ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲା ଅଢ଼େଇ ଲକ୍ଷ କୋଭିସିଲ୍ଡ, ସବୁ ଜିଲ୍ଲାକୁ ଗାଡ଼ିରେ ପଠାଯିବ କରୋନା ଟିକା

ଭୁବନେଶ୍ବରର: ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛି କରୋନା ଟିକା । ବିମାନରେ ଆସି ପହଞ୍ଚିଛି ଅଢ଼େଇ ଲକ୍ଷ କୋଭିସିଲ୍ଡ ଟିକା । ସବୁ ଜିଲ୍ଲାକୁ ଏହି ଟିକା ବଣ୍ଟାଯିବ । ଟିକା ନେବା ପାଇଁ ବିଭିନ୍ନ ଜିଲ୍ଲାରୁ ଗାଡ଼ି ଭୁବନେଶ୍ୱରରେ ପହଞ୍ଚିଛି । ତେବେ ରାଜ୍ୟକୁ ୨୫ ଲକ୍ଷ ଟିକା ମିଳିବାକୁ ଥିବା ବେଳେ ମିଳିଛି ମାତ୍ର ୨ ଲକ୍ଷ ୫୦ ହଜାର ଟିକା।

ବର୍ତ୍ତମାନ ରାଜ୍ୟରେ ଟିକାକରଣ ପାଇଁ ଟିକାର ଅଭାବ ରହିଥିବା ବେଳେ ଏହି ଟିକା ପହଞ୍ଚିବା ପରେ ସାମାନ୍ୟ ଆଶ୍ବସ୍ତି ମିଳିଛି। ତେବେ ଭୁବନେଶ୍ୱରରେ ଟିକା ପହଞ୍ଚିବା ପରେ, ସବୁ ଜିଲ୍ଲାକୁ ଟିକା ଗାଡ଼ି ଜରିଆରେ ଟିକା ପଠାଯିବ । ଆସନ୍ତାକାଲି ରାଜ୍ୟର ସମସ୍ତ ଟିକାକରଣ କେନ୍ଦ୍ରରେ ଟିକା ଦିଆଯିବ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ଆସନ୍ତାକାଲି ଠାରୁ ଏପ୍ରିଲ ୧୪ ଯାଏ ପାଳିତ ହେବ ଟିକା ଉତ୍ସବ । ତେଣୁ ଟିକା ଉତ୍ସବକୁ ସଫଳ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଚିଠି ଲେଖିଛି । ଚିଠିରେ ତୁରନ୍ତ ରାଜ୍ୟ ସରକାରଙ୍କୁ ୨୫ ଲକ୍ଷ କୋଭିସିଲ୍ଡ ଡୋଜ ପଠାଇବାକୁ ଅନୁରୋଧ କରାଯାଇଛି ।

ଆଗକୁ ଦୈନିକ ୩ ଲକ୍ଷ ଟିକାକରଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ କମ ଟିକା ଯୋଗାଣ ଯୋଗୁ ଟିକାକରଣ ବାଧାପ୍ରାପ୍ତ ହେବା ଆଶଙ୍କା ଦେଖା ଦେଇଛି । ଅନ୍ୟପଟେ ସାରା ଦେଶରେ ଏପ୍ରିଲ ୧୧ ତାରିଖରୁ ଏପ୍ରିଲ ୧୪ ତାରିଖ ଯାଏ ଟିକା ଉତ୍ସବ ପାଳିତ ହେବ । ତେଣୁ ଟିକା ଉତ୍ସବକୁ ସଫଳ କରିବା ପାଇଁ ତୁରନ୍ତ ଟିକା ଯୋଗାଇବାକୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର।

ସମ୍ବନ୍ଧିତ ଖବର