ଭୁବନେଶ୍ବର: ମଙ୍ଗଳବାର ରାତିରେ ସହିଦନଗର ଥାନା ଭିଏସ୍ଏସ୍ନଗରସ୍ଥିତ ମହାବୀର ସୁଇଟ୍ ଷ୍ଟଲ୍ରେ ବିଦ୍ୟୁତ୍ ଆଘାତ କାରଣରୁ ୨ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଗଞ୍ଜାମ ବଡ଼ଗଡ଼ ଥାନା ପଦ୍ମପୁର ଅଞ୍ଚଳର ଗୌତମ ବଡ଼ାତିଆ(୨୦) ଓ ସାରାବଡ଼ି ଅଞ୍ଚଳର ଶିବରାମ ଗୌଡ଼(୨୦)। ସହିଦନଗର ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ମୃତଦେହ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଦୁଇ ଗରିବ ଯୁବକଙ୍କ ଏଭଳି ଆକସ୍ମିକ ମୃତ୍ୟୁ ଘଟଣାଟି ଆଜି ସମଗ୍ର ଭିଏସ୍ଏସ୍ନଗରରେ ଶୋକାକୂଳ ପରିବେଶ ସୃଷ୍ଟି କରିଥିଲା।
ପେଟପାଟଣା ପାଇଁ ଗୌତମ ଓ ଶିବରାମ ଗଞ୍ଜାମରୁ ରାଜଧାନୀ ଆସିଥିଲେ। କାମ ଖୋଜାଖୋଜି କରି ବଡ଼ କଷ୍ଟରେ ଗତ ୪ ମାସ ତଳେ ଏହି ସୁଇଟ୍ ଷ୍ଟଲ୍ରେ କାମ ପାଇଥିଲେ। ମଙ୍ଗଳବାର ରାତି ପାଖାପାଖି ୧୧ଟା ହେବ। ସବୁଦିନ ପରି ସେମାନେ ଦୋକାନ ସଫା କରି ଠେଲାକୁ ଭିତରେ ପୂରାଉଥିଲେ। ଏହି ସମୟରେ ସେମାନଙ୍କ ଅଜାଣତରେ କୌଣସି ଏକ ବିଦ୍ୟୁତ୍ ପ୍ରବାହୀ ତାର ଠେଲାରେ ଲାଗିଯାଇଥିଲା। ବିଦ୍ୟୁତ୍ ଆଘାତ ପାଇ ସେମାନେ ଛିଟିକି ପଡ଼ିଥିଲେ। କଚାଡ଼ି ହୋଇ ପଡ଼ିବାର ଜୋର୍ ଶବ୍ଦ ଶୁଣି ପାଖ ଦୋକାନ ମାଲିକ ଆଶିଷ କୁମାର ସାହୁ ଓ ତାଙ୍କ ସହଯୋଗୀମାନେ ସେଠାକୁ ଦୌଡ଼ି ଆସିଥିଲେ।
ସେତେବେଳକୁ ଗୌତମ ଓ ଶିବରାମ ସଂଜ୍ଞାହୀନ ଅବସ୍ଥାରେ ପଡ଼ିଥିଲେ। ସେମାନେ ତୁରନ୍ତ ଉଭୟଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲ୍ ନେଇଥିଲେ। କିନ୍ତୁ ସେତେବେଳକୁ ସେମାନେ ଆଖି ବୁଜି ସାରିଥିଲେ। ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସହିଦନଗର ଥାନା ପୁଲିସ ହସ୍ପିଟାଲରେ ପହଞ୍ଚି ମୃତଦେହକୁ ଜବତ କରିଥିଲା। ଖବର ପାଇ ଆଜି ଶିବରାମଙ୍କ ବାପା ଲକ୍ଷ୍ମଣ ଗୌଡ଼ ଓ ଗୌତମଙ୍କ ସମ୍ପର୍କୀୟ ହସ୍ପିଟାଲରେ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ କରାଯାଇଥିଲା ଓ ପୁଲିସ ସେମାନଙ୍କୁ ମୃତଦେହ ହସ୍ତାନ୍ତର କରିଥିଲା। ଅନ୍ୟପକ୍ଷରେ ଉଭୟଙ୍କ ମୃତ୍ୟୁକୁ ନେଇ ପୁଲିସ ସନ୍ଦେହ କରିଛି। ବିଦ୍ୟୁତ୍ ଆଘାତ ଯୋଗୁଁ ମୃତ୍ୟୁ ଘଟିଛି କି ଏହା ପଛରେ ଅନ୍ୟ କୌଣସି କାରଣ ରହିଛି ବୋଲି ସନ୍ଦେହ କରି ପୁଲିସ ଅଧିକ ତଦନ୍ତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/dead-fff.jpg)
