ଭୁବନେଶ୍ବର: ରାଜଧାନୀର କଳେବର ବୃଦ୍ଧି ପରେ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଜାଗାର ଅଭାବ ଦେଖାଦେଇଛି। ଆଉ ଆଗ ଭଳି ଘର କରି ରହିବାକୁ ଜାଗା ନାହିଁ। ଏଣୁ ଭୁବନେଶ୍ବର ସହରତଳି ଅଞ୍ଚଳରେ ବିକାଶ ବ୍ୟାପକ ଭାବେ ଚାଲିଛି। ଲୋକେ ଭୁବନେଶ୍ବର ସହରତଳି ଅଞ୍ଚଳରେ ଜାଗା କିଣି ବହୁତଳ କୋଠା ନିର୍ମାଣ କରୁଛନ୍ତି। ସହର ଭିତରେ ଜାଗା ଅଭାବ କାରଣରୁ ସହରତଳି ଅଞ୍ଚଳରୁ ଲୋକେ ଜାଗା କିଣିବା ଆରମ୍ଭ କରିବା ପରେ ଏହାର ପୂର୍ଣ୍ଣ ଫାଇଦା ନେବାରେ ଲାଗିଛନ୍ତି ଜମି ମାଫିଆ। ତହସିଲର ଅଧିକାରୀଙ୍କୁ ହାତ କରି ସରକାରୀ ଜାଗାକୁ ଦାଖଲଖାରଜ କେସ୍‌ ବଳରେ ବ୍ୟକ୍ତିଗତ ଜମି ଦର୍ଶାଇ ବିକି ଦେଉଛନ୍ତି। ଏଭଳି ଏକ ତଞ୍ଚକତା ଭୁବନେଶ୍ବର ତହସିଲ ଅଧୀନରେ ଦେଖିବାକୁ ମିଳିଛି। ତହସିଲ୍‌ର ଅଧିକାରୀମାନେ ରେଜିଷ୍ଟ୍ରି ସେଲ୍‌ ଡିଡ୍‌ ବଳରେ ପ୍ରାୟ ୨ ଏକର ସରକାରୀ ଜାଗାକୁ ବ୍ୟକ୍ତିଗତ ଖାତାକୁ ଟେକି ଦେଇଥିଲେ। ସରକାର ଏହି ତଞ୍ଚକତା ଧରିବା ପରେ ପୁନର୍ବାର ଦାଖଲଖାରଜ କେସ୍‌ ବଳରେ ବ୍ୟକ୍ତିଗତ ଖାତାରୁ ଏହି ଜମି ପୁଣି ସରକାରୀ ଖାତାକୁ ଫେରିଛି।
କିନ୍ତୁ ଯେହେତୁ ଏହା ରେଜିଷ୍ଟ୍ରି ସେଲ୍‌ ଡିଡ୍‌ ବଳରେ ବିକ୍ରି କରାଯାଇଥିଲା, ନିଶ୍ଚିତ କେହି ଏହି ଜମିକୁ ବିକିଥିଲା। ଏଣୁ ଏଠି ପ୍ରଶ୍ନ ଉଠୁଛି, ସରକାରୀ ଜାଗାକୁ ବିକିଲା କିଏ? ସେପଟେ ଜମି କିଣାବିକା ବେଳେ ସରକାରୀ ଜମିର ରକ୍ଷକ ଭାବେ କାମ କରୁଥିବା ତହସିଲଦାର କ’ଣ କରୁଥିଲେ? ଜମି ରେଜିଷ୍ଟ୍ରେସନ୍ ପାଇଁ ଜିଲ୍ଲାରେ ରେଜିଷ୍ଟ୍ରାର ଓ ସବ୍‌-ରେଜିଷ୍ଟ୍ରାର ଅଧିକାରୀ କାମ କରୁଛନ୍ତି। ଏମାନେ କିଭଳି ଏହି ଜମିକୁ ବ୍ୟକ୍ତିଗତ ନାମରେ ପଞ୍ଜୀକରଣ କଲେ? ଏଭଳି ଅନେକ ପ୍ରଶ୍ନ ଏବେ ଜନସାଧାରଣଙ୍କୁ ଆନ୍ଦୋଳିତ କରୁଛି।
ଅପରପକ୍ଷେ ଯେଉଁ ଅଧିକାରୀମାନେ ଏହି ଘଟଣାରେ ସଂପୃକ୍ତ, ସେମାନଙ୍କ ବିରୋଧରେ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନି। ଏହି ଘଟଣା ଜଣାପଡ଼ିବା ପରେ କେଉଁମାନେ ଏହି ମାମଲାରେ ସଂପୃକ୍ତ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ରାଜସ୍ବ ବିଭାଗ ନିର୍ଦ୍ଦେଶ ଦେଇଥିଲା। କିନ୍ତୁ ଏହି ଅଧିକାରୀମାନେ ଏତେ ପ୍ରଭାବଶାଳୀ ଯେ ଜାଣିଶୁଣି ଘଟଣାକୁ ଚାପି ଦିଆଯାଇଛି ବୋଲି ଅଭିଯୋଗ ହୋଇଛି। 
ସରକାରୀ ତଥ୍ୟ ମୁତାବକ, ଭୁବନେଶ୍ବର ତହସିଲ ଚନ୍ଦକା ଥାନା ଅଧୀନ ଅନ୍ଧାରୁଆ ମୌଜାରେ ଖାତା ନମ୍ବର-୨୮୭୩ର ୭ଟି ପ୍ଲଟ୍‌ରେ ଘରବାରୀ କିସମର ୧.୯୨୮୦ ଏକର ଜମି ରହିଛି। ୭ ପ୍ଲଟ୍‌ରୁ ପ୍ଲଟ୍‌ ନମ୍ବର-୮୦୭୮/୮୫୦୨ରେ ସର୍ବାଧିକ ୧ ଏକର, ପ୍ଲଟ୍‌ ନମ୍ବର-୬୧୭୪ରେ ୧୩ ଡେସିମାଲ୍, ପ୍ଲଟ୍‌ ନମ୍ବର-୫୫୬୪ରେ ୫୦ ଡେସିମାଲ୍‌, ପ୍ଲଟ୍‌ ନମ୍ବର-୫୫୬୮ରେ ୨୨ ଡେସିମାଲ୍‌, ପ୍ଲଟ୍‌ ନମ୍ବର-୫୫୭୩ରେ ୨‌ ଡେସିମାଲ୍‌, ପ୍ଲଟ୍‌ ନମ୍ବର-୫୫୭୪ରେ ୪.୫ ଡେସିମିଲ୍, ପ୍ଲଟ୍‌ ନମ୍ବର-୫୫୭୫ରେ ୧.୩ ଡେସିମାଲ୍ ସରକାରୀ ଜାଗା ରହିଥିଲା। ୨୦୧୭ ମସିହାରେ ଦାଖଲଖାରଜ କେସ୍‌ ନମ୍ବର-୨୦୬୬୧/୨୦୧୭ ବଳରେ ଏହି ସବୁ ସରକାରୀ ଜମିକୁ ଭୁବନେଶ୍ବର ତହସିଲ ଅଧୀନ ଲକ୍ଷ୍ମୀସାଗରର ଭାଗ୍ୟଧର ପ୍ରଧାନଙ୍କ ନାମକୁ ଚାଲି ଯାଇଥିଲା। ଯାହାର ନୂଆ ଖାତା ନମ୍ବର ଥିଲା ୨୮୭୦/୫୩୯। ପ୍ରାୟ ୭ ବର୍ଷ ଧରି ଏହି ଜମି ବ୍ୟକ୍ତିଗତ ଦଖଲରେ ରହିବା ପରେ ୨୦୨୪ ମସିହାରେ ଘଟଣା ଜଣାପଡ଼ିବାରୁ ସରକାରୀ ସ୍ତରରେ ତନାଘନା ଆରମ୍ଭ ହୋଇଥିଲା। ପରେ ନିଜେ ସରକାର ନିଜ ତରଫରୁ ଦାଖଲଖାରଜ ମାମଲା(କେସ୍‌ ନମ୍ବର-୪୩୭୫/୨୦୨୪) କରି ନିକଟରେ ସମସ୍ତ ଜମିକୁ ପୁଣି ସରକାରୀ ଖାତାକୁ ଆଣିଛନ୍ତି।
ବିଡିଏ ବି ଟିପି ଯୋଜନା, ନ୍ୟୁ ସିଟି ଯୋଜନାରେ ନୂଆ ସହରର ବିକାଶ କରୁଛି। ସରକାରୀ ଜମିରେ ବ୍ୟାପକ ତଞ୍ଚକତା ହେବାର ଆଶଙ୍କା ରହିଥିବାରୁ ସରକାର ଏହାର ବିଧିବଦ୍ଧ ତଦନ୍ତ କରିବା ସହ ଯାହା ନୂଆ ପଞ୍ଜୀକରଣ ହେଉଛି, ତାର ଯାଞ୍ଚ କରି ପଞ୍ଜୀକରଣ କରିବାକୁ ଦାବି ହୋଇଛି।