ଭୁବନେଶ୍ବର: ରାଜଧାନୀରେ ଏବେ ରାଜନୈତିକ ଉଷ୍ମତାଠାରୁ ସୂର୍ଯ୍ୟଙ୍କ ତାତି ଜୋର୍ ଅନୁଭୂତ ହେଉଛି। ଅସହ୍ୟ ତାତିରେ ପୂରା ରାଜଧାନୀ ତତଲା କଡ଼େଇ ପାଲଟିଯାଇଛି। ପୂର୍ବାହ୍ନ ୧୦ଟା ପରେ ତ ଘରୁ ବାହାରିବାକୁ ଡର ଲାଗୁଛି। ତାତିର ପ୍ରକୋପ ଏତେ ଜୋର୍ ରହୁଛି ଯେ, ବାହାରକୁ ବାହାରିଲେ ଦେହ ହାତ ସିଝି ଯାଉଛି। ମୁଣ୍ଡ ଉପରୁ ଅଗ୍ନି ବର୍ଷା, ପାଦ ତଳୁ ନିଆଁ ଝାଁସ ଅସ୍ତବ୍ୟସ୍ତ କରିପକାଉଛି। ମୁହଁରେ ରୁମାଲ୍ କି କପଡ଼ା ନବାନ୍ଧିଲେ ପୋଡ଼ି ଗଲା ଭଳି ଲାଗୁଛି। ସାଧାରଣ ନିର୍ବାଚନ ପାଇଁ ରାଜଧାନୀ ଯଦିଓ ଚଳଚଞ୍ଚଳ ଅଛି କିନ୍ତୁ ତାତିର ହାୱା ସବୁଠି ବାରି ହୋଇପଡ଼ୁଛି। ଗତ କିଛି ଦିନ ହେଲା ରାଜଧାନୀରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ଆଜି ପାରଦ ୩୮.୩ଡିଗ୍ରି ଛୁଇଁଛି। ଶୁକ୍ରବାର ରାଜଧାନୀର ସର୍ବୋଚ୍ଚ ତାପମାତ୍ରା ୩୬.୪ଡିଗ୍ରି ଥିବାବେଳେ ଆଜି ଏହା ହଠାତ୍ ପ୍ରାୟ ୨ଡିଗ୍ରି ବଢ଼ି ଯାଇଥିଲା। ପାରଦ ୨୪ଘଣ୍ଟା ମଧ୍ୟରେ ୨ଡିଗ୍ରି ବଢ଼ିବାରୁ ଲୋକ କିଲବିଲ୍ ହୋଇଯାଇଛନ୍ତି। ଏପରିକି ତାତି ସହ ତତଲା ପବନ ପୂରା ଅସ୍ତବ୍ୟସ୍ତ କରିପକାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ରାଜଧାନୀବାସୀଙ୍କୁ ଆଉ ୫ଦିନ ପର୍ଯ୍ୟନ୍ତ ତାତି ପ୍ରକୋପରୁ ତ୍ରାହି ମିଳିବନି ବୋଲି ପାଣିପାଗ ବିଭାଗ ସତର୍କ କରାଇଦେଇଛି। ଆଜି ଭଳି ଖରା ଆଉ ୫ଦିନ ହେବ। ପାରଦ ୪୦ଡିଗ୍ରି ବି ଟପିଯିବ। ପାଣିପାଗ ବିଭାଗର ଏହିଭଳି ପୂର୍ବାନୁମାନ ରାଜଧାନୀବାସୀଙ୍କ ମନରେ ଭୟ ସଞ୍ଚାରି ଦେଲାଣି। ଆଜି ସକାଳ ୮ଟାରୁ ସୂର୍ଯ୍ୟଙ୍କ ପ୍ରକୋପ ରାଜଧାନୀରେ ଦେଖିବାକୁ ମିଳିଥିଲା। ପୂର୍ବାହ୍ନ ସାଢ଼େ ୧୧ଟା ବେଳକୁ ପାରଦ ୩୫ଡିଗ୍ରି ଛୁଇଁଥିଲା। ଆଉ ଅପରାହ୍ଣ ୨ଟା ବେଳକୁ ପାରଦ ୩୮ଡିଗ୍ରି ପାର୍ ହୋଇ ଯାଇଥିଲା। ଦିନ ବଢ଼ିବା ସହ ତାତି ବଢ଼ୁଥିବାରୁ ରାଜଧାନୀବାସୀଙ୍କୁୁ ଘରୁ ବାହାରିବା କଷ୍ଟକର ହୋଇପଡ଼ିଥିଲା। ରାଜଧାନୀରେ ତାତି ହଠାତ୍ ବଢ଼ିଯିବାରୁ ଏବେ ଥଣ୍ଡାପାନୀୟ, ଲସି, ଆଖୁ ରସ, ତରଭୁଜ, କାକୁଡ଼ି ବେପାର ଜମୁଛି। ହେଲେ ରାଜଧାନୀରେ ପାନୀୟ ଜଳ ସଙ୍କଟ ବଢ଼ିବାେର ଲାଗିଛି। ବସ୍ତି ଅଞ୍ଚଳରୁ ଆରମ୍ଭ କରି ସମ୍ଭ୍ରାନ୍ତ ଅଞ୍ଚଳ ପର୍ଯ୍ୟନ୍ତ ସବୁଠି ପାଣି ସଙ୍କଟ ଦେଖାଦେଲାଣି। ହେଲେ ଜନସ୍ବାସ୍ଥ୍ୟ ବିଭାଗ ପାଣି ଯୋଗାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେଉ ନଥିବାରୁ ବସ୍ତି ଅଞ୍ଚଳରେ ଲୋକ ଡହଳବିକଳ ହେଲେଣି। ଅପରପକ୍ଷେ ରାଜଧାନୀରେ ପାରଦ ୪୦ଡିଗ୍ରି ଛୁଇଁବାକୁ ବସିଥିବାବେଳେ ବିଏମ୍ସି ପକ୍ଷରୁ ଏପର୍ଯ୍ୟନ୍ତ ଜଳଛତ୍ର ଖୋଲାଯାଇନି। ନା ଲୋକଙ୍କ ପାଇଁ ପାନୀୟ ଜଳ ଯୋଗାଣ ହେଉଛି ନା ପଶୁପକ୍ଷୀଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା ହୋଇପାରିଛି। ବିଏମ୍ସି କର୍ତ୍ତୃପକ୍ଷ ପଣାସଂକ୍ରାନ୍ତିକୁ ଅପେକ୍ଷା କରିଛନ୍ତି। ଏପ୍ରିଲ ୧୪ପରେ ଜଳଛତ୍ର ଖୋଲିବାକୁ ନିଷ୍ପତ୍ତି ହୋଇଥିବାରୁ ଏହା ପୂର୍ବରୁ ଲୋକ ପାଣି ପାଇଁ ଛଟପଟ ହେଲେ ବି ଜଳଛତ୍ର ଖୋଲିବା ମୁଡ୍ରେ ନାହାନ୍ତି।