+୨ ପରୀକ୍ଷା, ରାଜଧାନୀରେ ପରୀକ୍ଷା ଦେବେ ୧୭ ହଜାର ଛାତ୍ରଛାତ୍ରୀ

ଖୋର୍ଧା ଜିଲ୍ଲାରେ ୧୨ଟି ହବ୍‌, ୪ଟି ସବ୍‌ ସେଣ୍ଟର

ଭୁବନେଶ୍ବର: ଯୁକ୍ତ୨ ପରୀକ୍ଷା ଲାଗି ପ୍ରସ୍ତୁତି ଶେଷ ହୋଇଛି। ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିସାରିଛି। ପରୀକ୍ଷାର୍ଥୀ ମଧ୍ୟ ନିଜକୁ ପ୍ରସ୍ତୁତ କରି ନେଇଛନ୍ତି। ଅପେକ୍ଷା ଗୁରୁବାର ପୂର୍ବାହ୍ନ ୧୦ଟାକୁ। ଜୀବନର ଦ୍ବିତୀୟ ବଡ଼ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ କିଭଳି ଭଲ ପ୍ରଦର୍ଶନ କରିବେ ତାହାକୁ ନେଇ ଅଭିଭାବକ ମଧ୍ୟ ଚିନ୍ତାରେ ରହିଛନ୍ତି। ପ୍ରତିବର୍ଷ ଭୁବନେଶ୍ବରରେ ଥିବା କଲେଜଗୁଡ଼ିକର ଛାତ୍ରଛାତ୍ରୀ ଯୁକ୍ତ୨ ପରୀକ୍ଷାରେ ଭଲ ପ୍ରଦର୍ଶନ କରୁଛନ୍ତି। ବିଜ୍ଞାନ ଏବ˚ ବାଣିଜ୍ୟ ବିଭାଗରେ ବିଜେବି, ରାଜଧାନୀ, ରମାଦେବୀ ଜୁନିଅର କଲେଜ ସମେତ ଘରୋଇ ଯୁକ୍ତ୨ କଲେଜ ଛାତ୍ରଛାତ୍ରୀ ବାଜିମାତ୍‌ କରି ଆସୁଛନ୍ତି। ସେହି ଅନୁଯାୟୀ ଏଥର ମଧ୍ୟ ସେଭଳି କିଛି କରିସ୍ମା ଦେଖାଇବା ଲକ୍ଷ୍ୟରେ ସହରର ୧୭ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏଥର ପରୀକ୍ଷା ଦେବାକୁ ଓହ୍ଲାଇବେ। ଚଳିତବର୍ଷ ଖୋର୍ଧା ଜିଲ୍ଲାରେ ୧୩୦ରୁ ଅଧିକ କଲେଜର ପ୍ରାୟ ୩୦ ହଜାର ପରୀକ୍ଷାର୍ଥୀ ରହିଛନ୍ତି। ଜିଲ୍ଲାରେ ପରୀକ୍ଷାର ସୁପରିଚାଳନା ପାଇଁ ୧୨ଟି ପରୀକ୍ଷା ପରିଚାଳନା ହବ୍‌ ହୋଇଛି। କିସ୍‌/କିଟ୍‌, ବିଜେବି, ରାଜଧାନୀ ଏବ˚ ମହର୍ଷି କଲେଜରେ ହୋଇଥିବା ପରୀକ୍ଷା କେନ୍ଦ୍ରରେ ୧୫୦୦ରୁ ଅଧିକ ପରୀକ୍ଷାର୍ଥୀ ରହିଛନ୍ତି। ଭୁବନେଶ୍ବର ସହରରେ ଏଥରକ ୭୫ରୁ ଅଧିକ କଲେଜର ପ୍ରାୟ ୧୭ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଏଥିପାଇଁ ୨୫ଟି ପରୀକ୍ଷା କେନ୍ଦ୍ର ହୋଇଛି। ୨୧ଟି ମୁଖ୍ୟ ପରୀକ୍ଷା କେନ୍ଦ୍ର ରହିଥିବା ବେଳେ ଦୁଇଟି ଉପ କେନ୍ଦ୍ର କରାଯାଇଛି। କିଟ୍‌, କିସ୍‌ ସମେତ ଆଇଟିଇଆର ଓ ନୀଳାଦ୍ରିବିହାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଉପ ପରୀକ୍ଷା କେନ୍ଦ୍ର ହୋଇଛି। ମହର୍ଷି କଲେଜ ଅଫ୍‌ ନାଚ୍ୟୁରାଲ ଲ’, ଦେବରାୟ କଲେଜ, ବିଜେବି ଜୁନିୟର କଲେଜ ଓ ରାଜଧାନୀ କଲେଜରେ ପରୀକ୍ଷା ପରିଚାଳନା ହବ୍‌ ହୋଇଛି। ପରୀକ୍ଷାର ସୁପରିଚାଳନା ଲାଗି କମିସନରେଟ୍‌ ପୁଲିସ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯାଇଛି। ହବ୍‌ରୁ ପ୍ରଶ୍ନପତ୍ର ଯିବା ସମୟରେ ପ୍ରତି ଗାଡ଼ିରେ ଏକାଧିକ ପୁଲିସ ଅଧିକାରୀ ରହିବାକୁ ନିର୍ଦେଶ ଦିଆଯାଇଛି।

