ଭୁବନେଶ୍ବର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ଆଦିବାସୀ ମେଳା ଆଜି ୭ମ ଦିନରେ ପହଞ୍ଚିଛି। ଦିନକୁ ଦିନ ମେଳାର ଲୋକପ୍ରିୟତା ବଢ଼ିଥିବା ବେଳେ ଏଠାର ପାରମ୍ପରିକ ସାମଗ୍ରୀ ଓ ଖାଦ୍ୟ ଲୋକଙ୍କୁ ନିଜ ଆଡ଼କୁ ବେଶ୍ ଆକର୍ଷିତ କରୁଛି। ଫଳସ୍ବରୂପ ମେଳାର ମାତ୍ର ୬ ଦିନରେ ୨ କୋଟିରୁ ଅଧିକ ଟଙ୍କାର ବ୍ୟବସା‌ୟ ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ଚଳିତ ଥର ମେଳା ପରିସରରେ ଫୁଡ୍‌ କୋର୍ଟ ଖୋଲିନଥିଲେ ମଧ୍ୟ ଆଦିବାସୀଙ୍କ ହାତ ତିଆରି ରାଶି ଲଡ଼ୁ, ବାଦାମ ଲଡ଼ୁ, ମୁଆଁ ଲଡ଼ୁ, ଖସ୍‌କା, ଖଜୁରୀ ପିଠା, ସାରୁ ଚିପ୍ସ, କନ୍ଦମୂଳ ଚିପ୍ସ ଓ ବାଉଁଶ କରଡ଼ି ଆଚାର ଆଦିର ବେଶ୍‌ ଆଦରରେ ରହିଛି।

Advertisment

ଆଜି ସଂଧ୍ୟାରେ ଆୟୋଜିତ ଜନଜାତି ନୃତ୍ୟରେ ବଣାଇଁ ଅଞ୍ଚଳରୁ ଆସିଥିବା ‘ମୁଣ୍ଡାରୀ’ ଓ ‘କିଷାନ୍‌’ମାନଙ୍କ ନୃତ୍ୟ ପ୍ରଦର୍ଶିତ ହୋଇଥିଲା। ଓଡ଼ିଶା ଓ ଝାଡ଼ଖଣ୍ଡ ଶୈଳୀର ମିଳିତ ରୂପ ଦର୍ଶକଙ୍କୁ ବେଶ୍‌ ଆମୋଦିତ କରିଥିଲା। ସେହିପରି କେନ୍ଦୁଝରର ସାନ୍ତାଳ ଓ ହୋ ଜନଜାତିମାନଙ୍କ ନୃତ୍ୟଶୈଳୀ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଦେଇଥିଲା। କଳାହାଣ୍ଡିରୁ ଆସିଥିବା ଘୁମୁରା ଓ ଢାପ ନୃତ୍ୟ ପ୍ରଦର୍ଶନ ଆକର୍ଷଣୀୟ ଥିଲା। ଆଜିର କାର୍ଯ୍ୟକ୍ରମରେ ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା ଉପସ୍ଥିତ ରହି ଜାତୀୟ ଜନଜାତି କଳାସାମାଗ୍ରୀ ପ୍ରଦର୍ଶନୀରେ ସ୍ବକୀୟ ଜ୍ଞାନ ଆଧାରିତ କଳାସାମଗ୍ରୀ ପ୍ରସ୍ତୁତ କରୁଥିବା କାରିଗରଙ୍କୁ ପୁରସ୍କୃତ କରିଥିଲେ।

ବୟନକଳାରେ ତାମିଲନାଡ଼ୁର ଟୋଡା ବୟନ କଳା ପ୍ରଥମ ସ୍ଥାନ ଗ୍ରହଣ କରିଥିବା ବେଳେ ଓଡ଼ିଶାର କୁଲିସ୍‌ ବୟନକଳା ଦ୍ବିତୀୟ ସ୍ଥାନ ଅଧିକାର କରିଥିଲା। ସେହିପରି ଚିତ୍ରକଳାରେ ଆନ୍ଧ୍ରପ୍ରଦେଶର ଶବର ଚିତ୍ରକଳା ପ୍ରଥମ ଓ ରାଜସ୍ଥାନ ଭିଲ ଚିତ୍ରକଳା ଦ୍ବିତୀୟ, ବାଉଁଶ କାରିଗରୀରେ କେରଳର କୁରୁମା ବାଉଁଶ କାରିଗରୀ ପ୍ରଥମ ଓ ଓଡ଼ିଶାର ମାଙ୍କିଡ଼ିଆ ଜନଜାତିଙ୍କ ଶିଆଳିକତାର କଳାସାମଗ୍ରୀ ଦ୍ବିତୀୟ ଏବଂ ଲାଖ କଳାରେ ଓଡ଼ିଶାର ବାଥୁଡ଼ି ଓ ସାନ୍ତାଳ ଲାଖକଳା ପ୍ରଥମ ଓ ଅଳଙ୍କାରରେ ଝାଡ଼ଖଣ୍ଡ ଓରାଓଙ୍କ ଅଳଙ୍କାର ଦ୍ବିତୀୟ ପୁରସ୍କାର ପାଇଥିଲେ।