ରବି ଟକିଜ୍‌-ଟଙ୍କପାଣି ରାସ୍ତାକୁ ୨.୬୮ କୋଟି

ଭୁବନେଶ୍ବର: ରବି ଟକିଜ୍‌-ଟଙ୍କପାଣି ରାସ୍ତାର ଦୂରବସ୍ଥା ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ସୃଷ୍ଟି ହେଲାପରେ ଆଜି ଏହି ରାସ୍ତାର ଶିଳାନ୍ୟାସ କରାଯାଇଛି। ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା ଆଜି ରବି ଟକିଜ୍‌ ଛକରେ ଏହି ରାସ୍ତାର ଉନ୍ନତୀକରଣ ପାଇଁ ଶିଳାନ୍ୟାସ କରିଛନ୍ତି। ଦୁଇ କିଲୋମିଟର ରାସ୍ତା ପାଇଁ ୨.୬୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ତେବେ ବର୍ଷା ଦିନ ଆରମ୍ଭ ହୋଇଯାଇଥିବାରୁ କାମ କେବେ ଆରମ୍ଭ ହେବ, କେବେ ଶେଷ ହେବ ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

କାମ ଆରମ୍ଭ ବିଳମ୍ବ ହେଲେ ମଧ୍ୟ ତୁରନ୍ତ ରାସ୍ତାର ମରାମତି କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ଏକାଧିକ ବିଭାଗ ଜାଲରେ ରବି ଟକିଜ୍‌-ଟଙ୍କପାଣି ରାସ୍ତା ଛନ୍ଦି ହୋଇଯାଇଛି। ବିଏସ୍‌ସିଏଲ୍‌, ଟିପିସିଓଡିଏଲ୍‌, ୱାଟ୍‌କୋ ଭଳି ବିଭାଗ ରାସ୍ତାକୁ ଖୋଳି ନଷ୍ଟ କରିଛନ୍ତି। ସିସିଟିଭି କେବୁଲ୍‌, ପାଣି ପାଇପ୍‌, ଅଣ୍ଡରଗ୍ରାଉଣ୍ଡ ଇଲେକ୍ଟ୍ରି କେବୁଲ୍‌ ତାର ବିଛାଇବା ପାଇଁ ରାସ୍ତାକୁ ମନଇଚ୍ଛା ଖୋଳାଯାଇଛି। ରାସ୍ତାର ଦୁଇ କଡ଼ରେ ମଣିଷ ପୋତି ହୋଇଯିବା ଭଳି ଗଭୀରର ଗାତ। ରାସ୍ତା ମଝିରେ ଦୁଇ ଫୁଟ ଉଚ୍ଚକୁ ବାହାରିଛି ସ୍ବେରେଜ୍‌ ଟାଙ୍କି। ଏହାରି ଭିତରେ ଓଭରଲୋଡିଂ ହାଇୱାରେ ବାଲି ଚାଲାଣ ଯୋଗୁଁ ଏହି ରାସ୍ତା ଅଧିକ ଖରାପ ହୋଇଯାଇଛି। ଏହି ରାସ୍ତା ପାଇଁ ଟଙ୍କପାଣି ଟ୍ରାଫିକ୍‌ରେ ଉତ୍କଟ ଟ୍ରାଫିକ୍‌ ସମସ୍ୟା ଦେଖାଦେଉଛି। ଏହାକୁ ନେଇ ସ୍ଥାନୀୟ ବାସିନ୍ଦା ଓ ଗାଡ଼ି ଚାଳକ ତୀବ୍ର ପ୍ରତିକ୍ରିୟା, ଅସନ୍ତୋଷ, ବାରମ୍ବାର ଅଭିଯୋଗ ମଧ୍ୟ କରିଥିଲେ।

ଆଜି ଶୁଭାରମ୍ଭ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ପଣ୍ଡାଙ୍କ ସମେତ ବିଧାୟକ ସୁଶାନ୍ତ ରାଉତ, ପ୍ରଣବ ବଳବନ୍ତରାୟ, ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର, କର୍ପୋରେଟର କେ. ଶାନ୍ତି, ସନ୍ତୋଷ ସିଂହ, ଅଜିତ ବେହେରା, ନମିତା ମହାପାତ୍ର, ଶିବ ପ୍ରସାଦ ରାୟ ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ଭୁବନେଶ୍ୱର ମହାନଗର ନିଗମ ଦ୍ବାରା ୧୧ ଲକ୍ଷ ଟଙ୍କାରେ ୱାର୍ଡ ନଂ ୫୬ର ଗଧିଆଖାଲ ଡ୍ରେନ ସହ କଭର ସ୍ଲାବ୍‌ ଏବଂ ୨୦ ଲକ୍ଷ ଟଙ୍କାରେ ବିଜେବି ନଗରରେ ଏକ ରାସ୍ତା ନିର୍ମାଣ ପାଇଁ ମଧ୍ୟ ମନ୍ତ୍ରୀ ଶ୍ରୀ ପଣ୍ଡା ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ସମ୍ବନ୍ଧିତ ଖବର