ହୋମ୍‌ଗାର୍ଡଙ୍କୁ ମାଡ଼ ମାରି ଦୁଇ ଗିରଫ

ଭୁବନେଶ୍ୱର: ଟ୍ରାଫିକ୍‌ ନିୟନ୍ତ୍ରଣ କାର୍ଯ୍ୟରେ ନିୟୋଜିତ ଜଣେ ହୋମ୍‌ଗାର୍ଡଙ୍କୁ ଆକ୍ରମଣ କରିବା ଅଭିଯୋଗରେ ମଞ୍ଚେଶ୍ବର ଥାନା ପୁଲିସ ଦୁଇଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଯାଜପୁର ରୋଡ୍‌ର ଦେବଦତ୍ତ ବିଶ୍ବାଳ ଓ ମହାକାଳପଡ଼ାର ଜିତେନ୍ଦ୍ର ପ୍ରଧାନ। ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ସୂଚନା ମୁତାବକ, ଗତକାଲି ରାତି ପ୍ରାୟ ସାଢ଼େ ୮ଟା ବେଳେ ନଖରା ନିକଟରେ ଏକ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ରାସ୍ତା ମଝିରେ ଏହି ଅଘଟଣ ଘଟିଥିବାରୁ ହୋମଗାର୍ଡ ପ୍ରକାଶ ମଲ୍ଲିକଙ୍କୁ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳକୁ ପଠାଯାଇଥିଲା। ସେଠାରେ ଡ୍ୟୁଟି କରୁଥିବା ବେଳେ ଏହି ଦୁଇଜଣ ଅଭିଯୁକ୍ତ ଏକ ବାଇକ୍‌ରେ ସେଠାରେ ପହଞ୍ଚିଥିଲେ। ପ୍ରକାଶଙ୍କ ଆଦେଶକୁ ନ ମାନି ଆଗକୁ ଯିବା ପାଇଁ ଯୁକ୍ତି କରିଥିଲେ। ମାତ୍ର ପ୍ରକାଶ ଉଭୟଙ୍କୁ ଯିବାକୁ ଦେଇନଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ପଛରେ ବସିଥିବା ଜିତେନ୍ଦ୍ର ଗାଳିଗୁଲଜ କରିଥିବା ବେଳେ ହେଲ୍‌ମେଟ୍‌ରେ ପ୍ରକାଶଙ୍କ ମୁଣ୍ଡକୁ ଦେବଦତ୍ତ ପିଟି ଦେଇଥିଲା। ପ୍ରକାଶ ତଳେ ପଡ଼ିଯିବା ପରେ ସେଠାରେ ଥିବା ଅନ୍ୟ ଲୋକମାନେ ଅଭିଯୁକ୍ତ ଦ୍ବୟଙ୍କୁ ମାଡ଼ି ବସି ପୁଲିସ ଜିମା ଦେଇଥିଲେ।

ସମ୍ବନ୍ଧିତ ଖବର