ସକାଳ ୭ଟାଠାରୁ ହବ୍‌ଗୁଡ଼ିକରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯିବ
ସକାଳ ୮ଟା- ପରୀକ୍ଷା ସହ ଜଡ଼ିତ ଅଧିକାରୀ କେନ୍ଦ୍ରରେ ପହଞ୍ଚିବେ
୯ଟା- ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିବ
୯ଟା ୩୦ରୁ ପରୀକ୍ଷାର୍ଥୀଙ୍କୁ କେନ୍ଦ୍ର ଭିତରକୁ ଛଡ଼ାଯିବ
୯ଟା ୩୦- ସମସ୍ତ ଅଧିକାରୀଙ୍କ ଉପସ୍ଥିତିରେ ପ୍ରଶ୍ନପତ୍ର ଖୋଲିବ
୯ଟା ୪୫- ପରୀକ୍ଷାର୍ଥୀ ସେମାନଙ୍କ ସିଟ୍‌ରେ ବସିବେ
ପୂର୍ବାହ୍ନ ୧୦ଟା- ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ଦିଆଯିବ

ପରୀକ୍ଷାର୍ଥୀଙ୍କୁ ପରାମର୍ଶ
ପରୀକ୍ଷା କେନ୍ଦ୍ରକୁ ଯିବା ସମୟରେ ସାଙ୍ଗରେ ଆଡମିଟ୍‌ କାର୍ଡ, ପେନ୍‌, ପେନ୍‌ସିଲ୍‌ ନେବାକୁ ଭୁଲିବେ ନାହିଁ। ପ୍ରଶ୍ନପତ୍ର ପାଇଲା ପରେ ଭଲ ଭାବେ ପଢ଼ିବେ। ପ୍ରଶ୍ନପତ୍ରରେ ସ˚କ୍ଷିପ୍ତ ଏବ˚ ଦୀର୍ଘ ଉତ୍ତର ମୂଳକ ପ୍ରଶ୍ନ ଥିବ। ସେଥିପ୍ରତି ଧ୍ୟାନ ଦେବେ। ସ˚କ୍ଷିପ୍ତ ପ୍ରଶ୍ନଗୁଡ଼ିକୁ ପ୍ରାଧାନ୍ୟ ଦେଇ ତାହାର ଉତ୍ତର ଲେଖିବେ। ଯେଉଁ ପ୍ରଶ୍ନଗୁଡ଼ିକ ସହଜ ଲାଗୁଥିବ ତାହାକୁ ଆଗ କରିବେ। ଦୀର୍ଘ ଉତ୍ତର ମୂଳକ ପ୍ରଶ୍ନର ଉତ୍ତର ଲେଖିବା ସମୟରେ ବିଷୟବସ୍ତୁ ଉପରେ ଗୁରୁତ୍ବ ଦେବେ। ସଜେଇ କରି ଲେଖିବେ। ପ୍ରଶ୍ନ ଅନୁଯାୟୀ ଉତ୍ତର ଦେବେ। ଏଣୁତେଣୁ ଲେଖିବେ ନାହିଁ। ପ୍ରଶ୍ନପତ୍ରକୁ ନେଇ ବିଚଳିତ ହେବେନି।

ସମ୍ବନ୍ଧିତ ଖବର