ସାଇବର ଲୁଟେରାଙ୍କଠାରୁ ଫେରିଲା ‌୨.୫ ଲକ୍ଷ

ଭୁବନେଶ୍ବର: ସାଇବର ଥାନା ପୁଲିସକୁ ଆଉ ଏକ ସଫଳତା ମିଳିଛି। ଦୁଇ ଯୁବକଙ୍କଠାରୁ ଲୁଟ୍‌ ହୋଇଥିବା ଅଢ଼େଇ ଲକ୍ଷ ଟଙ୍କାକୁ ଫେରାଇ ଆଣିବାରେ ସଫଳ ହୋଇଛି ସାଇବର ଥାନା ପୁଲିସ। ମଞ୍ଚେଶ୍ବର ଅଞ୍ଚଳର ବିନ୍ଦୁ ସାଗର ଲେଙ୍କାଙ୍କ ଏକ ଲକ୍ଷ ୨୯ ହଜାର ଟଙ୍କା ଓ ଖାରବେଳନଗର ଅଞ୍ଚଳର ଅଭିଜିତ୍‌ ମହାନ୍ତିଙ୍କ ଏକ ଲକ୍ଷ ୧୫ ହଜାର ଟଙ୍କା ଫେରିଆସିଛି।

ସୂଚନା ମୁତାବକ ଗତ ୨୨ ତାରିଖ ଦିନ ବିନ୍ଦୁସାଗରଙ୍କ ଫୋନ୍‌କୁ ଏକ ଅଜଣା ନମ୍ବରରୁ କଲ୍‌ ଆସିଥିଲା। ସାଇବର ଠକ ନିଜକୁ ଜଣେ ବ୍ୟାଙ୍କ କର୍ମଚାରୀ ବୋଲି ପରିଚୟ ଦେଇ ଫୋନ୍‌ କରିଥିଲା। ତାଙ୍କର କ୍ରେଡିଟ୍‌ କାର୍ଡ ଲିମିଟ୍‌ ବଢ଼ାଇବାକୁ କହି ଏକ ଲିଙ୍କ୍‌ ପଠାଇଥିଲା। ବିନ୍ଦୁସାଗର ଉକ୍ତ ଲିଙ୍କ୍‌ରେ କ୍ଲିକ୍‌ କରିବା ପରେ ଏକ ଓଟିପି ଆସିଥିଲା। ଏହାପରେ ତାଙ୍କ ଆକାଉଣ୍ଟରୁ ଏକ ଲକ୍ଷ ୨୯ହଜାର ଟଙ୍କା କଟିଯାଇଥିଲା। ଟଙ୍କା କଟିଯିବା ପରେ ବିନ୍ଦୁସାଗର ଉକ୍ତ ନମ୍ବରକୁ ଯେତ‌େ କଲ୍‌ କରିଥିଲେ ବି ସେ ଜବାବ ଦେଇନଥିଲା। ଠକାମିର ଶିକାର ହୋଇଥିବା ଜାଣିବା ମା‌ତ୍ରେ ବିନ୍ଦୁସାଗର ସାଇବର ଥାନାରେ ଅଭିଯୋଗ କରିଥିଲେ। ସମାନ ଢ଼ଙ୍ଗରେ ଗତ ୧୭ ତାରିଖରେ ଅଭିଜିତ୍‌ ମଧ୍ୟ ଠକାମିର ଶିକାର ହୋଇଥିଲେ। ସାଇବର ଠକ ନିଜକୁ ବ୍ୟାଙ୍କ କର୍ମଚାରୀ ବୋଲି ପରିଚୟ ଦେଇଥିଲା। ତାଙ୍କ ପ୍ୟାନ୍‌କାର୍ଡକୁ ଆକାଉଣ୍ଟରେ ସଂଯୋଗ କରିବାକୁ କହିଥିଲା। ଏମିତିରେ ତାଙ୍କ ଆକାଉଣ୍ଟରୁ ଏକ ଲକ୍ଷ ୪୦ ହଜାର ଟଙ୍କା କଟିଯାଇଥିଲା। ସେ ମଧ୍ୟ ତୁରନ୍ତ ସାଇବର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଦୁଇଟି ପୃଥକ ପୃଥକ ମାମଲା ରୁଜୁକରି ବ୍ୟାଙ୍କ ସହ ଯୋଗାଯୋଗ କରି ସେମାନଙ୍କ ଦୁଇ ଆକାଉଣ୍ଟକୁ ଲକ୍‌ କରିଦେଇଥିଲେ ଏବଂ ଟଙ୍କା ପୁଣି ଆକାଉଣ୍ଟକୁ ଫେରିଥିଲା।

ସମ୍ବନ୍ଧିତ ଖବର