେଇ ଏଠାରେ ବିଏମ୍‌ସି ଅନ୍ୟ ବ୍ୟବସାୟୀଙ୍କୁ ଦୋକାନ ଦେଇ ଦେଇଛି। ଫଳରେ କେତେକ ମୂଳ ଫଳ ଦୋକାନୀ ବାଦ୍‌ ପଡ଼ିଛନ୍ତି। ଯେଉଁ ଅନ୍ୟ ବ୍ୟବସାୟୀଙ୍କୁ ଦୋକାନ ଦିଆଯାଇଛି ସେମାନେ ଦୋକାନ ଖୋଲି ପାରୁ ନାହାନ୍ତି। କାରଣ ବଜାରଟି ‌କେବଳ ଫଳ ବ୍ୟବସାୟୀଙ୍କ ପାଇଁ ସମର୍ପିତ ହୋଇଥିବାରୁ ଅନ୍ୟମାନେ ବ୍ୟବସାୟ କଲେ ଧରାପଡ଼ିବା ସମ୍ଭାବନା ରହିଛି। ଏଣୁ ଏହି ବଜାର ଶତପ୍ରତିଶତ ଖୋଲି ପାରି ନାହିଁ।

ନିକଟ ଅତୀତରେ ବିଏମ୍‌ସି ସମସ୍ତ ଫଳ ବ୍ୟବସାୟୀଙ୍କୁ ନୋଟିସ୍‌ କରିଥିଲା କି ୭ ଦିନ ଭିତରେ ସମସ୍ତ ବ୍ୟବସାୟୀ ଦୋକାନ ନ ଖୋଲିଲେ ଆବଣ୍ଟନ ବାତିଲ କରାଯିବ। କିନ୍ତୁ ତାହା ସଫଳ ହେଲା ନାହିଁ। ଏବେ ବିଏମ୍‌ସି ମାର୍କେଟ ଉପବିଭାଗ ଏହି କେଳେଙ୍କାରୀକୁ କର୍ପୋରେସନ ମୁଣ୍ଡରେ ବୋଳି ଦେବା ପାଇଁ ଯୋଜନା ହୋଇଛି। ଯେଉଁମାନଙ୍କୁ ଦୋକାନ ଆବଣ୍ଟନ ହୋଇଛି ସେମାନେ ହିଁ ବାସ୍ତବ ହିତାଧିକାରୀ ବୋଲି ବିଏମ୍‌ସି ବୈଠକରେ ପ୍ରସ୍ତାବ ଦେବାକୁ ବସିଛି। କର୍ପୋରେସନ ଏହାକୁ ମୋହର ମାରିଲେ ଫଳ ବ୍ୟବସାୟୀଙ୍କ ସମେତ ଅନ୍ୟ ବ୍ୟବସାୟୀମାନେ ସ୍ବୀକୃତି ପାଇବେ। ଅଧିକାରୀ କରିଥିବା କେଳେଙ୍କାରୀ ସବୁଦିନ ପାଇଁ ଲୁଚିଯିବ।

ଏଥିରେ ଆଉ ଗୋଟିଏ ପ୍ରସଙ୍ଗ ହେଉଛି ସାନିଟାରି ଇନ୍‌ସ୍‌ପେକ୍ଟରଙ୍କ ଦରମା ୩୩ପ୍ରତିଶତ ବଢ଼ିବ। ୨୦୨୦ ମସିହା ନଭେମ୍ବର ମାସରେ ନିଯୁକ୍ତି ପାଇଥିଲେ ୩୧ ସାନିଟାରି ଇନ୍‌ସ୍‌ପେକ୍ଟର ବା ଏସ୍‌ଆଇ। ସହରର ପରିମଳ ବ୍ୟବସ୍ଥା ଉପରେ ନଜର ରଖିବା ସହ ଆବଶ୍ୟକସ୍ଥଳେ ଠିକା ସଂସ୍ଥା ବା ବିଏମ୍‌ସିର ଶ୍ରମିକଙ୍କ ଜରିଆରେ ସଫା କରାଇବେ। ପରିମଳକୁ ନେଇ ‌ସଚେତନତା ସୃଷ୍ଟି କରାଇବେ। ଏଭଳି କାମ ପାଇଁ ସେମାନଙ୍କୁ ଚୁକ୍ତି ଭିତ୍ତିରେ ନିଯୁକ୍ତି ମିଳିଥିଲା। ଏବେ ସେମାନଙ୍କର ଦରମା ୩୩ପ୍ରତିଶତ ବୃଦ୍ଧି କରିବା ପାଇଁ ଯୋଜନା ହୋଇଛି। ଏମାନେ ନିଯୁକ୍ତି ପାଇବା ବେଳେ କର୍ପୋରେସନ ନଥିଲା। ଏବେ ସେମାନଙ୍କର ଦରମା ବୃଦ୍ଧି ଉପରେ କର୍ପୋରେସନ ମୋହର ମାରିବ। ଏହା ସହିତ ଏମାନଙ୍କର ଆଉ ବର୍ଷିକିଆ ଚୁକ୍ତି ହେବ ନାହିଁ ଏବଂ ୫ ବର୍ଷ ପାଇଁ ଏମାନଙ୍କର ନିଯୁକ୍ତି ଅବଧିକୁ ବଢ଼ାଇବା ପାଇଁ ବିଏମ୍‌ସି ସୁପାରିସ କରିବାକୁ ଏଜେଣ୍ଡା ପ୍ରସ୍ତୁତ କରିଛି।

