ଭୁବନେଶ୍ୱର: ମୋମୋ ପାଇଁ ମୁଣ୍ଡ ଗଡ଼ିବା ଘଟଣାରେ ୨ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିବାବେଳେ ଜଣଙ୍କୁ ପୁଲିସ ଅଟକ ରଖିଛି | ସତ୍ୟ ଓ କାହ୍ନା ନାମକ ଦୁଇ ଯୁବକଙ୍କୁ ସହିଦନଗର ପୁଲିସ ଗିରଫ କରିଥିବାବେଳେ ଉଭୟ ଭଦ୍ରକ ଅଞ୍ଚଳର ବୋଲି ଜଣାପଡିଛି | ଉଭୟ ଭୁବନେଶ୍ୱରର ଏକ ବାଇକ ସୋରୁମରେ କାମ କରୁଥିଲେ | ସାମାନ୍ୟ କମେଣ୍ଟ ମରାକୁ କେନ୍ଦ୍ର କରି ଗାଡ଼କଣର ଚିଣ୍ଟୁ ପରିଡାକୁ ରାସ୍ତା ଉପରେ ଗୋଡେଇ ଗୋଡେଇ ଏଦୁହେଁ ହତ୍ୟା କରିଥିଲେ | ସୂଚନା ଥାଉ କି ଗତକାଲି ଭୁବନେଶ୍ୱରର ପ୍ରେସ ଛକ ନିକଟରେ ଏହି ହତ୍ୟାକାଣ୍ଡ ଘଟିଥିଲା । ଏଥିରେ ଗାଡ଼କଣର ଚିଣ୍ଟୁ ପରିଡ଼ାଙ୍କୁ ହତ୍ୟା କରାଯାଇଥିଲା।
ଗତକାଲି ସଂଧ୍ୟା ପ୍ରାୟ ୬ଟା ବେଳେ ୩ସାଙ୍ଗ ଗାଡ଼କଣର ବିଶାଲ ପାତ୍ର, ବିବେକ ପାତ୍ର ଓ ଶ୍ରୀତନୁ ମିଶ୍ରଙ୍କ ସହ ଚିଣ୍ଟୁ ମୋମୋ ଖାଇବା ପାଇଁ ପ୍ରେସ୍ ଛକ ନିକଟକୁ ଯାଇଥିଲେ। ମୋମୋ ଖାଇବା ସମୟରେ ସେଠାରେ ପୂର୍ବରୁ ଛିଡ଼ା ହୋଇଥିବା ନୂଆପଲ୍ଲୀର କିଛି ଯୁବକ, ଯୁବତୀଙ୍କୁ ସେମାନେ କମେଣ୍ଟ କରିଥିଲେ। ଏହାକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା। ପରେ ଏହା ଉଗ୍ରରୂପ ନେବାରୁ ସେମାନେ ହାତାହାତି ହୋଇଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ନୂଆପଲ୍ଲୀ ଗୋଷ୍ଠୀର ଯୁବକମାନେ ନିକଟରେ ରଖିଥିବା ଗାଡ଼ିରୁ ଛୁରି ଓ ଅନ୍ୟାନ୍ୟ ମାରଣାସ୍ତ୍ର ବାହାର କରି ଚିଣ୍ଟୁ ଓ ତାଙ୍କ ସାଙ୍ଗମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ।
ପୂରା ସିନେମା ଷ୍ଟାଇଲରେ ସେମାନେ ରାସ୍ତା ଉପରେ ଗୋଡ଼ାଇ ଗୋଡ଼ାଇ ଚିଣ୍ଟୁ ଓ ତାଙ୍କ ସାଙ୍ଗମାନଙ୍କୁ ଛୁରି ଭୁସି ଚାଲିଥିଲେ। ଆକ୍ରମଣକାରୀଙ୍କ ଏମିତି ରକ୍ତମୁଖା ରୂପ ଦେଖି ପାଖରେ ଥିବା ଦୋକାନୀମାନେ ସେମାନଙ୍କୁ ଅଟକାଇବା ପରିବର୍ତ୍ତେ ପ୍ରାଣବିକଳରେ ଦୋକାନ ଛାଡ଼ି ଦୌଡ଼ି ପଳାଇଥିଲେ। ଚିଣ୍ଟୁ ଓ ତାଙ୍କ ସାଙ୍ଗମାନେ ତଳେ ପଡ଼ି ଛଟପଟ ହେଉଥିବା ବେଳେ ଦୁର୍ବୃତ୍ତମାନେ ବାଇକ୍ରେ ସେଠାରୁ ଫେରାର୍ ହୋଇଯାଇଥିଲେ। ଏହା ପରେ ପୁଲିସ ପହଞ୍ଚି ଛାନଭିନ କରିଥିଲା | ଆଜି ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି |