୨ ନକଲି ମୂକବଧିର ଲୁଟେରା ଗିରଫ, ୨୭ ମୋବାଇଲ୍‌, କ୍ୟାମେରା, ଲାପ୍‌ଟପ୍‌ ଜବତ

, ଜଟଣୀରେ ଡେରା, ରାଜଧାନୀରେ ଲୁଟ୍‌

ଭୁବନେଶ୍ବର: ଜଟଣୀରେ ଡେରା ପକାଇ ରାଜଧାନୀରେ ଲୁଟ୍‌ପାଟ୍‌ କରୁଥିବା ଦୁଇ ମାଡ୍ରାସୀ ଲୁଟେରାଙ୍କୁ ଗିରଫ କରିଛି କମିସନରେଟ୍‌ ପୁଲିସର ସ୍ପେସାଲ୍‌ ସ୍କ୍ବାଡ୍। ମୂକ ଓ ବଧିରର ଅଭିନୟ କରି ଲୁଟ୍‌ କରୁଥିବା ଏହି ଦୁଇ ଲୁଟେରା ହେଲେ ତାମିଲନାଡ଼ୁ ଭେଲୋର ଅଞ୍ଚଳର କ୍ରିଷ୍ଣା ଗଣେଶ(୨୬) ଓ କ୍ରିଷ୍ଣା ଅନ୍ଥୁରଗାନ୍‌(୩୩)। ପୁଲିସ ସେମାନଙ୍କଠାରୁ ୨୭ଟି ମୋବାଇଲ୍‌ ଫୋନ୍‌, ଗୋଟିଏ ଲାପ୍‌ଟପ୍‌, ଡିଏସ୍‌ଏଲ୍‌ଆର୍‌ କ୍ୟାମେରା, ଟ୍ରାଇପଡ୍‌, ମୂକ ଓ ବଧିର ପ୍ରମାଣପତ୍ର ଜବତ କରିଛି। ଆସନ୍ତାକାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ଓ ଅଧିକ ତଦନ୍ତ ପାଇଁ ପୁଲିସ ସେମାନଙ୍କୁ ରିମାଣ୍ଡରେ ଆଣିବ ବୋଲି ସୂଚନା ମିଳିଛି। ଏମାନେ ଓଡ଼ିଶାରୁ ଲୁଟ୍‌ କରି ଚୋରି ମାଲ୍‌କୁ ତାମିଲ୍‌ନାଡୁ ଚାଲାଣ କରୁଥିବା ଜଣାପଡ଼ିଛି।

କେମିତି ଲୁଟୁଥିଲେ?

ଏହି ଲୁଟେରାମାନେ ବେଶ୍ ଚମତ୍କାର ଢଙ୍ଗରେ ମୂକ ଓ ବଧିରର ଅଭିନୟ କରୁଥିଲେ। ନକଲି ମୂକ, ବଧିର ହିସାବରେ ବୁଲି ବୁଲି ଭିକ ମାଗୁଥିଲେ। ଏହି ଆଳରେ ସେମାନେ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ଥିବା ନିଛାଟିଆ ଘର ଓ ହଷ୍ଟେଲ୍‌ରେ ରହୁଥିବା ଛାତ୍ରଛାତ୍ରୀଙ୍କ ଉପରେ ନଜର ରଖୁଥିଲେ। ପ୍ରାୟ ସକାଳ ବେଳା ସମୟରେ ଛାତ୍ରଛାତ୍ରୀମାନେ ଶୋଇଥା’ନ୍ତି କିମ୍ବା ବ୍ୟାୟାମ କରିବା ପାଇଁ ବାହାରକୁ ଯାଇଥିବା ବେଳେ କବାଟ ଖୋଲା ଛାଡ଼ି ଦେଇଥା’ନ୍ତି। ଭିକାରି ବେଶରେ ବୁଲୁଥିବା ଏହି ଲୁଟେରାମାନେ ଏମିତି ମଉକା‌ ଦେଖି ଘରେ ପଶିଯାଆନ୍ତି ଓ କଳାକନା ବୁଲାଇ ଦିଅନ୍ତି। ଛାତ୍ରଛାତ୍ରୀମାନଙ୍କ ପର୍ସ, ମୋବାଇଲ ଫୋନ୍‌ ସେଟ୍‌, ଲାପ୍‌ଟପ୍‌, କ୍ୟାମେରା ଓ ଅନ୍ୟାନ୍ୟ ଦାମୀ ଉପକରଣ ଚୋରି କରି ନିଅନ୍ତି। ଯଦି କୌଣସି ସମୟରେ ଚୋରି କରିବାରେ ବିଫଳ ହୁଅନ୍ତି କିମ୍ବା ଧରା ପଡିଯାଆନ୍ତି, ମୂକ ଓ ବଧିର ଅଭିନୟ କରିବା ସହିତ ପାଖରେ ରଖିଥିବା ପ୍ରମାଣପତ୍ର ଦେଖାଇ ଖସିଯାଆନ୍ତି।

