ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ କର୍ମତତ୍ପର ଯୋଜନା (ମୁକ୍ତା)ରେ ବଡ଼ ଦୁର୍ନୀତି ସାମନାକୁ ଆସିଛି। ବିଏମ୍ସି ୫୨ ନମ୍ବର ୱାର୍ଡ ନବୀନ ନିବାସ ପାଖରେ ଚାଲିଥିବା ସ୍ପ୍ରିଙ୍ଗ୍ ଟ୍ୟାଙ୍କ୍ ଜଳାଶୟର ପୁନର୍ବିକାଶ କାମ ନିର୍ବାଚନ ପରଠୁ ବନ୍ଦ ହୋଇ ପଡ଼ିରହିଛି। ସମ୍ପୂର୍ଣ୍ଣ କାମ ନକରି କେବଳ ପୋଖରୀଟିଏ ଖୋଳି ୨ କୋଟି ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି।
ପୂର୍ବ ସରକାର ସମୟରେ ରାଜଧାନୀରେ ଜଳାଶୟ ବିକାଶ ନାଁରେ କୋଟି କୋଟି ଟଙ୍କା ବିଏମ୍ସି ଖର୍ଚ୍ଚ କରିଥିଲା। ସେଥିରେ ୫୨ ନମ୍ବର ୱାର୍ଡର ଭୀମପୁର ପୋଖରୀ ପୁନରୁଦ୍ଧାର ଏବଂ ବର୍ଷା ଦିନେ ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ ଭୀମପୁର ପୋଖରୀ କଡ଼ରେ ଯାଇଥିବା ୭ ନମ୍ବର ଡ୍ରେନ୍କୁ ଅଧିକ ଚଉଡ଼ା ଓ ସଫା କରିବାକୁ ଯୋଜନା ହୋଇଥିଲା। ଏଥିପାଇଁ ବିଏମ୍ସି ୩କୋଟି ୧୫ ଲକ୍ଷ ଟଙ୍କା ବ୍ୟୟବରାଦ କରିଥିଲା। ୧୫ ଜଣ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ଏହି କାମକୁ ବଣ୍ଟା ଯାଇଥିଲା। ୨୦୨୩ ମସିହା ଜୁଲାଇ ମାସରେ ଏନେଇ ଟେଣ୍ଡର ଆହ୍ବାନ କରାଯାଇଥିଲା। ଏସ୍ଏଚ୍ଜି କାମ ପାଇଲେ ସତ କିନ୍ତୁ କିଛି କମିସନ ବଦଳରେ ତତ୍କାଳୀନ ଶାସକ ଦଳର ରାଜନେତା ଓ ଠିକାଦାର ଏହି କାମ କରିଥିବା ଅଭିଯୋଗ ହୋଇଥିଲା। ଯୋଜନାନୁସାରେ ୪ ଏକରରୁ ଅଧିକ ଏହି ସ୍ଥାନରେ ଥିବା ପୋଖରୀରୁ ପଙ୍କ ଉଦ୍ଧାର ସହ ଅଧିକ ଚଉଡ଼ା ଓ ଗଭୀର କରାଯାଇଥାନ୍ତା। ଚାରି ପାଖରେ ପଥର ପ୍ୟାକିଂ ସହ ପୋଖରୀ ହୁଡ଼ାରେ ଫୁଲ ଗଛ ଲାଗିଥାନ୍ତା। ଲୋକଙ୍କ ବସିବା ପାଇଁ ଚେୟାର, ଆଲୋକ ବ୍ୟବସ୍ଥା, ଘାସ ଗାଲିଚା, ଫଳ ବଗିଚା, ପୋଖରୀ ଚାରି ପାଖ ଷ୍ଟିଲ୍ ବାଡ଼ ସହ ଭିତରେ ବୋଟିଂ କରିବାକୁ ଯୋଜନା କରାଯାଇଥିଲା। ହେଲେ କେବଳ ପୋଖରୀ ଖୋଳା ପରେ ବାକି ସବୁ କାମ ହୋଇପାରିନାହିଁ।
୭ ନମ୍ବର ଡ୍ରେନ୍ ଅଣଓସାରିଆ ଥିବାରୁ ବର୍ଷା ଦିନେ ଉଦ୍ବୃତ୍ତ ଜଳ ନିଷ୍କାସନ ପାଇଁ ସମୟ ଲାଗିଥାଏ। ତେଣୁ ନିୟୁ ଫରେଷ୍ଟ ପାର୍କ, ଭୀମପୁର, ଏୟାରପୋର୍ଟ ଅଞ୍ଚଳ, ରଥରୋଡ, ବ୍ୟାଙ୍କ୍ କଲୋନି ପ୍ରମୁଖ ଅଞ୍ଚଳରେ ରାସ୍ତାରେ ଡ୍ରେନ୍ ପାଣି ମାଡ଼ିଯାଏ। ତେଣୁ ଏହି ଯୋଜନାରେ ୭ ନମ୍ବର ଡ୍ରେନ୍ ଚଉଡ଼ା କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଏହି କ୍ରମରେ ଡ୍ରେନ୍ ମଝିରେ ଏକ ୱାଟର ଚ୍ୟାନେଲ୍ କରାଯାଇ ତା’ର ଚାରି ପାଖରେ କାନା ଇଣ୍ଡିକା, ବାଉଁଶ, ଏଲିଫାଣ୍ଟା ଏରା ଆଦି ଗଛ ଲଗାଯାଇ ପ୍ରାକୃତିକ ଉପାୟରେ ପାଣିକୁ ବିଶୋଧନ କରାଯିବାକୁ ଯୋଜନା ହୋଇଥିଲା। ପ୍ରତି ୱାଟର ଚ୍ୟାନେଲ୍ରେ ପଥର ୱାଲ୍ କରାଯାଇ ଦୂଷିତ ପାଣିକୁ ପ୍ରାକୃତିକ ଉପାୟରେ ବିଶୋଧନ କରାଯାଇଥାନ୍ତା। କିନ୍ତୁ ଏସବୁ କିଛି ହୋଇପାରିନାହିଁ। ବିଜେଡି ସରକାର ଯିବା ପରେ ମୁକ୍ତା ଯୋଜନା ବନ୍ଦ ହେବା ଅବସ୍ଥାରେ। ତେଣୁ ପୂର୍ବରୁ ଟେଣ୍ଡର ହୋଇଥିବା ଟଙ୍କାରେ କେବଳ ପୋଖରୀ ଖୋଳା ଯାଇଥିବା ବେଳେ ଅନ୍ୟ କୌଣସି କାମ ହୋଇନାହିଁ। ଏବେ ପୋଖରୀ ଓ ଏହାର ଚତୁଃପାର୍ଶ୍ବ ପୁଣି ବଣ ଜଙ୍ଗଲରେ ପରିଣତ ହେଲାଣି। ଏନେଇ ବିଏମ୍ସି ଡ୍ରେନେଜ୍ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରିୟବ୍ରତ ବେହେରା କହିଛନ୍ତି, ମୁକ୍ତା ଯୋଜନାରେ ସେଠାରେ ୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ମୁକ୍ତା ଯୋଜନା ବନ୍ଦ ହୋଇଯାଇଥିବାରୁ କାମ ଆଉ ଆଗକୁ ବଢ଼ି ପାରିନାହିଁ।