କରୋନା ରୋଗୀଙ୍କ ମୃତ୍ୟୁକୁ ୨ଦିନ ହେଲାଣି, ବିଏମ୍‌ସି ପଚାରୁଛି କେମିତି ଅଛନ୍ତି?

ଏମିତି ଚାଲିଛି କୋଭିଡ୍‌ ପରିଚାଳନା

ଭୁବନେଶ୍ୱର : ଠିକ୍ ସମୟରେ ଆମ୍ବୁଲାନ୍‌ସ ନ ମିଳିବାରୁ ଛଟପଟ ହୋଇ କରୋନା ଆକ୍ରାନ୍ତ ରୋଗୀ ପ୍ରାଣ ହରାଇବାର ୨ଦିନ ହେଲାଣି। ବିଏମ୍‌ସି ତରଫରୁ ମୃତକଙ୍କ ପରିବାରର ପଞ୍ଜୀକୃତ ମୋବାଇଲ ନମ୍ବରକୁ ଫୋନ୍ ଆସିବା ସହିତ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା କିଭଳି ରହିଛି ବୋଲି ପଚାରାଯାଉଛି। କରୋନା ସଂକ୍ରମଣ ନେଇ ରାଜଧାନୀକୁ ସର୍ବାଧିକ ଗୁରୁତ୍ବ ଦିଆଯାଉଥିବା କୋଭିଡ୍‌ ପରିଚାଳନାର ଏହା ହେଉଛି ବାସ୍ତବ ରୂପ। ରୋଗୀଟିଏ ପ୍ରାଣ ହରାଇବା ପରେ ମଧ୍ୟ ବିଏମ୍‌ସି ଏ ସଂପର୍କରେ ଜାଣିପାରୁନି। ଚନ୍ଦ୍ରଶେଖରପୁର ଏମ୍‌ଆଇଜି-୨ ଫେଜ୍-୧ ଅଞ୍ଚଳର ଜଣେ ମହିଳା ୨ଦିନ ତଳେ କରୋନାରେ ସଂକ୍ରମିତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତି ହୋଇଥିଲେ। କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରିବା ଲାଗି ତାଙ୍କ ସ୍ବାମୀ ରମେଶ ମିଶ୍ର ୧୦୪ ନମ୍ବରକୁ ବାରମ୍ବାର ଫୋନ୍‌ କରିଥିଲେ। ସଂଧ୍ୟା ୬ଟାରୁ ବିଏମ୍‌ସି ଆମ୍ବୁଲାନ୍‌ସ ପଠଉଛି କହି ରାତି ୨ଟା ବାଜି ଯାଇଥିଲା। ବିଳମ୍ବିତ ରାତିରେ ତାଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲେ ହେଁ, ଗତକାଲି ସକାଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମାତ୍ର ଗତକାଲି ସଂଧ୍ୟା ଓ ରାତିରେ ୨ଥର ଓ ଆଜି ସକାଳେ ବିଏମ୍‌ସି ପକ୍ଷରୁ ମହିଳାଙ୍କ ପରିବାର ଲୋକଙ୍କୁ ୩ଥର ଫୋନ୍ କରାଯାଇଥିଲା। କଲ୍‌ କରିଥିବା କର୍ମଚାରୀ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା କିପରି ଅଛି ବୋଲି ପଚାରିଥିଲେ। ମୃତକଙ୍କ ପରିବାର ପକ୍ଷରୁ ମହିଳାଙ୍କ ମୃତ୍ୟୁ ‌ହୋଇଯାଇଥିବା କୁହାଯାଇଥିଲେ ହେଁ, ବାରମ୍ବାର ଏଭଳି ଫୋନ୍ କରାଯିବା ବିଏମ୍‌ସିର କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଠିକ୍ ସମୟରେ ରୋଗୀଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇ ପାରୁ ନ ଥିବା ବେଳେ ମୃତକଙ୍କ ପରିବାରଙ୍କୁ ଫୋନ୍ କରି ସ୍ବାସ୍ଥ୍ୟାବସ୍ଥା ପଚାରାଯିବା ଏକପ୍ରକାର ଉପହାସ ବୋଲି ଚର୍ଚ୍ଚା ହେଉଛି।

କ୍ୟାପିଟାଲ ହସ୍ପିଟାଲରୁ ୧୨ ପଜିଟିଭ୍
ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରୁ ଆଜି ୧୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଜ୍ବର ୱାର୍ଡ ସମେତ ସ୍ତ୍ରୀ ଓ ପ୍ରସୂତି ରୋଗ ୱାର୍ଡ, କ୍ୟାବିନ୍ ବାଦ୍ କାଜୁଆଲ୍‌ଟିରୁ ବହୁ ସଂଖ୍ୟାରେ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହାସହ ହସ୍ପିଟାଲରେ କରୋନା ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଜଣେ ଆମ୍ବୁଲାନ୍‌ସ ଡ୍ରାଇଭର କରୋନା ସଂକ୍ରମିତ ହୋଇଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ହସ୍ପିଟାଲରେ ରୋଗୀଙ୍କୁ ବାଦ୍ ଦେଲେ ବହୁ ସଂଖ୍ୟାରେ କର୍ମଚାରୀ ଏଥିରେ ଆକ୍ରାନ୍ତ ହୋଇସାରିଛନ୍ତି।

ସମ୍ବନ୍ଧିତ ଖବର