ବ୍ୟାଙ୍କରୁ ୨କୋଟିରୁ ଊର୍ଧ୍ବ ଟଙ୍କା ଠକେଇ, ଆଉ ଜଣେ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: କାଗଜପତ୍ରରେ ଜାଲିଆତି କରି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ୨.୨ କୋଟି ଟଙ୍କା ଠାକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଅଭିଯୁକ୍ତ ବିଜୟ କୁମାର ପ୍ରଧାନ(୪୩)ଙ୍କୁ ଗିରଫ କରିଛି। ତାଙ୍କ ଘର ପୁରୀ ଜିଲ୍ଲା କୋଣାର୍କ ଥାନା ବାଘରୋଗଡ଼ି ଅଞ୍ଚଳରେ। ତାଙ୍କୁ ଭୁବନେଶ୍ବର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯିବା ପରେ ଝାରପଡ଼ା ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ସୂଚନା ମୁତାବକ, ୨୦୧୮ମସିହାରେ ବିଜୟ, ତାଙ୍କ ଭାଇ ବିକ୍ରମ କେଶରୀ ପ୍ରଧାନ, ଭାଉଜ ରାଜଲକ୍ଷ୍ମୀ ପ୍ରଧାନ ଓ ଶଳା ମଦନମୋହନ ପ୍ରଧାନ ଏକ ହାଇୱା ଓ ସ୍କର୍ପିଓ କିଣିବା ପାଇଁ ବ୍ୟାଙ୍କ‌ରେ ଋଣ ଆବେଦନ କରିଥିଲେ। ତେବେ ଗାଡ଼ି ନ କିଣି ବ୍ୟାଙ୍କରୁ ବଡ଼ଧରଣର ଠକେଇ ପାଇଁ ତତ୍କାଳୀନ ଶଖା ପ୍ରବନ୍ଧକ ପ୍ରସନ୍ନ କୁମାର ଜେନାଙ୍କ ସହ ଡିଲ୍‌ କରିଥିଲେ। ଜାଲ୍‌ ଆର୍‌ସି ବୁକ୍‌ ଓ ଇନ୍‌ସ୍ୟୁରାନ୍ସ କାଗଜ ଦେଇ ବ୍ୟାଙ୍କରୁ ୨.୨କୋଟି ଟଙ୍କା ଉଠାଇବାରେ ସକ୍ଷମ ହୋଇଥିଲେ। ବିକ୍ରମ ହଇୱା କିଣିବା ପାଇଁ ୪୧.୭୦ଲକ୍ଷ ଓ ୩୬ଲକ୍ଷର ଦୁଇଟି ଋଣ ନେଇଥିଲେ। ସେହିପରି ତାଙ୍କ ପତ୍ନୀ ରାଜଲକ୍ଷ୍ମୀ ସ୍କର୍ପିଓ କିଣିବା ପାଇଁ ୯ଲକ୍ଷ ଟଙ୍କା, ମଦନମୋହନ ହାଇୱା ପାଇଁ ୪୦ଲକ୍ଷ ଟଙ୍କା ଏବଂ ବିଜୟ ୪୦ଲକ୍ଷ ଓ ୩୬ଲକ୍ଷ ଟଙ୍କାର ଦୁଇଟି ଋଣ ନେଇଥିଲେ। ପରବର୍ତ୍ତୀ ସମୟରେ ଏମାନେ ଋଣ ବାବଦକୁ କିସ୍ତି ଦେଇ ନଥିଲେ। ତେବେ ଅଡିଟ୍‌‌ରେ ସମସ୍ତ ଘଟଣା ପଦାକୁ ଆସିବା ପରେ ବ୍ୟାଙ୍କର ଆଞ୍ଚଳିକ ମହାପ୍ରବନ୍ଧକ ଦେବଦତ୍ତ ନନ୍ଦ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ। ଇଓଡବ୍ଲ୍ୟୁ ନଂ-୨୩ ଆଇପିସି ଦଫା ୪୨୦/୪୦୬/୪୬୭/୪୬୮/୪୭୧‌ ଏବଂ ୧୨୦(ବି)ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ଇଓଡବ୍ଲ୍ୟୁର ଏକ ଟିମ୍‌ ବିକ୍ରମର ପୁରୀସ୍ଥିତ ଘରେ ଚଢ଼ଉ କରି ସେଠାରୁ ତାଙ୍କୁ ଗିରଫ କରିଥିଲା। ସୂଚନାଯୋଗ୍ୟ, ଇଓଡବ୍ଲ୍ୟୁ ପୂର୍ବରୁ ପୂର୍ବତନ ଶାଖା ପ୍ରବନ୍ଧକ ପ୍ରସନ୍ନ ଜେନା, ବିକ୍ରମ କେଶରୀ ପ୍ରଧାନ, ରାଜଲକ୍ଷ୍ମୀ ପ୍ରଧାନ ଏବଂ ମଦନମୋହନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର