ପଳାସପଲ୍ଲୀ ଛକରେ ଲୁଟ୍‌ ମାମଲା : ୨ ଅଭିଯୁକ୍ତ ଗିରଫ: କଟୁରି, ସ୍କୁଟର ଜବତ

ଭୁବନେଶ୍ୱର : ଜୁନ୍‌ ୨୬ ତାରିଖରେ ପଳାସପଲ୍ଲୀ ଛକରେ ମହିଳା ବ୍ୟବସାୟୀ ଓ ତାଙ୍କ କର୍ମଚାରୀଙ୍କୁ ଲୁଟ୍‌ ମାମଲାରେ ଏୟାରପୋର୍ଟ ଥାନା ପୁଲିସକୁ ସଫଳତା ମିଳିଛି। ଏଥିରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଲୁଟ୍‌ରେ ବ୍ୟବହୃତ କଟୁରି, ସ୍କୁଟର, ଦୁଇଟି ମୋବାଇଲ ଫୋନ୍‌, ଲୁଟ୍‌ ପ୍ୟାନ୍‌, ଆଧାର କାର୍ଡ ଓ ୧୭୫ ଟଙ୍କା ଜବତ କରାଯାଇଛି। ଦୁଇ ଅଭିଯୁକ୍ତ ହେଉଛନ୍ତି କେଳାସାହି ବସ୍ତିରେ ରହୁଥିବା ଟାଙ୍ଗୀ ଭୁଷଣ୍ଡପୁର କଲୋନି ବଜାରର ବିଶ୍ବଜିତ ସରକାର ଓରଫ ବିଶୁ ଓ ଚନ୍ଦକା ଥାନା ମଳିପଡ଼ାର ଶ୍ରୀକାନ୍ତ ମଙ୍ଗରାଜ ଓରଫ ବଙ୍କା। ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ପୁଲିସଠାରୁ ମିଳିଥିବା ସୂଚନା ମୁତାବକ, ଡୁମୁଡୁମାର ସୁମନ୍ତ ନାୟକଙ୍କର ଏକ ନମ୍ବର ହାଟରେ ଏକ ମୋବାଇଲ ଆସେସରିଜ୍‌ ଦୋକାନ ରହିଛି। ୨୬ ତାରିଖ ଅପରାହ୍‌ଣରେ ସୁମନ୍ତ ‌ଟ୍ରେନ୍‌ ଯୋଗେ ଭୁବନେଶ୍ବର ଫେରିବାର ଥିଲା। ଏଣୁ ତାଙ୍କୁ ଆଣିବା ପାଇଁ ତାଙ୍କ ପତ୍ନୀ ସୁଭଦ୍ରା‌ ପାତ୍ର ଓ କର୍ମଚାରୀ ଦିବେଶ ସାହୁ ସ୍କୁଟି ଯୋଗେ ଷ୍ଟେସନ ଯାଉଥିଲେ। ପଳାସପଲ୍ଲୀ ଛକଠାରେ ଦୁଇ ଅଭିଯୁକ୍ତ ଏକ ସ୍କୁଟରରେ ଆସି ସେମାନଙ୍କୁ କଟୁରିରେ ଆକ୍ରମଣ କରି ପର୍ସ ଓ ମୋବାଇଲ ଲୁଟି ନେଇଥିଲେ। ଅପରପକ୍ଷରେ ପର୍ସରେ ୭୫ ହଜାର ଟଙ୍କା ଥିଲା ବୋଲି ଅଭିଯୋଗ ହୋଇଥିଲେ ମଧ୍ୟ ବାସ୍ତବରେ ୧୭୫ ଟଙ୍କା ଥିଲା ବୋଲି ପୁଲିସ କହିଛି।

୨ ଲୁଟେରା ଗିରଫ,ବାଇକ ଓ ଟଙ୍କା ଜବତ

ବାରଙ୍ଗ : ବାରଙ୍ଗ ଥାନା ପୁଲିସ ୨ ଲୁଟେରାଙ୍କୁ ଗିରଫ କରିଛି। ଲୁଟେରା ହେଲେ ମର୍କତନଗର ସେକ୍ଟର ୭ର ଯତୀନ୍ଦ୍ର ସାମଲ ଓରଫ ମୁନା(୨୮) ଓ କେନ୍ଦ୍ରାପଡ଼ା ମଶାକାନି ଗ୍ରାମର ଦୀପ୍ତିମୟ ସାମନ୍ତରାୟ (୨୩)। ଆଜି ସକାଳ ସାଢ଼େ ୮ଟାରେ କୃଷ୍ଣଚନ୍ଦ୍ରପୁର ଜଷ୍ଟିସ୍‌ ଗଡ଼ାରେ କଟକ ଅଭିମୁଖେ ଯାଉଥିବା ପ୍ରାଣବନ୍ଧୁ ନାୟକ ନାମକ ଟ୍ରକ ଚାଳକଙ୍କୁ ଲୁଟେରାମାନେ ଅଟକାଇ ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଟଙ୍କା ଲୁଟି ନେଇଥିଲେ। ଅଭିଯୋଗ ପାଇ ପୁଲିସ ସେମାନଙ୍କୁ ଗିରଫ କରି ଲୁଟପାଟରେ ବ୍ୟବହୃତ ବାଇକ୍‌ ଓ ୧୫୫୦ଟଙ୍କା ଜବତ କରିଥିଲା। ଆଜି ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର