ଭୁବନେଶ୍ବର: ଦୁଇ ଦିନିଆ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ବା ସିଡିଏମ୍ଓଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀ ଆଜି ଉଦ୍ଯାପିତ ହୋଇଯାଇଛି। ସମ୍ମିଳନୀରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାଠାରୁ ଆରମ୍ଭ କରି ଗତ ଦୁଇ ବର୍ଷ ମଧ୍ୟରେ ଆରମ୍ଭ ହୋଇଥିବା ପ୍ରାୟ ୧୫ଟି ଯୋଜନା ଉପରେ ଆଲୋଚନା ହୋଇଛି। ସିଡିଏମ୍ଓମାନେ ପ୍ରତି ମାସ ନିଜ ନିଜ ଜିଲ୍ଲାରେ ଥିବା ସ୍ବାସ୍ଥ୍ୟ ଉପକେନ୍ଦ୍ରଠାରୁ ଆରମ୍ଭ କରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିୟମିତ ପରିଦର୍ଶନ କରି ସ୍ବାସ୍ଥ୍ୟସେବା ସଂପର୍କରେ ଅନୁଧ୍ୟାନ କରିବାକୁ ନିର୍ଦେଶ ଦିଆଯାଇଛି। ଏହାସହ ନିଜ ଜିଲ୍ଲାରେ ଯୋଜନାଗୁଡ଼ିକର କାର୍ଯ୍ୟକାରିତା ଓ ଚଳିତ ବଜେଟ୍ରେ ବ୍ୟୟବରାଦ ହୋଇଥିବା ଅର୍ଥର ପୂର୍ଣ୍ଣ ବିନିଯୋଗ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସ୍ବାସ୍ଥ୍ୟ ସଚିବ ଡା. ପ୍ରମୋଦ କୁମାର ମେହେର୍ଦା ପରାମର୍ଶ ଦେଇଛନ୍ତି। ‘ନିରାମୟ’ ଯୋଜନାରେ ସରକାରୀ ଡାକ୍ତରଖାନାକୁ ଆସୁଥିବା ରୋଗୀମାନଙ୍କୁ ମାଗଣାରେ ଔଷଧ ପ୍ରଦାନ କରାଯାଉଛି। ଯଦି ନିରାମୟରେ କୌଣସି ଔଷଧ ସରି ଯାଇଥିବ, ତା’ହେଲେ ସଂପୃକ୍ତ ଡାକ୍ତରଖାନା ପକ୍ଷରୁ ସେମାନଙ୍କୁ ପ୍ରଦାନ କରାଯାଉଥିବା ଅର୍ଥରୁ ଔଷଧ କିଣି ରୋଗୀଙ୍କୁ ପ୍ରଦାନ କରିବେ। ‘ନିଦାନ’ ଯୋଜନାରେ ରୋଗ ନିରୂପଣ ନିମନ୍ତେ ହାଇ-ଏଣ୍ଡ ପାଥୋଲୋଜି ପରୀକ୍ଷାଠାରୁ ଆରମ୍ଭ କରି କଲଚର, ସେନ୍ସିଟିଭିଟି, ବୋନ୍ମ୍ୟାରୋ, ସିଟି ସ୍କାନ୍, ଏମ୍ଆରଆଇ ପରୀକ୍ଷା, ‘ସହାୟ’ ଯୋଜନାରେ ମାଗଣା ଡାଏଲିସିସ୍ ସେବା ଆଦି ପାଇଁ ଆବଶ୍ୟକ ଅର୍ଥ ପ୍ରଦାନ କରାଯାଇଛି। ଏହି ସେବା ଆବଶ୍ୟକ କରୁଥିବା ରୋଗୀମାନେ ଯେପରି ସେବା ପାଇବାରୁ ବଞ୍ଚିତ ନ ହୁଅନ୍ତି, ତାହାକୁ ସୁନିଶ୍ଚିତ କରିବାକୁ ନିର୍ଦେଶ ଦିଆଯାଇଛି। ଡାକ୍ତରଖାନାଗୁଡ଼ିକରେ ପରିମଳ ବ୍ୟବସ୍ଥା ବଜାୟ ରଖିବା ପାଇଁ ‘ନିର୍ମଳ’ ଯୋଜନାରେ ଅର୍ଥ ପ୍ରଦାନ କରାଯାଇଛି। ଦୁର୍ଗମ ଅଞ୍ଚଳରେ ଗର୍ଭବତୀ ମହିଳାମାନଙ୍କୁ ଆନୁଷ୍ଠାନିକ ପ୍ରସବ ପାଇଁ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯିବା ପାଇଁ ବ୍ୟବସ୍ଥା କରାଯାଇଥିବା ୧ହଜାର ଟଙ୍କା ଓ ପ୍ରସବ ପରେ ଘରକୁ ଫେରିବା ପାଇଁ ୫ଶହ ଟଙ୍କା ତୁରନ୍ତ ପ୍ରଦାନ କରିବାକୁ ନିର୍ଦେଶ ଦିଆଯାଇଛି। ଏହାସହ ରାଜ୍ୟ ସରକାରଙ୍କ ମାଗଣା ସ୍ବାସ୍ଥ୍ୟସେବା ବ୍ୟବସ୍ଥା ସଂପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଦିଗରେ ମଧ୍ୟ ପଦକ୍ଷେପ ନେବାକୁ ନିର୍ଦେଶ ଦିଆଯାଇଛି। ସମ୍ମିଳନୀରେ ଜାତୀୟ ସ୍ବାସ୍ଥ୍ୟ ମିସନ୍ ନିର୍ଦେଶିକା ଶାଳିନୀ ପଣ୍ଡିତ, ସ୍ବତନ୍ତ୍ର ସଚିବ ଡା. ବି.କେ ବ୍ରହ୍ମା, ସ୍ବାସ୍ଥ୍ୟସେବା ନିର୍ଦେଶକ ଡା. ହରପ୍ରସାଦ ପଟ୍ଟନାୟକ, ଜନସ୍ବାସ୍ଥ୍ୟ ନିର୍ଦେଶକ ଡା. ସ୍ବପ୍ନେଶ୍ବର ଗଡ଼ନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ସ୍ବାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟକାରୀ ହୋଇଥିବା ଯୋଜନା ସଂପର୍କରେ ଆଲୋକପାତ କରିଥିଲେ।
ଦୁଇ ଦିନିଆ ସିଡିଏମ୍ଓ ସମ୍ମିଳନୀ ଉଦ୍ଯାପିତ
ସ୍ବାସ୍ଥ୍ୟକେନ୍ଦ୍ରକୁ ନିୟମିତ ପରିଦର୍ଶନ ନିର୍ଦେଶ