କଟକ,: କରୋନା ଯୋଗୁଁ କଟକ ଜିଲ୍ଲାରେ ଅପରାଧ ସଂଖ୍ୟା ୭୦ ପ୍ରତିଶତ ହ୍ରାସ ପାଇଛି। କିନ୍ତୁ ଏହି ସମୟରେ ୨ଟି ବଧୁ ହତ୍ୟା, ୪ଟି ଗୋଷ୍ଠୀ ସଂଘର୍ଷ ଭଳି ସଂଗିନ ଅପରାଧ ଜିଲ୍ଲାରେ ଘଟିଛି। ଅନ୍ୟପଟେ କଟକ ଜିଲ୍ଲାରେ (ସହରରେ) ଏଯାଏ ମାତ୍ର ଗୋଟିଏ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଉଭୟ ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। କଟକ କମିସନରେଟ ପୁଲିସ ଅଞ୍ଚଳକୁ ବାଦ ଦେଲେ କଟକ ଜିଲ୍ଳାରେ ରହିଛି ୧୮ଟି ଥାନା। ଗଲା ମାସକ ଭିତରେ ଏହି ସବୁ ଥାନା ଅଞ୍ଚଳରେ ରୁଜୁ ହୋଇଥିବା ସଂଗିନ ମାମଲା ମଧ୍ୟରେ ରହିଛି ୨ଟି ବଧୂହତ୍ୟା, ୪ଟି ଗାଁରେ ଗୋଷ୍ଠୀ ସଂଘର୍ଷ, ମଦଦୋକନରୁ ଚୋରି, ତିଗିରିଆରେ ଅବକାରୀ କର୍ମଚାରୀଙ୍କ ଉପରକୁ ମଦମାଫିଆଙ୍କ ଆକ୍ରମଣ ଭଳି ଘଟଣା। ସୂଚନା ଅନୁଯାୟୀ ଲକ୍ଡାଉନ୍ କଟକଣାକୁ ନେଇ ବାଙ୍କୀ ଓ ଖୁଣ୍ଟୁଣୀରେ ଦୁଇ ଗାଁ ଓ ଦୁଇଟି ସାହି ଭିତରେ ସଂଘର୍ଷ ଘଟିଥିଲା। ଯେଉଁଥିରେ ବାଙ୍କୀରେ ୧୫ରୁ ଅଧିକ ଆହତ ହୋଇଥିଲେ। ପୁଲିସ ଏହି ଘଟଣାରେ ୨୧ଜଣଙ୍କୁ ଗିରଫ ମଧ୍ୟ କରିଥିଲା। ଅନ୍ୟପଟେ ଆଠଗଡ ବ୍ଲକ୍ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ରାଧାରକୃଷ୍ଣପୁର ଓ କାଳିମାଟି ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଯେଉଁଥିରେ ୫ଜଣ ଆହତ ହୋଇଥିଲେ। କଟକ ଏସ୍ପି ରାଧାବିନୋଦ ପାଣିଗ୍ରାହୀ କହିବା ଅନୁଯାୟୀ ଜିଲ୍ଲାର ପ୍ରାୟ ସବୁ ଥାନାରେ ୭୦ପ୍ରତିଶତ ଅପରାଧ କମିଛି। କିନ୍ତୁ ଲକ୍ଡାଉନ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ୫୦୬ଜଣଙ୍କ ବିରୋଧରେ ୧୮୧ଟି ମାମଲା ପୁଲିସ ରୁଜୁ କରିଛି। ୩୦୯ ବାଇକ୍, ଚାରିଚକିଆ ଯାନବାହାନ ଜବତ୍ କରାଯାଇ ୩ଲକ୍ଷ ୩ହଜାର ୫୦୦ଟଙ୍କା ଜରିମାନା ଆଦାୟ କରାଯାଇଛି। ୧୮ଟି ଅବକାରୀ ମାମଲା ମଧ୍ୟ ଏହି ସମୟରେ ବିଭିନ୍ନ ଥାନାରେ ରୁଜୁ କରାଯାଇଛି।
ଅପରାଧ ସଂଖ୍ୟା ଗୋଟିଏ ପଟେ ପୁଲିସ ପାଇଁ ଆଶ୍ବାସନାର ପ୍ରସଙ୍ଗ ହୋଇଥିବା ବେଳେ କଟକ ସହରରେ ପଟ୍ଟାପୋଲ ଅଞ୍ଚଳରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଘଟଣା କିନ୍ତୁ ଉଭୟ ପୁଲିସ ଓ ପ୍ରଶାସନର ନିଦ ହଜାଇ ଦେଇଥିଲା। ସେହି ରୋଗୀ ସୁସ୍ଥ ହୋଇ ହସ୍ପିଟାଲରୁ ଫେରି ସାରିଥିବା ବେଳେ ତାଙ୍କଠାରୁ ମଧ୍ୟ ଅନ୍ୟ କାହାକୁ ସଂକ୍ରମଣ ହୋଇ ନଥିବା ସ୍ପଷ୍ଟ ହୋଇ ସାରିଛି। କିନ୍ତୁ ପୁଲିସ ଓ ପ୍ରଶାସନ ପକ୍ଷରୁ ତୁରନ୍ତ ବକ୍ସିବଜାର ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା। ଡୋର ଟୁ ଡୋର ସର୍ଭେ କାର୍ଯ୍ୟ କରାଯାଇ ୩ଶହରୁ ଅଧିକ ସ୍ବାବ୍ ପରୀକ୍ଷା କରାଯାଇଥିଲା। ଯାଜପୁର ବ୍ରହ୍ମବରଦା ଲିଙ୍କ ଘଟଣାରେ ନିଶ୍ଚିନ୍ତକୋଇଲି ଓ ସାଲେପୁର ତହସିଲର ତିନୋଟି ଗାଁକୁ ମଧ୍ୟ ପ୍ରଶାସନ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରି ୪୦ରୁ ଅଧିକ ସ୍ବାବ୍ ପରୀକ୍ଷା କରାଯାଇଥିଲା। ରାଜ୍ୟର ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ ଭାବେ ଅଶ୍ବିନୀ ହସ୍ପିଟାଲକୁ ପ୍ରସ୍ତୁତ କରାଯାଇ ସେଠାରେ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରାଯାଉଛି। ଖୁବ୍ଶୀଘ୍ର ସିଡିଏମ୍ଓଙ୍କ ତତ୍ତ୍ବାବଧାନରେ ମାଧପୁର ସ୍ଥିତ ଜିମ୍ସାର ହସ୍ପିଟାଲରେ ୧୫୦ ଶଯ୍ୟା ଓ ୫ଟି ଆଇସିୟୁ ବିଶିଷ୍ଟ ଦ୍ବିତୀୟ ହସ୍ପିଟାଲ ଖୁବ୍ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଟାଙ୍ଗୀସ୍ଥିତ ଡ୍ରିମ୍ସରେ ମଧ୍ୟ ୫୦୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ କ୍ବାରାଣ୍ଟିନ୍ କେନ୍ଦ୍ର ପ୍ରସ୍ତୁତ କରାଯାଇଛି। କଟକ ମହାନଗର ଅଞ୍ଚଳରେ ଲକ୍ଡାଉନ୍ ସମୟରେ ହୋମ ଡେଲିଭରି, ଜ୍ବର ଓ ସଂକ୍ରମଣ ରୋଗୀଙ୍କ ଚିକିତ୍ସା ପାଇଁ ୧୦ଟି ସ୍ବତନ୍ତ୍ର ଫିବର ହସ୍ପିଟାଲ ବ୍ୟବସ୍ଥା କରାଯାଇଛି। ଛତ୍ରବଜାର, ନୂଆବଜାର, ବକ୍ସିବଜାର ପରିବା ମାର୍କେଟକୁ ଖୋଲା ପଡିଆକୁ ସ୍ଥାନାନ୍ତର କରାଯାଇଛି। ଲୋକଙ୍କୁ ଏସି, ପାଣି ପାଇପ୍ ଓ ବିଦ୍ୟୁତ ମରାମତି ସେବା ଯୋଗାଇ ଦେବା ପାଇଁ ସ୍ବୀକୃତିପ୍ରାପ୍ତ ମେକାନିକଙ୍କ ନାମ ପ୍ରଶାସନ ପକ୍ଷରୁ ଜାରି କରାଯାଇଛି। ସେମାନଙ୍କ ମଧ୍ୟରେ ଅଞ୍ଚଳ ବାଣ୍ଟି ଦିଆଯାଇଛି। ପାଖାପାଖି ୪ଶହରୁ ଅଧିକ ବିଦେଶ ଓ ରାଜ୍ୟ ବାହର ଫେରନ୍ତାଙ୍କୁ କ୍ବାରାଣ୍ଟିନ୍ରେ ରଖାଯାଇ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ସୂଚନା ଅନୁସାରେ କଟକ ସହରକୁ ଡ୍ରୋନ୍ ମାଧ୍ୟମରେ ସାନିଟାଇଜ୍ କରାଯିବାର ବ୍ୟବସ୍ଥା କରାଯାଇଛି। ଏସ୍ସିବିର ଭିଆରଡିଏଲ୍ ଲାବ୍କୁ ଗବେଷଣାଗାର ଭାବେ ପ୍ରସ୍ତୁତ କରାଯିବା ପାଇଁ ସମସ୍ତ ଯୋଜନା କରାଯାଇଛି।