ଜେଲ୍‌ ଗଲେ ୨ ବଙ୍ଗୀୟ ସାଇବର ଠକ

୪ ଲକ୍ଷ ଟଙ୍କାର ଆକାଉଣ୍ଟ ଅଚଳ, ରିମାଣ୍ଡରୁ ଖୋଲିବ ଅଧିକ ଗୁମର

ଭୁବନେଶ୍ବର: ଅନ୍‌ଲାଇନ୍‌ କାରବାର ଆଳରେ ୨ ମହିଳାଙ୍କଠାରୁ ପ୍ରାୟ ୨୫ ଲକ୍ଷ ଟଙ୍କା ଠକି ନେଇଥିବା ଦୁଇ ବଙ୍ଗୀୟ ସାଇବର ଠକଙ୍କୁ ଭୁବନେଶ୍ବର ସାଇବର ଥାନା ପୁଲିସ କୋର୍ଟ ଚାଲାଣ କରିଛି। ଗତକାଲି କୋଲକାତାରୁ ଗିରଫ ହୋଇଥିବା ଅଭିଯୁକ୍ତଦ୍ବୟ ହେଲେ ପଶ୍ଚିମବଙ୍ଗ ପୂର୍ବ ବର୍ଦ୍ଧମାନ ଯାଦବପୁରର ସାଇକତ୍‌ ପାଉଲ୍‌(୨୭) ଓ ଗାଲ୍‌ସିର ଆନନ୍ଦ ରୁଇଦାସ(୪୦)। ପୁଲିସ ସେମାନଙ୍କଠାରୁ କେତେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଓ ଠକେଇ ପାଇଁ ବ୍ୟବହୃତ ସିମ୍‌ଗୁଡ଼ିକୁ ଜବତ କରିଛି। ସେହିପରି ସେମାନଙ୍କ ବିଭିନ୍ନ ବ୍ୟାଙ୍କ ଅକାଉଣ୍ଟରେ ଥିବା ୪ଲକ୍ଷ ଟଙ୍କାକୁ ମଧ୍ୟ ଫ୍ରିଜ୍‌ କରାଯାଇଛି। ଏହି ଗ୍ୟାଙ୍ଗ୍‌ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ଲୋକଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଚୂନ ଲଗାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେଣୁ ସେମାନଙ୍କୁ ରିମାଣ୍ଡରେ ଆଣି ଜେରା କରିବା ପରେ ଅଧିକ ଗୁମର ଖୋଲିବ ବୋଲି ପୁଲିସ କହିଛି।

ପୁଲିସ ସୂଚନା ମୁତାବକ ଗତ ନଭେମ୍ବର ମାସରେ ଶୁଭସ୍ମିତା ଗୁରୁ ନାମକ ଜଣେ ମହିଳା ନୌକରି ଡଟ୍‌ କମ୍‌ରେ ନିଜର ନାମ ପଞ୍ଜୀକରଣ କରିଥିଲେ। ଅନ୍‌ଲାଇନ୍‌ରେ ବିଭିନ୍ନ କମ୍ପାନିର ଉତ୍ପାଦ କିଣାବିକା କରି ରୋଜଗାର କରିବାକୁ ସେ ବିଭିନ୍ନ ସାଇଟ୍‌ ଖୋଜିବାରେ ଲାଗିଥିଲେ। ତେବେ ସେ ଯେଉଁ ନମ୍ବରରେ ଯୋଗାଯୋଗ କରିଥି‌ଲେ, ସେଇଟି ଉକ୍ତ ଦୁଇ ସାଇବର ଠକଙ୍କ ନକଲି ସଂସ୍ଥା ଥିଲା। ଶୁଭସ୍ମିତା ଏହା ଜାଣିନପାରି ସେମାନଙ୍କ ଜାଲରେ ପଡ଼ିଯାଇଥିଲେ। ଧୂର୍ତ୍ତଦ୍ବୟ ଶୁଭସ୍ମିତାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଅନ୍‌ଲାଇନ୍‌ କିଣାବିକାରେ ପୁଞ୍ଜି ନିବେଶ କରିବା ପାଇଁ ପ୍ରବର୍ତ୍ତାଇଥିଲେ। ଅଧିକ ରିଟର୍ଣ୍ଣ ଲୋଭରେ ଶୁଭସ୍ମିତା ଶେଷରେ ୨୪ଲକ୍ଷ ଟଙ୍କା ହରାଇଥିଲେ ଏବଂ ସେତେବେଳେ ଯାଇ ବୁଝିଲେ ଯେ ସେ ସାଇବର ଠକଙ୍କ ଶିକାର ହୋଇଛନ୍ତି। ଏହା ପରେ ସେ ଭୁବନେଶ୍ବର ସାଇବର ଥାନାର ଦ୍ବାରସ୍ଥ ହୋଇଥିଲେ। ସେହିଭଳି ଅନ୍ୟ ଜଣେ ମହିଳା କୁହେଳି ଭଟ୍ଟାଚାର୍ଯ୍ୟ ମଧ୍ୟ ସମାନ ଢଙ୍ଗରେ ଉକ୍ତ ଦୁଇ ଧୂର୍ତ୍ତଙ୍କ ଜାଲରେ ଫସିଯାଇଥିଲେ। ତେବେ ସେ ୭୫ ହଜାର ଟଙ୍କା ହରାଇବା ପରେ ଠକାମିର ଶିକାର ହୋଇଥିବା ବୁଝିଯାଇଥିଲେ। ତେଣୁ ସେ ମଧ୍ୟ ସାଇବର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଦୁଇଟି ପୃଥକ ପୃଥକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା ଏବଂ ଉଭୟ ମାମଲାରେ ସମାନ ଗ୍ୟାଙ୍ଗ୍‌ର ହାତ ଥିବା ତଦନ୍ତରୁ ଜାଣିବାକୁ ପାଇଥିଲା।

କେମିତି ଠକୁଥିଲେ

ତଦନ୍ତରୁ ଜଣାପଡ଼ିଥିଲା ଯେ ଏହି ଠକମାନେ ଅନ୍‌ଲାଇନ୍‌ରେ ବିଭିନ୍ନ ସଂସ୍ଥାର ଜିନିଷ ବିକ୍ରି କରିବାକୁ ଲୋଭନୀୟ ଅଫର୍‌ ଦେଉଥିଲେ। ଯିଏ ଯେତେ ଜିନିଷପତ୍ର କିଣାବିକା କରିବ, ତାକୁ ସେତ‌େ ଅଧିକ କମିସନ ମିଳିବ ବୋଲି ପ୍ରଲୋଭନ ଦେଖାଉଥିଲେ। ଅଧିକ ବେପାର କରୁଥିବା ବ୍ୟକ୍ତି ବା ସଂସ୍ଥାକୁ ଉତ୍ତମ ରେଟିଂ ଦେବାର ବ୍ୟବସ୍ଥା ଥିଲା ଏବଂ ରେଟିଂ ଅନୁସାରେ ଭଲ କମିସନି ଦିଆଯିବ ବୋଲି କୁହାଯାଉଥିଲା। ସେମାନେ ଇନ୍‌ଷ୍ଟା, ଟେଲିଗ୍ରାମ, ହ୍ବାଟ୍ସ ଆପ୍‌ ଭଳି ସୋସିଆଲ୍‌ ମିଡିଆରେ ସେମାନଙ୍କ ସଂସ୍ଥାକୁ ପରିଚିତି କରାଇ ଲୋକଙ୍କୁ ଆକୃଷ୍ଟ କରୁଥିଲେ। ଘରେ ବସି କେବଳ ପୁଞ୍ଜି ଲଗାଇ ବେଶ୍ ଭଲ ରୋଜଗାର କରିବା ଲୋଭରେ ଅନେକ ସେମାନଙ୍କ ଫାନ୍ଦରେ ପଡ଼ିଯାଉଥିଲେ। ପ୍ରଥମେ ପ୍ରଥମେ ସେମାନେ ମୂଳ ଟଙ୍କା ସହ କିଛି କମିସନି ଦେଉଥିଲେ। ଲୋକମାନଙ୍କ ମନରେ ବିଶ୍ବାସ ଆସିବା ପରେ ଅଧିକ ପୁଞ୍ଜି ନିବେଶ କରିବାକୁ ଲୋଭ ଦେଖାଉଥିଲେ। ଲୋଭରେ ପଡ଼ି କିଛି ଲୋକ ଅଧିକ ପୁଞ୍ଜି ନିବେଶ କରୁଥିଲେ। ଏହା ପରେ ଧୂର୍ତ୍ତମାନେ ଉକ୍ତ ବ୍ୟକ୍ତିଙ୍କ ନିବେଶ ଅର୍ଥକୁ ଚଳୁ କରିବା ସହ ତାଙ୍କ ଆକାଉଣ୍ଟକୁ ବ୍ଲକ୍‌ କରିଦେଉଥିଲେ।

ସମ୍ବନ୍ଧିତ ଖବର