ବଜ୍ରପାତରେ ୨ ଚାଷୀ ମୃତ, ୪ ଗୁରୁତର

ଟାଙ୍ଗୀ: ଆଜି ଅପରାହ୍‌ଣରେ ଟାଙ୍ଗୀ ଅଞ୍ଚଳର ପୃଥକ ପୃଥକ ଗ୍ରାମରେ ଚାଷ ଜମିରେ କାମ କରୁଥିବା ବେଳେ ବର୍ଷା ସହିତ ବଜ୍ରପାତ ହେବାରୁ ୨ଜଣ ଚାଷୀଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ପୁଲିସ ୨ ମୃତ ଚାଷୀଙ୍କ ଶବ ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସେହିପରି ବଜ୍ରାପାତରେ ଟାଙ୍ଗୀ ଥାନା ଅନ୍ତର୍ଗତ ନରମାନବୀ ଗ୍ରାମର ତପନ ଜେନାଙ୍କର ୩ବଖରା ଘର ଜଳି ଯାଇଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଟାଙ୍ଗୀ ବଡପାଇକସାହିର ଯୁଗଳ ରାଉତଙ୍କ ପୁଅ ଚିତ୍ତରଞ୍ଜନ ରାଉତ(୩୩) ଓ ତାଙ୍କର ୨ଜଣ ସହଯୋଗୀ ଅନିଲ ମହାନ୍ତି ଓ କୁଲୁ ରାଉତ ଚାଷ ଜମିକୁ ଧାନ ତଳି ପକାଇବାକୁ ଯାଇଥିଲେ। ଏହି ସମୟରେ ଅକସ୍ମାତ ବର୍ଷା ସହିତ ବଜ୍ରପାତ ହୋଇଥିଲା। ଏଥିରେ ସମସ୍ତେ ଆହତ ହୋଇଥିଲେ। ଖବର ପାଇ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଚିତ୍ତଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ୨ ଜଣଙ୍କ ଅବସ୍ଥାରେ ସୁଧାର ଆସିଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ। ଚିତ୍ତଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଚିଲିକା ଛକ ବଜାର କମିଟି ବଜାରକୁ ବନ୍ଦ ରଖିଛି।

ସେହିଭଳି ଟାଙ୍ଗୀ ଥାନା ଝରିଆ ଗ୍ରାମର ୩ଜଣ ଯୁବକ ଚାଷ ଜମିକୁ ଯାଇଥିବା ବେଳେ ଅଚାନକ ବର୍ଷା ହେବାରୁ ଚାଷ ଜମି ନିକଟରେ ଥିବା ଏକ କୁଡିଆ ମଧ୍ୟରେ ଆଶ୍ରୟ ନେଇଥିଲେ। ଏହି ସମୟରେ ବଜ୍ରପାତ ହୋଇଥିଲା। କୁଡ଼ିଆ ଘରେ ଥିବା ୩ଜଣ ମଧ୍ୟ ଗୁରୁତର ଭାବେ ଆହତ ହୋଇଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରେ ସୁରେନ୍ଦ୍ର ପଲେଇଙ୍କ ପୁଅ ତୁଷାର ପଲେଇ (୧୯)ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ୨ଜଣ ସୁଜିତ ସ୍ବାଇଁ ଓ ଦୀପକ ପଲେଇଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଭୁବନେଶ୍ବର ସ୍ଥାନାନ୍ତରିତ କରାଯାଇଛି।

ସମ୍ବନ୍ଧିତ ଖବର