ଭୁବନେଶ୍ବର : ପୁଞ୍ଜି ନିବେଶ କଲେ ପ୍ରତିଦିନ ୩ ପ୍ରତିଶତ ଚକ୍ରବୃଦ୍ଧି ହାରରେ ସୁଧ ମିଳିବ। ଏମିତି ଲୋଭନୀୟ ସୁଧହାର ଦେଖାଇ କେତେବେଳେ ବେଟିଂ ଆପ୍ରେ ତ କେତେବେଳେ ଚିଟ୍ଫଣ୍ଡରେ ପୁଞ୍ଜି ନିବେଶ କରିବା ପାଇଁ ଏଜେଣ୍ଟମାନେ ପ୍ରବର୍ତ୍ତାଉ ଥିଲେ। ପ୍ରଥମେ ପ୍ରଥମେ କିଛି ପୁଞ୍ଜି ନିବେଶକାରୀଙ୍କୁ ସେହି ହାରରେ ଅର୍ଥ ଫେରାଉଥିଲେ। ମାତ୍ର କିଛି ଦିନ ପରେ ଅର୍ଥାତ୍ ଲୋଭରେ ପଡ଼ି ଲୋକେ ଅଧିକ ଟଙ୍କା ନିବେଶ କରିବା ପରେ ଆପ୍କୁ ବ୍ଲକ୍ କରିଦିଆଯାଉଥିଲା। ଏମିତି କରି କୋଟି କୋଟି ଟଙ୍କାର ଚୁନ ଲଗାଉଥିଲା ଦୁବାଇରୁ ପରିଚାଳିତ ହେଉଥିବା ହଂକଂ ଆପ୍ ‘୧୮ ଫୁଟ୍ବଲ ଡଟ୍ କମ୍’। ଏଭଳି ଏକ ଆନ୍ତର୍ଜାତିକ ଅନ୍ଲାଇନ୍ ଠକେଇ ରୢାକେଟ୍କୁ ଇଓଡବ୍ଲୁ ଠାବ କରିଛି। ଗ୍ୟାଙ୍ଗ୍ର ଦୁଇ ଅଭିଯୁକ୍ତ ରୁସ୍ତମ୍ ଖାଁ ଓ ମହମ୍ମଦ ହାକିମ୍କୁ କୋଲକାତା ହାୱଡ଼ା ଶିବପୁରରୁ ଗିରଫ କରିଛି ଇଓଡବ୍ଲୁ। ଅଭିଯୁକ୍ତଦ୍ବୟ ହାକିମ୍ ଆଣ୍ଡ ରୁସ୍ତମ୍ ଫାବ୍ରିକ୍ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ ସଂସ୍ଥାର ନିର୍ଦେଶକ ଥିବା ଜଣାପଡ଼ିଛି। ଉଭୟଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଇବା ପରେ ୫ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ଭୁବନେଶ୍ବର ଅଣାଯାଇଛି। ସେମାନଙ୍କୁ ବ୍ରହ୍ମପୁର ଓପିଆଇଡି କୋର୍ଟରେ ହାଜର କରାଯିବ ବୋଲି ଇଓଡବ୍ଲୁ ପକ୍ଷରୁ କୁହାଯାଇଛି।
ତଦନ୍ତରୁ ଜଣାପଡ଼ିଛି ଯେ ‘୧୮ ଫୁଟ୍ବଲ ଡଟ୍ କମ୍’ ଏକ ବେଟିଂ ଆପ୍। ୨୦୨୧ ମସିହାରେ ଏହି ସଂସ୍ଥା ଭାରତର ବିଭିନ୍ନ ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ କାର୍ଯ୍ୟାଳୟ ଖୋଲାଇଥିଲା। ଏଜେଣ୍ଟମାନଙ୍କୁ ମାସିକ ଦରମା ଓ କମିସନ ଦିଆଯାଇ ନିଯୁକ୍ତି କରାଯାଇଥିଲା। ଏଜେଣ୍ଟମାନେ ଲୋକଙ୍କ ବିଶ୍ବାସଭାଜନ ହେବା ପାଇଁ ପୋଷାକ, ଖାଦ୍ୟ ବଣ୍ଟନ ଓ ବୃକ୍ଷରୋପଣ ଭଳି କାର୍ଯ୍ୟକ୍ରମ କରୁଥିଲେ। ଏଥିସହିତ ଆପ୍ରେ ପୁଞ୍ଜି ନିବେଶ କରିବା ପାଇଁ ପ୍ରବର୍ତ୍ତାଇଥିଲେ। ପୁଞ୍ଜି ନିବେଶକମାନେ ଚେନ୍ ଜରିଆରେ ଗ୍ରାହକ ଯୋଗାଡ଼ କରୁଥିଲେ। ଯେଉଁମାନେ ଚେନ୍କୁ ବଢ଼ାଇପାରୁଥିଲେ, ସେମାନଙ୍କୁ ଅଧିକ ରିଟର୍ଣ୍ଣ ମିଳୁଥିଲା। ତେବେ କେହି ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁଞ୍ଜି ନିବେଶ କଲା ପରେ ଆପ୍କୁ ବ୍ଲକ କରାଯାଇ ସମସ୍ତ ଟଙ୍କା ହଡ଼ପ୍ କରାଯାଉଥିଲା। ଜଣାପଡ଼ିଛି ଓଡ଼ିଶାର ଗଞ୍ଜାମ ଜିଲ୍ଲାରୁ ୮ଶହରୁ ଊର୍ଧ୍ବ ନିବେଶକାରୀଙ୍କଠାରୁ ୨୦ କୋଟିରୁ ଅଧିକ ଟଙ୍କା ଲୁଟ୍ ହୋଇଛି। ସେମାନେ ଅଭିଯୋଗ କରିବା ପରେ ଇଓଡବ୍ଲୁ ମାମଲା ରୁଜୁକରି ବ୍ୟାଙ୍କ୍ଗୁଡ଼ିକରେ ହୋଇଥିବା ଆର୍ଥିକ କାରବାର, ଆପ୍ ଡିଟେଲ୍ସ ଓ ବ୍ୟବହାର ହୋଇଥିବା ମୋବାଇଲ୍ ନମ୍ବରରୁ ତଥ୍ୟ ସଂଗ୍ରହ କରିଥିଲା।
ତଦନ୍ତରୁ ଜଣାପଡ଼ିଛି ଏହି ଆପ୍ ୧୫୦ରୁ ଊର୍ଧ୍ବ ଆକାଉଣ୍ଟରେ ଟଙ୍କା କାରବାର କରିଛି। ତେବେ ବର୍ତ୍ତମାନ ସୁଦ୍ଧା ଏହି ଜାଲ୍ ସଂସ୍ଥାର ୧୭ଟି ଆକାଉଣ୍ଟରେ ୧୦୮ କୋଟି ଟଙ୍କା କାରବାର ହୋଇଛି। ଥିବା ଜଣାପଡ଼ିଛି। ତେଣୁ ସବୁ ଆକାଉଣ୍ଟକୁ ହିସାବକୁ ନେଲେ ଏହି ଆପ୍ ଜରିଆରେ ପ୍ରାୟ ହଜାରେ କୋଟି ଟଙ୍କା ଠକେଇ ହୋଇଥିବା ନିଶ୍ଚିତ। ଏବେ ପ୍ରିଓଷ୍ଟି ଗ୍ଲୋବାଲ୍ ସଲ୍ୟୁସନ୍ ଓ ଅନ୍ୟ ୪ଟି ସଂସ୍ଥାକୁ ତଦନ୍ତ ପରିସରଭୁକ୍ତ କରାଯାଇଛି। ବିଦେଶ ଲିଙ୍କ୍ ଥିବାରୁ ତଥା ଦୁବାଇରେ ମାଷ୍ଟରମାଇଣ୍ଡ ଥିବା ଜଣାପଡ଼ିବା ପରେ ତାକୁ ଧରିବା ପାଇଁ ଖୁବ୍ ଶୀଘ୍ର ଇଣ୍ଟରପୋଲ୍ର ସହାୟତା ନିଆଯିବ ବୋଲି ଇଓଡବ୍ଲ୍ୟୁ ପକ୍ଷରୁ କୁହାଯାଇଛି।