ଆମ୍ବୁଲାନ୍ସ କର୍ମଚାରୀଙ୍କୁ ମାଡ଼ ମାରି ଜେଲ ଗଲା ଯୁବକ

ବାଲିଅନ୍ତା: ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ମାଡ଼ ମାରିବା ଓ ହସ୍ପିଟାଲରେ ଭଙ୍ଗାରୁଜା କରିବା ମାମଲାରେ ସଂପୃକ୍ତ ଅଭିଯୁକ୍ତକୁ ବାଳକାଟି ଫାଣ୍ଡି ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ସେ ହେଲା, ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅଧୀନ ଅଞ୍ଚପା ଗ୍ରାମର ବାପି ଓରଫ ସତ୍ୟ ନାରାୟଣ ବସ୍ତିଆ(୪୨)। ବାପି ବିରୋଧରେ ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଛି।

ପୁଲିସ ସୂଚନା ମୁତାବକ, ଗତକାଲି ଅପରାହ୍‌ଣରେ ବାପି ତା’ର ଜଣେ ସାଙ୍ଗଙ୍କ ସହ ଧଉଳି ବୁଲିବାକୁ ଯାଇ ଦୁଘର୍ଟଣାଗ୍ରସ୍ତ ହୋଇଥିଲେ। ସାଙ୍ଗ ଗୁରୁତର ଆହତ ହୋଇଥିବା ବେଳେ ସେ ସାମାନ୍ୟ ଆହତ ହୋଇଥିଲା। ଖବର ପାଇ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ୧୦୮ ଆମ୍ବୁଲାନ୍ସ ପହଞ୍ଚି ଉଭୟଙ୍କୁ ଚିକିତ୍ସା ଲାଗି ଆଣିଥିଲା। ହେଲେ ନିଶାଗ୍ରସ୍ତ ଅବସ୍ଥାରେ ଥିବା ବାପି ଗାଡ଼ି ଭିତରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ କର୍ମଚାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମଧ୍ୟ ବାପି ଉନ୍ମତ୍ତକାଣ୍ଡ ଘଟାଇଥିଲା। ଡାକ୍ତରଖାନାରେ ଜିନିଷପତ୍ର ଭଙ୍ଗାରୁଜା କରିବା ସହ କାର୍ଯ୍ୟରତ ସ୍ବାସ୍ଥ୍ୟକର୍ମୀଙ୍କୁ ଗାଳିଗୁଲଜ କରିଥିବା ଏତଲାରେ ଦର୍ଶାଯାଇଛି। ଖବର ପାଇ ବାଳକାଟି ଫାଣ୍ଡି ଅଧିକାରୀ ହସ୍ପିଟାଲରେ ପହଞ୍ଚି ବାପିକୁ କାବୁ କରିଥିଲେ।

ସମ୍ବନ୍ଧିତ ଖବର