ଭୁବନେଶ୍ବର: ‘ଚକଲେଟ୍ ପ୍ରଡକ୍ସନ୍ସ’ ପ୍ରଯୋଜିତ ଓଡ଼ିଆ ଜାତିର ଆତ୍ମା ଶ୍ରୀଜଗନ୍ନାଥଙ୍କୁ ସମର୍ପିତ ଐତିହାସିକ ନାଟକ ‘ଆହେ ନୀଳଶଇଳ’ର ୧୯ତମ ସୋ’ ଆଜି ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ସାହିତ୍ୟିକ ତଥା ନୀଳଶୈଳ ଉପନ୍ୟାସର ରଚୟିତା ସୁରେନ୍ଦ୍ର ମହାନ୍ତିଙ୍କ ଝିଅ ଲୋପାମୁଦ୍ରା ମହାନ୍ତି ଏବଂ ରାଜ୍ୟ ସରକାରଙ୍କ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ।

Advertisment

ନାଟକ ଦେଖିବା ପରେ ଶ୍ରୀମତୀ ମହାନ୍ତି ଭାବବିହ୍ବଳ ହୋଇ କହିଲେ, ନୀଳଶୈଳ ବହି ପଢ଼ିବା ମୋତେ ଯେତିକି ଖୁସି ନ ଦେଇଛି, ଏ ନାଟକ ଦେଖି ତା’ଠାରୁ ଅଧିକ ଖୁସି ପାଇଛି। ଚମତ୍କାର ସଂଳାପ ଓ ସୁନ୍ଦର ନାଟ୍ୟରୂପ ପାଇଁ ସେ ଆହେ ନୀଳଶଇଳ ନାଟକର ଲେଖକ ଶଙ୍କର ତ୍ରିପାଠୀଙ୍କୁ ଅଭିବାଦନ ଜଣାଇଥିଲେ। ସେହିପରି ଶ୍ରୀମତୀ ପାଢ଼ୀ ମଧ୍ୟ ନାଟକ ଦେଖିବା ପରେ ଖୁସିବ୍ୟକ୍ତ କରି କହିଲେ, ଏହି ନାଟକ ଏକ ନିଆରା ଅନୁଭୂତି ଦେଇଛି। ଜଗନ୍ନାଥଙ୍କ ଆଶୀର୍ବା‌ଦ ଯୋଗୁଁ ଏମିତି ଭାବମୟ ନାଟକ ସମ୍ଭବ ହୋଇପାରିଛି। ସେ ‘ସମ୍ବାଦ ଗ୍ରୁପ୍‌’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଓ ଟିମ୍‌କୁ ଧନ୍ୟବାଦ ଦେଇଥିଲେ।