ବାରିପଦା: ବାରିପଦାରେ ବଡ଼ଧରଣର ଅନ୍ଲାଇନ୍ ଠକେଇ ସାମନାକୁ ଆସିଛି। ସହରରେ ୧୨ ହଜାରରୁ ଅଧିକ ଲୋକଙ୍କ ୨କୋଟି ଟଙ୍କାରୁ ଅଧିକ ଉଡ଼ିଯାଇଛି। କିଛି ଲୋକ ଅଧିକ ଲୋଭରେ ତଳିତଳାନ୍ତ ହୋଇ ଯାଇଛନ୍ତି। ‘ହ୍ୟୁଜ୍’ ନାଁରେ ଏକ ନକଲି ୱେବ୍ସାଇଟ୍ ଜରିଆରେ ଏହି ଠକେଇ ହୋଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ଏକ ଠକ କମ୍ପାନି ‘hugeadvideo55.com’ ନାମରେ ନକଲି ୱେବ୍ସାଇଟ୍ ଖୋଲି କାରବାର ଆରମ୍ଭ କରିଥିଲା। କଟକ ଦରଘାବଜାର ଭଳି ବାରିପଦା ସହରର ସିମେଣ୍ଟ ମାର୍କେଟ୍ ଅଞ୍ଚଳର ଜଣେ ବ୍ୟବସାୟୀ ପ୍ରଥମେ ଏହି ସାଇଟ୍ର ପ୍ରଚାର ଆରମ୍ଭ କରିଥିଲେ। ତାଙ୍କଠାରୁ ସାରା ସହରକୁ ଏହା ଚେନ୍ ମାର୍କେଟିଂ ଭଳି ବ୍ୟାପି ଯାଇଥିଲା। ହ୍ୱାଟସ୍ଆପ୍ ଏବଂ ଅନ୍ୟ ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମରେ ବ୍ୟାପକ ଭାବେ ପ୍ରଚାରିତ ହେବା ସହ ମାସ କେଇଟା ଭିତରେ ସହରର ୧୨ ହଜାରରୁ ଅଧିକ ଲୋକ ଏଥିରେ ଯୋଡ଼ି ହୋଇଥିଲେ। ସାଇବର୍ ଠକେଇର ଶିକାର ହୋଇଥିବା ଜଣେ ବ୍ୟକ୍ତିଙ୍କ କହିବା ଅନୁଯାୟୀ ପ୍ରଥମେ କିଛି ଟଙ୍କା ନେଇ ଲୋକଙ୍କୁ ଯୋଡ଼ା ଯାଉଥିଲା। ଏହାପରେ ଦୈନିକ ୨୫ରୁ ୩୦ ପ୍ରମୋସନାଲ୍ ବିଜ୍ଞାପନ ଦେଖିବାକୁ କହି ୬୦୦ରୁ ୭୦୦ ଟଙ୍କା ଦିଆଯାଉଥିଲା। ୟୁଜର୍ ଚାହିଲେ, ଉକ୍ତ ଆକାଉଣ୍ଟରୁ ସହଜରେ ଟଙ୍କା ଉଠାଇ ପାରୁଥିଲେ। ଏଥିସହ ସ୍ୱାଧୀନତା ଦିବସ ଓ ଅନ୍ୟ ପର୍ବପର୍ବାଣିରେ ‘ରେଡ୍ ଏନ୍ଭଲପ୍’ ନାମରେ ୯୯ ଟଙ୍କାରୁ ଆରମ୍ଭ କରି ୫ ଲକ୍ଷ ୯୦ ହଜାର ଟଙ୍କା ଯାଏଁ ନଗଦ ପୁରସ୍କାରର ଲୋଭ ଦେଖାଯାଉଥିଲା।
ମୋବାଇଲ୍ର ତଥ୍ୟ ବି ଚୋରି ହୋଇଛି
ଡାର୍କୱେବ୍ରେ ବିକ୍ରି ହୋଇଥିବା ସନ୍ଦେହ
ଲିଙ୍କ କ୍ଲିକ୍ କରି ପୁରସ୍କାର ଦାବି କରିବାକୁ ଉତ୍ସାହିତ କରାଯାଇଥିଲା। ତେବେ ଅସଲରେ ୟୁଜର୍ମାନେ ଏହି ଲିଙ୍କ୍ରେ କ୍ଲିକ୍ କରିବା ପରେ ସାଇବର୍ ଠକମାନେ ସେମାନଙ୍କ ଆକାଉଣ୍ଟ ହ୍ୟାକ୍ କରିବା ସହ ମୋବାଇଲ୍ରୁ ଟଙ୍କା ସହ ଅନେକ ଗୁରୁତ୍ବପୂର୍ଣ୍ଣ ବିବରଣୀ ଚୋରି କରି ନେଉଥିଲେ। ଏଭଳି ଭାବେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ଠକିନେବା ପରେ ପ୍ରାୟ ସପ୍ତାହେ ପୂର୍ବେ ଉକ୍ତ ୱେବ୍ସାଇଟ୍ ବନ୍ଦ ହୋଇଯାଇଛି। ଏହାପରେ ସାଇଟ୍ ଖୋଲିବାକୁ ୟୁଜର୍ଙ୍କୁ ୪୫୦୦ ଟଙ୍କା ମାଗାଯାଉଛି। ଯେଉଁମାନେ ଟଙ୍କା ଦେଉଛନ୍ତି, ପରେ ସେମାନଙ୍କ ଆକାଉଣ୍ଟ ଫ୍ରିଜ୍ ହୋଇଯାଉଥିବା ଜଣାପଡ଼ିଛି। ସାଇବର୍ ଠକମାନେ ମୋବାଇଲ୍ରୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଚୋରି କରି ଡାର୍କୱେବ୍ରେ ବିକ୍ରି କରି ଦେଇଥିବା ଆଶଙ୍କା କରାଯାଉଛି। ସାଇବର ଥାନା ଅଧିକାରୀ ପ୍ରଦୀପ ମାଝୀ କହିଛନ୍ତି ଖବର ପାଇଛୁ; ହେଲେ କେହି ଲିଖିତ ଅଭିଯୋଗ କରିନାହାନ୍ତି।