କେମିତି ଧରାପଡ଼ିଲେ

ରାଜଧାନୀରେ ବିଭିନ୍ନ ଥାନାରେ ଏଭଳି ମାଳମାଳ ଚୋରି ମାମଲା ପୁଲିସର ନିଦ ହଜାଇ ଦେଇଥିଲା। ଏହି ଲୁଟେରାମାନଙ୍କୁ ଠାବ କରିବା ପାଇଁ ସ୍ପେସାଲ୍‌ ସ୍କ୍ବାଡ୍‌ ନେତୃତ୍ବରେ ପିଓପିଡି ଟିମ୍ ଓ ଟିମ୍-୬୦କୁ ନିର୍ଦ୍ଦେଶ ଦିଆଯାଇଥିଲା। ଗତ ୨୦ ତାରିଖ ଦିନ ଖଣ୍ଡଗିରି ଅଞ୍ଚଳରୁ ଏହି ଗ୍ୟାଙ୍ଗ ଜଣେ ବ୍ୟକ୍ତିଙ୍କ ଘରୁ ୭ଟି ମୋବାଇଲ୍‌, ୨ଟି କ୍ୟାମେରା ଏବଂ ଗୋଟିଏ ଲାପ୍‌ଟପ୍‌ ନେଇଯାଇଥିଲେ। ଆଜି ସହିଦନଗର ଅଞ୍ଚଳରେ ଲୁଟେରାମାନେ ସମାନ ଢଙ୍ଗରେ ଜଣେ ବ୍ୟକ୍ତିଙ୍କ ଘରୁ ଲୁଟ୍‌ ପାଇଁ ଉଦ୍ୟମ କରୁଥିବା ବେଳେ ଧରାପଡ଼ିଯାଇଥିଲେ। ଖବର ପାଇ ପୁଲିସ ଟିମ୍‌ ସେଠାରେ ପହଞ୍ଚି ଉଭୟଙ୍କୁ ଧରି ନେଇଥିଲା। ସ୍ପେସାଲ ସ୍କ୍ବାଡ୍‌ ଅଧିକାରୀମାନେ ପଚରାଉଚରା କରିବା ପରେ ସେମାନେ ସବୁ ମାନିଯାଇଥିଲେ। ସେମାନଙ୍କଠାରୁ ସୂଚନା ପାଇ ପୁଲିସ ଜଟଣୀ ସୀତରାମ ଛକ ନିକଟସ୍ଥ ସେମାନଙ୍କ ଭଡ଼ା ଘରେ ଚଢ଼ଉ କରି ଉପରୋକ୍ତ ଜିନିଷ ଜବତ କରିଥିଲା। ସୂଚନାଯୋଗ୍ୟ, ପୂର୍ବରୁ ଏଭଳି ଏକ ମାଡ୍ରାସୀ ଗ୍ୟାଙ୍ଗ୍‌ ବି ସେହି ଜଟଣୀରୁ ଧରାପଡ଼ିଥିଲା।

ସମ୍ବନ୍ଧିତ ଖବର