ଯୁକ୍ତ୨ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ, ଏବର୍ଷ ୭୫% ଉପସ୍ଥାନ କଡ଼ାକଡ଼ି

ଭୁବନେଶ୍ବର: ସ୍କୁଲ ପାଠପଢ଼ା ସାରି ଆଜି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ)ରେ ପାଦ ଥାପିଲେ ଛାତ୍ରଛାତ୍ରୀ। ମନରେ ବହୁତ ଉନ୍ମାଦନା ଓ ଉତ୍ସାହ। ପ୍ରଥମଥର ପାଇଁ କଲେଜ କ୍ୟାମ୍ପସକୁ ପ୍ରବେଶ କରିବା କ୍ଷଣି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭରି ରହିଥିବା ଉତ୍କଣ୍ଠା ସ୍ପଷ୍ଟ ବାରି ହୋଇପଡ଼ୁଥିଲା। ତା’ ଭିତରେ ଭୟ ଓ ଆଶଙ୍କା ବି ରହିଥିଲା। ତଥାପି କ୍ୟାମ୍ପସରେ ପାଦ ଥାପିବା ସହ ପ୍ରଥମ ଦିନର କ୍ଲାସ ବି କରିଥିଲେ। କେଉଁ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କୁ ଫୁଲ ଚନ୍ଦନ ଦିଆଯାଇ ସ୍ବାଗତ କରାଯାଇଥିଲା ତ ଆଉ କେଉଁଠି ଓରିଏଣ୍ଟେସନ କ୍ଲାସ ମାଧ୍ୟମରେ କଲେଜର ନିୟମାବଳୀ ସମ୍ପର୍କରେ ଅବଗତ କରାଯାଇଥିଲା। ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କ୍ୟାମ୍ପସ ପରିବେଶ ଥିଲା ଟିକିଏ ନିଆରା। ଏଠାରେ ଯୁକ୍ତ ୩ ଓ ଯୁକ୍ତ ୨ କଲେଜ ଗୋଟିଏ କ୍ୟାମ୍ପସରେ ଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଟିକିଏ ଭୟ ରହିଥିଲା। ତଥାପି ସେମାନେ ସାହସର ସହ କ୍ୟାମ୍ପସକୁ ପ୍ରବେଶ କରି ନିର୍ଦ୍ଧାରିତ କ୍ଲାସରେ ବସିଥିଲେ। ବିଜେବି ଜୁନିଅର କଲେଜ ଅଧ୍ୟକ୍ଷ ବିଷ୍ଣୁ ଚରଣ ଦାଶଙ୍କ ସ‌ମେତ ବରିଷ୍ଠ ଅଧ୍ୟାପକମାନେ ନିୟମ ବିଷୟରେ ପିଲାମାନଙ୍କୁ ଉପସ୍ଥାନ ବିଷୟରେ ଅବଗତ କରାଇଥିଲେ। ୭୫% ଉପସ୍ଥାନ ବାଧ୍ୟତାମୂଳକ, କଲେଜକୁ ପରିଚୟପତ୍ର ବାଧ୍ୟତାମୂଳକ, ଶୃଙ୍ଖଳା ରଖିବା ଆଦି ବିଷୟରେ କହିଥିଲେ। ସେହିପରି ରମାଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବି ଛାତ୍ରୀମାନଙ୍କୁ ଓରିଏଣ୍ଟେସନ କ୍ଲାସ କରାଯାଇଛି। ମହର୍ଷି କଲେଜ ଅଫ୍‌ ନାଚୁରାଲ ଲ’, ଦେବରାୟ କଲେଜ, ରାଜଧାନୀ କଲେଜ, କମଳା ନେହରୁ ମହିଳା କଲେଜ, ସିଟି ଓମେନ୍ସ କଲେଜ ସମେତ ରାଜଧାନୀରେ ଥିବା ସମସ୍ତ କଲେଜରେ କ୍ଲାସ ଆରମ୍ଭ ହୋଇଛି। ଘରୋଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବି ପ୍ରଥମ ଦିନରେ ପାଠପଢ଼ା ବଦଳରେ ଓରିଏଣ୍ଟେସନ କ୍ଲାସ କରାଯାଇଥିଲା। ଯୁକ୍ତ୨ ପ୍ରଥମ ବର୍ଷ ପାଠପଢ଼ାର ପ୍ରଥମ ଦିନ ହୋଇଥିବାରୁ ଉପସ୍ଥାନ କମ୍‌ ରହିଥିଲା। ତେବେ ଯେଉଁମାନେ ଆସିଥିଲେ ସେମାନେ ପ୍ରାୟତଃ ଡ୍ରେସ୍‌କୋଡ୍‌ରେ ଆସିଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର