ଧରାପଡ଼ିଲେ ୨ ବାଇକ୍‌ ଚୋର, ୧୨ ଗାଡ଼ି ଜବତ

ପୁରୁଣା ଭୁବନେଶ୍ୱର : ଗୁରୁବାର ରାତିରେ ପାଟ୍ରୋଲିଂ କରୁଥିବା ବେଳେ ବଡ଼ଗଡ଼ ଥାନା ପୁଲିସ ୨ ବାଇକ୍‌ ଚୋରଙ୍କୁ ଗିରଫ କରିଛି। ସେମାନେ ଚୋରି କରିଥିବା ୧୨ ବାଇକ୍‌କୁ ମଧ୍ୟ ପୁଲିସ ଜବତ କରିଛି। ସମସ୍ତ ଚୋରା ବାଇକ୍‌କୁ ଉଭୟ ଝାରପଡ଼ା ଅଞ୍ଚଳର ଏକ ବସ୍ତିରେ ରଖିଥିଲେ। ସେମାନଙ୍କୁ ପଚରାଉଚରା କରିବା ପରେ ପୁଲିସ ସେଠାରେ ଚଢ଼ଉ କରିଥିଲା। ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଥାନା ସୂତ୍ରରୁ ଜଣାପଡ଼ିଛି। ଗିରଫ ବାଇକ୍‌ ଚୋର ଦ୍ବୟ ହେଲେ ବାଙ୍କୀ ଖଜୁରିପଡ଼ା ଭରତପୁରର ଗଦାଧର ବଳିଆରସିଂ(୩୨) ଓ ଗଞ୍ଜାମ ଦିଗ ପହଣ୍ଡିର ପିଣ୍ଟୁ ବେହେରା(୩୫)। ଉଭୟ ଲକ୍ଷ୍ମୀସାଗର ଥାନା ଉକ୍ତ ବସ୍ତିରେ ରୁହନ୍ତି। ପୁଲିସ ସୂଚନା ଅନୁଯାୟୀ ଉଭୟ ବିଭିନ୍ନ ଜନଗହଳୀ ସ୍ଥାନରୁ ବାଇକ୍‌ ଚୋରି କରି ବସ୍ତିରେ ଲୁଚାଇ ରଖନ୍ତି। ଗ୍ରାହକ ଠିକ୍‌ ହେବା ପରେ କମ୍‌ ମୂଲ୍ୟରେ ବାଇକ୍‌ଗୁଡ଼ିକୁ ବିକ୍ରି କରି ଦିଅନ୍ତି। ଗୁରୁବାର ରାତିରେ ଟଙ୍କପାଣି ରୋଡ୍‌ରେ ଏକ ଚୋରା ବାଇକ୍‌ ନେଇ ଯାଉଥିବା ବେଳେ ପୁଲିସ ଉଭୟଙ୍କୁ ଧରିଥିଲା।

ସମ୍ବନ୍ଧିତ ଖବର