ଏଠାରେ ସୂଚାଇ ଦିଆଯାଇପାରେ, ବିଏମ୍‌ସିରେ କୌଣସି କର୍ମଚାରୀଙ୍କର ଦରମା ବଢ଼ିବାକୁ ହେଲେ ସ୍ବତନ୍ତ୍ର କମିଟି ଦ୍ବାରା ଯାଞ୍ଚ ହୋଇଥାଏ। ଯାଞ୍ଚ ହେବା ପରେ କମିଟିର ସୁପାରିସକୁ ଆଧାର କରି ଦରମା ବୃଦ୍ଧି କରାଯାଏ। କିନ୍ତୁ ଏ କ୍ଷେତ୍ରରେ କୌଣସି କମିଟି ଗଠନ କରାଯାଇ ନାହିଁ। ସିଧାସଳଖ କର୍ପୋରେସନ ବୈଠକରେ ପାସ୍‌ କରାଇ ଦେବା ପାଇଁ ଯୋଜନା ହୋଇଛି। ଆଉ ଗୋଟିଏ ପ୍ରସଙ୍ଗ ହେଉଛି ‘ସାନିଟାରି ମଲ୍ଟି ଟାସ୍କିଂ ଆସିଷ୍ଟାଣ୍ଟ’ ନିଯୁକ୍ତି। ଅଧିକାରୀମାନେ ସବୁ ଆଇନକାନୁନ୍‌କୁ ଜଳାଞ୍ଜଳି ଦେଇ ଏଭଳି ଏକ ଠିକା ନିଯୁକ୍ତି କରିଥିଲେ। ଡିଇଓ ଭାବେ ଚାକିରି କରିଥିବା କର୍ମଚାରୀଙ୍କ ମଧ୍ୟରୁ କେତେକଙ୍କୁ ଚାକିରି ଦେଇ ଥିବା ବେଳେ କେତେକଙ୍କୁ ଛଟେଇ କରି ନୂଆ ନିଯୁକ୍ତି କରିଥିଲେ। ଏଥିରେ ଅଧିକାରୀମାନଙ୍କର କଳା କାରନାମା ଜଳଜଳ ଦିଶୁଥିବାରୁ ଏହି ନିଯୁକ୍ତିକୁ କର୍ପୋରେସନ ମୁଣ୍ଡରେ ବୋଳି ଦେବାକୁ ଯୋଜନା ହୋଇଛି। ପ୍ରଥମେ କର୍ପୋରରେସନକୁ ନଜଣାଇ ନିଯୁକ୍ତି ଦେଇଦେଲେ। ଏବେ କର୍ପୋରେସନ‌ରେ ତାକୁ ପାସ୍‌ କରାଇବା ପାଇଁ ଏଜେଣ୍ଡା ପ୍ରସ୍ତୁତ ହୋଇଛି। ଥରେ ପାସ୍‌ ହୋଇଗଲେ ଏହା ପଛରେ ଥିବା ଅଧିକାରୀମାନଙ୍କର ମନଇଚ୍ଛା କାରବାର ଲୁଚିଯିବା ଥୟ ହୋଇଛି।

ଏହା ବାଦ୍‌ ଷ୍ଟାଣ୍ଡିଂ କମିଟିକୁ ନେଇ ହୋ ହଲ୍ଲା ହେବା ଆଶଙ୍କା ପ୍ରକାଶ ପାଇଛି। ଷ୍ଟାଣ୍ଡିଂ କମିଟି ଗଠନ ହେବା ପରେ ଏହା ଏକ ପ୍ରକାର ସ୍ଥାଣୁ ହୋଇ ରହିଛି। କୌଣସି କାମ ବିଷୟରେ କମିଟି ଜାଣୁ ନାହିଁ। କୌଣସି ଫାଇଲ୍‌ କମିଟିକୁ ଆସୁନାହିଁ। ଅଧିକାରୀମାନଙ୍କର ଏଭଳି ‌େସ୍ବଚ୍ଛାଚାରିତାକୁ ନେଇ ପ୍ରବଳ ଅସନ୍ତୋଷ ରହିଛି। କିନ୍ତୁ କେହି ମୁହଁ ଖୋଲୁ ନାହାନ୍ତି। ଆସନ୍ତା ବୈଠକରେ କମିଟି ସଦସ୍ୟ ଓ ଅଧ୍ୟକ୍ଷମାନେ ଅଧିକାରୀମାନଙ୍କୁ ଘେରିବା ଯୋଜନା ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର