ଯୁକ୍ତ୨ ପୁନଃମୂଲ୍ୟାୟନ ଫଳ ପ୍ରକାଶ

ଭୁବନେଶ୍ବର,୬: ଯୁକ୍ତ୨ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ଛାତ୍ରଛାତ୍ରୀଙ୍କ ପୁନଃମୂଲ୍ୟାୟନ ପରୀକ୍ଷା ଫଳ ପ୍ରକାଶ ପାଇଛି। ମେ’ ତୃତୀୟ ସପ୍ତାହରେ ଉକ୍ତ ଦୁଇ ବିଭାଗର ପରୀକ୍ଷା ଫଳ ବାହାରିଥିଲା। ଏହାର ସାଢ଼େ ତିନି ମାସ ପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଉତ୍ତର ଖାତାଗୁଡ଼ିକର ପୁନଃମୂଲ୍ୟାୟନ କରାଯାଇ ଅପରାହ୍ନରେ ଫଳ ପ୍ରକାଶ ପାଇଛି। ପରିଷଦ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ଦୁଇ ବିଭାଗର ଖାତା ପୁନଃଯାଞ୍ଚ ଲାଗି ୪୦ ହଜାର ଛାତ୍ରଛାତ୍ରୀ ଆବେଦନ କରିଥିଲେ। ଖାତାଗୁଡ଼ିକ ଅନ୍‌ଲାଇନ୍‌ରେ ମୂଲ୍ୟାୟନ ହୋଇଥିବାରୁ ଛାତ୍ରଛାତ୍ରୀଙ୍କୁ ୧୫ ଦିନ ମଧ୍ୟରେ ଉତ୍ତର ଖାତା ପଠା ଯାଇଥିଲା। ଖାତାଗୁଡ଼ିକ ଦେଖିବା ପରେ ପ୍ରାୟ ୧୦ ହଜାର ଛାତ୍ରଛାତ୍ରୀ ପୁନଃମୂଲ୍ୟାୟନ ଲାଗି ଆବେଦନ କରିଥିଲେ। ସେମାନଙ୍କ ଖାତାଗୁଡ଼ିକ ଯାଞ୍ଚ କରାଯାଇ ଆଜି ଫଳ ପ୍ରକାଶ ପାଇଛି। ରେଜଲ୍ଟ ସମ୍ପର୍କ‌ରେ ଛାତ୍ରଛାତ୍ରୀ ନିଜ କଲେଜରୁ ଜାଣିପାରିବେ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ଜୁନ୍‌ ତୃତୀୟ ସପ୍ତାହରେ କଳା ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇଥିବାରୁ ପୁନଃମୂଲ୍ୟାୟନ ପରୀକ୍ଷା ଫଳ ଆଉ କିଛି ଦିନ ବିଳମ୍ବ ହେବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଯୁକ୍ତ୨ ପୁନଃମୂଲ୍ୟାୟନରେ ବିଳମ୍ବ ହେଉଥିବା ନେଇ ଆଜି ପୂର୍ବାହ୍ନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ର ଏକ ପ୍ରତିନିଧି ଦଳ ପରିଷଦ ଅଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ। ଖୁବ୍‌ଶୀଘ୍ର ପରୀକ୍ଷା ଫଳ ପ୍ରକାଶ କରିବାକୁ ସେମାନେ ଦାବି କରିଥିଲେ। ଏହି ପ୍ରତିନିଧି ଦଳରେ ମହାନଗର ସହ ସମ୍ପାଦକ ପିଣ୍ଟୁ ପ୍ରତୀକ ନାଏକ, ସମ୍ବିତ ରାଉତ, ସୋମୁ ଦେ, ବିଶ୍ବ ସ୍ବାଇଁ, ପ୍ରିୟରଞ୍ଜନ ରାଉତ, ସଞ୍ଜୟ ମଲ୍ଲିକ, ମିଲନ୍‌ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର