ସାଲିଆସାହିରେ ଘାତକ ହେଉଛି ଡେଙ୍ଗୁ : ୨ ଦିନରେ ନେଲାଣି ୨ ମୁଣ୍ଡ

ଚେଇଁ ଶୋଇଛି ସ୍ୱାସ୍ଥ୍ୟ ବିଭାଗ

ଚନ୍ଦ୍ରଶେଖରପୁର: ସାଲିଆସାହିରେ ମୁଣ୍ଡ ପରେ ମୁଣ୍ଡ ନେଉଛି ଡେଙ୍ଗୁ। ଦୁଇ ଦିନରେ ଦୁଇ ଜଣଙ୍କ ମୁଣ୍ଡ ଗଡ଼ିଲାଣି। ଗତକାଲି ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ଦୀନବନ୍ଧୁ ଖିଲାର (୨୭) ନାମକ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଗତ ୨୫ଦିନ ମଧ୍ୟରେ ସାଲିଆସାହିରେ ଅତି କମ୍‌ରେ ୫ଜଣ ଡେଙ୍ଗୁରେ ପ୍ରାଣ ହରାଇଲେଣି। ମାତ୍ର ସ୍ୱାସ୍ଥ୍ୟ ବିଭାଗ ଏସବୁକୁ ଡେଙ୍ଗୁଜନିତ ମୃତ୍ୟୁ ବୋଲି ମାନିବାକୁ ନାରାଜ। ଅନ୍ୟ ଜ୍ୱର ଯୋଗୁଁ ଏହି ମୃତ୍ୟୁ ହେଉଥିବା କହି ଖସିଯିବାକୁ ବସିଛନ୍ତି। ଏପରିକି ଆକ୍ରାନ୍ତ ଯେଉଁ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି ସେଠାରୁ ରିପୋର୍ଟ ମଧ୍ୟ ଆଣୁ ନାହାନ୍ତି। ଡେଙ୍ଗୁ ଏମିତି ଘାତକ ରୂପ ନେଇ ଚାଲିଥିବା ବେଳେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଏକପ୍ରକାର ଖାମଖିଆଲି ଆଚରଣ କରୁଛନ୍ତି।

ସୂଚନା ଅନୁସାରେ, ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନାର ମୂଳନିବାସୀ ଦୀନବନ୍ଧୁ ସାଲିଆସାହିର ମେଫେୟାର ବସ୍ତିରେ ରହୁଥିଲେ। ଗତ ଅକ୍ଟୋବର ୩୦ତାରିଖରୁ ସେ ଡେଙ୍ଗୁରେ ଆକ୍ରାନ୍ତ ହୋଇ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ଅବସ୍ଥା ଗୁରୁତର ହେବାରୁ ତିିନି ଦିନ ପରେ ତାଙ୍କୁ କଟକ ବଡ଼ ମେଡିକାଲର ଡେଙ୍ଗୁ ଓ୍ଵାର୍ଡ଼କୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ଆଜି ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି। କେବଳ ଦୀନବନ୍ଧୁ ନୁହନ୍ତି, ଗତକାଲି କଳାବତୀ ବେହେରା ନାମକ ଜଣେ ମହିଳା ମଧ୍ୟ ଡେଙ୍ଗୁରେ ପ୍ରାଣ ହରାଇଥିଲେ। ଏହାକୁ ମିଶାଇ ଦୁଇ ଦିନରେ ସାଲିଆସାହିରେ ଦୁଇଟି ମୁଣ୍ଡ ଗଡ଼ିଛି।

ବିଡ଼ମ୍ବନା ହେଲା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଏହାକୁ ଡେଙ୍ଗୁ ଜନିତ ମୃତ୍ୟୁ ବୋଲି ମାନୁନାହାନ୍ତି। ତଦନ୍ତ ପରେ ଏହା ଡେଙ୍ଗୁ ଜନିତ ମୃତ୍ୟୁ କି ନୁହେଁ ତାହା ସ୍ପଷ୍ଟ ହେବ ବୋଲି ଜନସ୍ୱାସ୍ଥ୍ୟ ବିଭାଗର ଅଧିକାରୀ କହୁଛନ୍ତି। ତେବେ ମୃତବ୍ୟକ୍ତିଙ୍କ ସଂପର୍କରେ ତଦନ୍ତ ହୋଇଛି କି ନାହିଁ ତାହା ମଧ୍ୟ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ କହିପାରୁ ନାହାନ୍ତି। ଏପରିକି ଗତକାଲି ଏସ୍‌ସିବିରେ ଡେଙ୍ଗୁରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ରିପୋର୍ଟ ଏ ପର୍ଯ୍ୟନ୍ତ ଜନସ୍ୱାସ୍ଥ୍ୟ ନିର୍ଦେଶାଳୟରେ ମଧ୍ୟ ପହଞ୍ଚି ନାହିଁ। ବିଏମ୍‌ସିର ବରିଷ୍ଠ ଅଧିକାରୀମାନେ ସାଲିଆସାହିରେ ବିଏମ୍‌ସି ନିଜ ଦାୟିତ୍ୱ ଠିକ୍‌ ଭାବରେ ନିର୍ବାହ କରୁଥିବା କହୁଛନ୍ତି। ଅପରପକ୍ଷରେ ସ୍ୱାସ୍ଥ୍ୟ ବିଭାଗ ଅପରିଷ୍କାର ପରିବେଶ ପାଇଁ ଡେଙ୍ଗୁ ବ୍ୟାପୁଥିବା କହି ବିଏମ୍‌ସି ଉପରେ ଦୋଷ ଲଦିଛି। ତେବେ ସ୍ଥାନୀୟ ଜନପ୍ରତିନିଧିମାନେ ଏହି ଘଟଣା ପାଇଁ ତତ୍ପରତା ପ୍ରକାଶ ନ କରିବାକୁ ନେଇ ମଧ୍ୟ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି। ଜନସ୍ୱାସ୍ଥ୍ୟ ନିର୍ଦେଶକ ଡା.ଜେ.କେ ତ୍ରିପାଠୀ କହିଛନ୍ତି, ଡେଙ୍ଗୁରେ ଏସ୍‌ସିବିରେ ମୃତ୍ୟୁ ହୋଇଥିବା ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ମାତ୍ର ଏ ପର୍ଯ୍ୟନ୍ତ ଏସ୍‌ସିବିରୁ କୌଣସି ରିପୋର୍ଟ ନିର୍ଦେଶାଳୟ ନିକଟରେ ପହଞ୍ଚିନାହିଁ। ରିପୋର୍ଟ ପହଞ୍ଚିବା ପରେ ହିଁ ଏହା ଡେଙ୍ଗୁ ଜନିତ ମୃତ୍ୟୁ କି ନୁହେଁ ତାହା ସ୍ପଷ୍ଟ ହେବ।

ସାଲିଆସାହି ଡେଙ୍ଗୁରେ କମ୍ପୁଥିବା ନେଇ ଗତ ୩ ତାରିଖରେ ପ୍ରଥମେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ସାଲିଆସାହିରେ ଶହେରୁ ଅଧିକ ବ୍ୟକ୍ତି ଡେଙ୍ଗୁରେ ଆକ୍ରାନ୍ତ ହୋଇ ରାଜଧାନୀର ବିଭିନ୍ନ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସ୍ଥାନୀୟ ବ୍ୟକ୍ତି ସୂଚନା ଦେଇଥିଲେ। ଖବର ପ୍ରକାଶ ପାଇବା ପରେ ସ୍ୱାସ୍ଥ୍ୟ ବିଭାଗ ତତ୍ପରତା ଦେଖାଇଥିଲା। ଡେଙ୍ଗୁ ସ୍ୱେଚ୍ଛାସେବୀଙ୍କ ସହିତ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଘନ ଘନ ସାଲିଆସାହି ପରିଦର୍ଶନ କରିଥିଲେ। କିନ୍ତୁ ଏହି ମୃତ୍ୟୁ ଡେଙ୍ଗୁ ଜନିତ ନୁହେଁ ବୋଲି କହିଥିଲେ।

ସମ୍ବନ୍ଧିତ ଖବର