ଭୁବନେଶ୍ବର: ଭୁବନେଶ୍ବର ଏମ୍ସକୁ ଦଲାଲମୁକ୍ତ କରିବାକୁ ଯେତେ ଚେଷ୍ଟା କଲେ ବି ସମ୍ଭବ ହେଉନାହିଁ। ଆଜି ପୁଣି ଏଠାରୁ ଦୁଇ ବଙ୍ଗୀୟ ଦଲାଲଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ପଶ୍ଚିମବଙ୍ଗ ପଶ୍ଚିମ ମେଦିନପୁରର ଅମିତ୍ ପ୍ରତିହାର(୩୨) ଓ ଗୋପାଳ ଭଟ୍ଟ(୩୧)। ବିଶେଷକରି ବଙ୍ଗୀୟ ରୋଗୀଙ୍କୁ ଏମାନେ ଟାର୍ଗେଟ୍ କରୁଥିଲେ। ଓପିଡି ଟିକେଟ୍ ଓ ଶଯ୍ୟା ଯୋଗାଇ ଦେବାକୁ କହି ଏମାନେ ରୋଗୀ ସମ୍ପର୍କୀୟମାନଙ୍କଠାରୁ ଟଙ୍କା ନେଉଥିଲେ। ଏଥିପାଇଁ ସେମାନେ ୨ ହଜାରରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଦାବି କରୁଥିଲେ। ଦୀର୍ଘ ଦିନ ହେଲା ଏମାନେ ଏଠାରେ ଡେରା ପକାଇ ରୋଗୀମାନଙ୍କୁ ଶୋଷଣ କରୁଥିଲେ। ଆଜି ଏହି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ଏବଂ ଜାମିନ ଖାରଜ ହେବାରୁ ସେମାନଙ୍କୁ ଝାରପଡ଼ା ଜେଲ୍ ହାଜତକୁ ପଠାଇଦିଆଯାଇଛି। ଏମାନଙ୍କ ଦ୍ବାରା ଗଠିତ ରୢାକେଟ୍ରେ ଆଉ କିଛି ସଦସ୍ୟ ଥିବା ସନ୍ଦେହ କରାଯାଉଛି। ପୁଲିସ ଏଦିଗରେ ତଦନ୍ତ ଚାଲୁ ରଖିଥିବା ସୂଚନା ମିଳିଛି।
ପୁଲିସ ସୂଚନାନୁସାରେ ଏହି ଦୁଇ ଅଭିଯୁକ୍ତ ଖଣ୍ଡଗିରି ଅଞ୍ଚଳରେ ଭଡ଼ାରେ ରହୁଛନ୍ତି। ପୂର୍ବଦିନ ରାତିରୁ ଏମ୍ସ ପରିସରରେ ବୁଲିବୁଲି ରୋଗୀଙ୍କୁ ଟିକେଟ୍ କରାଇଦେବେ ବୋଲି ମୂଲଚାଲ କରନ୍ତି। ଏମିତିକି ଡାକ୍ତର ଚିହ୍ନା ଥିବା କହି ରୋଗୀଙ୍କୁ ଆଡ୍ମିସନ୍ କରାଇବା ତଥା ଶଯ୍ୟା ଯୋଗାଇବାରେ ସାହାଯ୍ୟ କରିବେ ବୋଲି କହି ଟଙ୍କା ଦାବି କରନ୍ତି। ପଶ୍ଚିମବଙ୍ଗ, ଝାରଖଣ୍ଡ ଭଳି ଦୂରଦୁରାନ୍ତରୁ ଆସିଥିବା ରୋଗୀମାନେ ଲମ୍ବା ଧାଡ଼ିରେ ଠିଆ ହୋଇ ଟିକେଟ୍ ପାଇବା କଷ୍ଟରୁ ରକ୍ଷା ପାଇବା ଓ ଅଜଣା ସହରରେ ସୁବିଧାରେ ଡାକ୍ତରଖାନାରେ ଆଡ୍ମିସନ୍ ହୋଇଯିବା ଲୋଭରେ ଏହି ଦଲାଲମାନଙ୍କ କଥାରେ ଭଳି ଯାଆନ୍ତି। ମୂଲଚାଲ ଓ ଅଗ୍ରୀମ ଟଙ୍କା ପାଇବା ପରେ ଏମାନେ ଧାଡ଼ିରେ ଧସେଇ ପଶି ଟିକେଟ୍ ସଂଗ୍ରହ କରନ୍ତି। ଏମ୍ସ ସିକ୍ୟୁରିଟି ଅଫିସର ପଦ୍ମନାଭ କର ଏନେଇ ଗତ କିଛି ଦିନ ପୂର୍ବେ ଖଣ୍ଡଗିରି ଥାନା ଅଧିକାରୀଙ୍କୁ ଜଣାଇଥିଲେ। ଆଇଆଇସି ଦୟାନିଧି ନାୟକ ଏହାକୁ ଗୁରୁତ୍ବର ସହ ନେଇଥିଲେ ଏବଂ ଏମାନଙ୍କୁ ରେଡ୍ ହ୍ୟାଣ୍ଡେଡ୍ ଧରିବାକୁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରିଥିଲେ।
ଯୋଜନାନୁସାରେ ଆଜି ସକାଳେ ଏମ୍ସ ସିକ୍ୟୁରିଟି ଅଫିସର ଶ୍ରୀ କର ଏବଂ ସାଦା ପୋଷାକରେ ଥିବା ପୁଲିସ କର୍ମଚାରୀ ଓପିଡି କାଉଣ୍ଟର ନିକଟରେ ଅପେକ୍ଷା କରି ରହିଥିଲେ। ଏହି ସମୟରେ ଧାଡ଼ିରେ ଠିଆ ହୋଇଥିବା ରୋଗୀ ସମ୍ପର୍କୀୟମାନଙ୍କ ଭିତରୁ ପାଟିତୁଣ୍ଡ ଶୁଭିଥିଲା। ଦୁଇ ଅଭିଯୁକ୍ତ ଧାଡ଼ିରେ ଜୋରଜବରଦସ୍ତ ପଶି ଟିକେଟ କରିବାକୁ ଚେଷ୍ଟା କରୁଥିବାରୁ ଏଭଳି ପାଟିତୁଣ୍ଡ ହୋଇଥିଲା। ତେବେ ଦୁଇ ଧୂର୍ତ୍ତ ସିକ୍ୟୁରିଟି ଅଧିକାରୀ ଶ୍ରୀ କରଙ୍କୁ ଚିହ୍ନିପାରି ସେଠାରୁ ପଳାଇବାକୁ ବସିଥିଲେ। ମାତ୍ର ସାଦା ପୋଷାକରେ ଥିବା ପୁଲିସ କର୍ମଚାରୀମାନେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ କାବୁ କରିଥିଲେ। ସୂଚନାଯୋଗ୍ୟ ଯେ ୨୦୨୨ ନଭେମ୍ବରରେ ୨୩ ଜଣ ଦଲାଲ୍ଙ୍କୁ ଏଠାରୁ ଗିରଫ କରାଯାଇଥିଲା।