ଏଟିଏମ୍‌ରୁ ୨ କୋଟି ଆତ୍ମସାତ୍‌!

ଖଣ୍ଡଗିରି: ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବା ବେଳେ ସଂସ୍ଥାର ଜ‌ଣେ କର୍ମଚାରୀ ସେଥିରୁ କୋଟି କୋଟି ଟଙ୍କା ଆତ୍ମସାତ୍ କରିବା ଭଳି ଏକ ମାମଲାର ପର୍ଦାଫାସ୍‌ ହୋଇଛି। ଘଟଣା ଜଣାପଡ଼ିବା ପରେ ଅଭିଯୁକ୍ତ କର୍ମଚାରୀ ନିଜକୁ ଗୁଳି କରି ଆତ୍ମହତ୍ୟା କରିବାକୁ ‌ଚେଷ୍ଟା କରି ବିଫଳ ହୋଇଛନ୍ତି। ସେ ହେଉଛନ୍ତି, ପୁରୀ ଜିଲ୍ଲା ନିମାପଡ଼ା ସାତପୁରୀ ଗାଁର ମୀନକେତନ ପରିଜା। ଗତ ୧୨ତାରିଖରେ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଓ ସୌଭାଗ୍ୟକୁ ଗୁଳିଟି ମୁଣ୍ଡରେ ନପଶି କାନ ମୁଣ୍ଡା ଦେଇ ଅତିକ୍ରମ କରିଯିବାରୁ ସେ ବଞ୍ଚି ଯାଇଛନ୍ତି। ତାଙ୍କ ଆତ୍ମହତ୍ୟା ଉଦ୍ୟମ ପରେ ଉକ୍ତ ସଂସ୍ଥା ପକ୍ଷରୁ୧୪ ତାରିଖ ରାତିରେ ଜଟଣୀ ଥାନାରେ ଅଭିଯୋଗ କରାଯାଇଛି ଓ ପୁଲିସ ମୀନକେତନଙ୍କ ବିଭିନ୍ନ ଠିକଣାରେ ଚଢ଼ଉ କରି ଆତ୍ମସାତ ଟଙ୍କାରେ କିଣା ଯାଇଥିବା ୪ଟି ଦାମୀ ଗାଡ଼ି ଜବତ କରିଛି। ସେଥିରେ ଇନୋଭା, ହୋଣ୍ଡା ସିଟି, କେଟିଆର୍ ୨୦୦ ସିସି ବାଇକ୍‌ ଓ ଗୋଟିଏ ଡିଜେ ପାଇଁ ଆଇଚର୍‌ ମିନିଟ୍ରକ୍ ରହିଛି। ଅଧିକ ତଦନ୍ତ ଜାରି ରହିଛି ଓ ଏହି ମାମଲାରେ ଏକ ରୢାକେଟ୍‌ ଜଡ଼ିତ ଥିବା ପୁଲିସ ସୂଚନା ଦେଇଛି।

ସୂଚନାନୁସାରେ ମୀନକେତନ ସିକ୍ୟୁଅର୍ ଭାଲ୍ୟୁ ଅଫ୍ ଇଣ୍ଡିଆ ଲିମିଟେଡ୍‌ରେ କ‌ାମ କରନ୍ତି। ଏହି ସଂସ୍ଥା ଜଟଣୀ ଓ ଖୋର୍ଧା ସହର ଏବଂ ଆଖପ‌‌ା‌ଖ ଏଟିଏମ୍‌ମାନଙ୍କରେ ଟଙ୍କା ଭର୍ତ୍ତି କରିଥାଏ। ଗତ ୩ବର୍ଷ ହେଲା ମୀନକେତନ ଏହି ଦାୟିତ୍ବର ମୁଖ୍ୟ ଭାବେ କାମ କରି ଆସୁଥିଲେ। କିନ୍ତୁ ସେ ଟଙ୍କା ଭର୍ତ୍ତି କଲା ବେଳେ ଧାର୍ଯ୍ୟ ଟଙ୍କାରୁ କିଛି ନିଜ ପାଖରେ ରଖି ଦେଇଥାଆନ୍ତି। ଟଙ୍କା ଭର୍ତ୍ତି କଲା ବେଳେ ଅନ୍ୟ କର୍ମଚାରୀମାନଙ୍କୁ ସେ ଏଟିଏମ୍ ବାହାରେ ଅପେକ୍ଷା କରିବାକୁ କହି ନିଜେ ଏକାକୀ ଏଭଳି କାଣ୍ଡ କରନ୍ତି। ତେଣୁ ଅନ୍ୟମାନେ ଏ ବାବଦରେ କୌଣସି ଟେର୍ ପାଇନଥିଲେ। ଏମିତିକି ଅଡିଟ୍‌ ବେଳେ ଏଟିଏମ୍‌ରୁ ଟଙ୍କା ନିଅଣ୍ଟ ପଡ଼ୁଥିବା ଜଣାପଡ଼ୁଥିଲେ ବି ମୀନକେତନ ବଡ଼ ଚତୁରତାର ସହ ନିଜ ମୁଣ୍ଡରୁ ଦୋଷ ଖସାଇ ଦେବାରେ ସକ୍ଷମ ହେଉଥିଲେ। ହ୍ୟାକର୍‌ମାନଙ୍କ ପାଇଁ ଏମିତି ହେଉଥିବ ବୋଲି କହି ସେ ଖସି ଯାଉଥିଲେ। କିନ୍ତୁ ତାଙ୍କ ଉପରେ ଉପରିସ୍ଥ ଅଧିକାରୀମାନଙ୍କ ସନ୍ଦେହ ହୋଇଥିଲା ଓ ଗତ କିଛି ଦିନ ହେଲା ତାଙ୍କ ଉପରେ କଡ଼ା ନଜର ରଖାଯାଇଥିଲା। କିନ୍ତୁ ମୀନକେତନ ଏହା ଜାଣି ପାରିଥିଲେ ଓ ଖୁବ୍‌ ଶୀଘ୍ର ଧରାପଡ଼ିଯିବେ ବୋଲି ନିଶ୍ଚିତ ହୋଇଯାଇଥିଲେ। ତେଣୁ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ସେ ଗତ ୧୨ ତାରିଖ ଦିନ ଜଟଣୀରୁ ଫେରିବା ବେଳେ ବାଟରେ ନିଜ ସୁରକ୍ଷା କର୍ମୀଙ୍କ ବନ୍ଧୁକ ଛଡ଼ାଇ ଆଣି ନିଜକୁ ଗୁଳି କରିଥିଲେ। ମାତ୍ର ସୁରକ୍ଷା କର୍ମୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଗୁଳିଟି ମୁଣ୍ଡରେ ନ ପଶି କାନମୁଣ୍ଡା କଡ଼ ଦେଇ ଚାଲି ଯାଇଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ଭୁବ‌ନେଶ୍ବର ଏମ୍‌ସରେ ଭର୍ତ୍ତି କରାଯାଇଥିଲା।

ଏହା ପରେ ଗତ ୧୪ ତାରିଖ ରାତିରେ ଉକ୍ତ ସଂସ୍ଥା ପକ୍ଷରୁ ଜଟଣୀ ଥାନାରେ ଅଭିଯୋଗ କରାଯାଇଥିଲା। ମୀନକେତନ ପ୍ରାୟ ୨କୋଟି ଟଙ୍କା ଆତ୍ମସାତ କରିଛନ୍ତି ବୋଲି ସନ୍ଦେହ କରି ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଜଟଣୀ ଥାନା ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଉପରୋକ୍ତ ଗାଡ଼ି ସବୁ ଜବତ କରିଛି। ଆତ୍ମସାତ୍ ଟଙ୍କାରେ ସେ କରିଥିବା ଆହୁରି କିଛି ସମ୍ପତ୍ତି ଜବତ ହେବାର ସମ୍ଭାବନା ଥିବା ଜଣାପଡ଼ିଛି। ତେବେ ଏହି କଳା କାରନାମାରେ ସେ ଏକାକୀ ଅଛନ୍ତି କି ଅନ୍ୟ ‌କେହି ଅଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ। ପୁଲିସ ମୀନକେତନ ସହ ଯାଉଥିବା କର୍ମଚାରୀମାନଙ୍କୁ ପଚରାଉଚରା ଚଳାଇଛି। ବଡ଼ କଥା ହେଉଛି, ଏତେ ବର୍ଷ ଧରି ସେ ଏତେ ଟଙ୍କା ଆତ୍ମସାତ କରିବା ପର୍ଯ୍ୟନ୍ତ କଥା ଗଲା କେମିତି? ପୁଣି ଅଡିଟ୍‌ ବାବଦରେ ତାଙ୍କୁ କିଏ ସୂଚନା ଦେଲା ଯେ ସେ ଖସିବା ବାଟ ନପାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କଲେ। ଯଦି ଅଡିଟ୍‌ରୁ ସତ ଜଣାପଡ଼ିଥିଲା, ତେବେ ତାଙ୍କ ନାମରେ ପୁଲିସରେ ଅଭିଯୋଗ କରାଯିବାରେ ବିଳମ୍ବ ହେଲା କାହିଁକି? ଯଦି ତାଙ୍କ ଆତ୍ମହତ୍ୟା ଉଦ୍ୟମ ସଫଳ ହୋଇ ଥାଆନ୍ତା, ତେବେ ତାଙ୍କ ମୃତ୍ୟୁ ପାଇଁ କିଏ ଦାୟୀ ରହିଥାଆନ୍ତା? ଏମିତି ବିଭିନ୍ନ ପ୍ରଶ୍ନ ଏବେ ଏହି ମାମଲାକୁ ଅଧିକ ଜଟିଳ କରିଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର