ଶ୍ରାଦ୍ଧବାର୍ଷିକୀରେ ଗଣେଶ୍ବର ମିଶ୍ରଙ୍କ ୨ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ବର: ‘ସତୀର୍ଥ’ ପକ୍ଷରୁ ଆଜି ଗୀତଗୋବିନ୍ଦ ସଦନରେ ବିଶିଷ୍ଟ ସାହିତ୍ୟିକ ସ୍ବର୍ଗତ ଗଣେଶ୍ବର ମିଶ୍ରଙ୍କ ସପ୍ତମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି। ଏହି ସ୍ମୃତିସଭା ଅବସରରେ ସ୍ବର୍ଗତ ମିଶ୍ରଙ୍କ ଦୁଇଟି ପୁସ୍ତକ ‘ଗଣେଶ୍ବର ମିଶ୍ରଙ୍କ ସୃଜନ ସମଗ୍ର ଭାଗ-୬’ ଓ ‘ଘର ବାହୁଡ଼ା ଓ ଅନ୍ୟାନ୍ୟ ଗଳ୍ପ ସମାହାର’ ଉନ୍ମୋଚିତ ହୋଇଛି। କବୟିତ୍ରୀ ପ୍ରତିଭା ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ଅତିଥି ଭାବେ ବିଶିଷ୍ଟ ଅନୁବାଦକ ଅରୁଣ କୁମାର ମହାନ୍ତି ଯୋଗଦେଇ ସ୍ବର୍ଗତ ମିଶ୍ରଙ୍କ ସ୍ମୃତିଚାରଣ କରିଥିଲେ।

ସେ କହିଥିଲେ ଯେ ଗଣେଶ୍ୱର ମିଶ୍ର ଥିଲେ ଅନୁଭୂତିର ଶୀର୍ଷରେ। ସେହି ଦରଦୀ ମଣିଷଙ୍କଠାରୁ ମଣିଷକୁ ଭଲ ପାଇବା ଶିଖି ହୁଏ। ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ ‘ସାହିତ୍ୟର କାୟା ସିନେମାର ମାୟା’ ଶୀର୍ଷକ ଉପରେ କହିଥିଲେ। ସାହିତ୍ୟ ଓ ସିନେମାର ସଂଯୋଗୀକରଣ ପ୍ରକ୍ରିୟା ଉପରେ ଆଲୋଚନା କରି ସେ କହିଥିଲେ ଯେ ସାହିତ୍ୟ ଓ ସିନେମାର ପରିଭାଷା ସଂପୂର୍ଣ୍ଣ ଅଲଗା ଅଲଗା। ସାହିତ୍ୟକୁ ନେଇ ଖୁବ୍‌ କମ ସିନେମା ହୋଇଛି ଓ ଅଧିକାଂଶ ସିନେମା ବ୍ୟବସାୟରେ ବିଫଳ ହୋଇଛି। କାର୍ଯ୍ୟକ୍ରମରେ ଅନୁବାଦକ ଯତୀନ୍ଦ୍ର କୁମାର ନାୟକ ସ୍ବାଗତ ଭାଷଣ ଦେଇଥିବା ବେଳେ କଥାକାର ବିରାଜ ମୋହନ ଦାସ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର