ବାଲିଅନ୍ତା : ଆଜି କ୍ୟୁଏଟି ଏବଂ ବାଲିଅନ୍ତା ଥାନା ପୁଲିସ ମିଳିତ ଭାବେ ଚଢ଼ଉ କରି ଏକ ବନ୍ଧୁକ ବେପାର ରୢାକେଟ୍‌ର ଦୁଇ କୁଖ୍ୟାତ ସଦସ୍ୟଙ୍କୁ ଗିରଫ କରିଛନ୍ତି। ସେମାନେ ହେଲେ କଟକ ସଦର ଥାନା ଗଙ୍ଗେଶ୍ବରଗଡ଼ ଅଞ୍ଚଳର ବିକ୍ରମ ପାତ୍ର ଓରଫ୍ ପପୁନ୍‌ (୩୨) ଏବଂ ବାଲିପାଟଣା ଥାନା ଅଠାନ୍ତର ଗ୍ରାମର ଚିତ୍ତରଞ୍ଜନ ବେହେରା ଓରଫ୍‌ କାଳିଆ(୨୮)। ସେମାନଙ୍କ ନିକଟରୁ ପୁଲିସ ଗୋଟିଏ ୯ ଏମ୍‌ଏମ୍‌ ପିସ୍ତଲ ଏବଂ ୬ଟି ଜୀବନ୍ତ ଗୁଳି ଜବତ କରିଛି। ସେମାନଙ୍କୁ ବାଲିଅନ୍ତା ଥାନାରେ ଅଟକ ରଖି ଅଧିକ ତଥ୍ୟ ସଂଗ୍ରହ ପାଇଁ ପୁଲିସ ପଚରାଉଚରା ଚଳାଇଛି। ରାଜଧାନୀକୁ ବନ୍ଧୁକ ଯୋଗାଉଥିବା ଏହି ରୢାକେଟ୍‌ର ଚେର ଜଗତସିଂହପୁରରୁ ଆଇଲ୍ୟାଣ୍ଡକୁ ଲମ୍ବିଛି ବୋଲି ଜଣାପଡ଼ିଛି।

Advertisment

ଗତ ପ୍ରାୟ ମାସେ ହେଲା କ୍ୟୁଏଟି ପୁପୁନ ଓ କାଳିଆକୁ ପିଛା କରିଥିଲେ। ଜଗତସିଂହପୁର ଓ ଆଇଲ୍ୟାଣ୍ଡରୁ ବନ୍ଧୁକ ଆଣି ରାଜଧାନୀରେ କାରବାର ଚଳାଇଥିଲେ ବୋଲି ପୁଲିସକୁ ପକ୍କା ଖବର ମିଳିଥିଲା। ଆଜି ସକାଳେ ଦୁହେଁ ପିସ୍ତଲ ଓ ଗୁଳି ଧରି ହଂସପାଳ –ଜୟଦେବ ପୂର୍ତ୍ତ ବିଭାଗ ରାସ୍ତାରେ ଭୁବନେଶ୍ବର ଅଭିମୁଖେ ବାଇକ୍‌ ଯୋଗେ ଯାଉଥିଲେ। ଫଳରେ ପୂର୍ବରୁ ସ୍ଥାନୀୟ ପୁଲିସ ଓ କ୍ୟୁଏଟି ଟିମ୍‌ ରାମଚନ୍ଦ୍ରପୁର ଛକ ନିକଟରେ ଛକି ରହିଥିବାବେଳେ ସେମାନେ ପୁଲିସ ଜାଲରେ ପଡ଼ି ଯାଇଥିଲେ। ବାଇକ୍‌ ଡିକିରୁ ପିସ୍ତଲ ଓ ଗୁଳି ମିଳିଥିଲା। ପିସ୍ତଲଟିକୁ ସେମାନେ ଭୁବନେଶ୍ବରରେ ବିକ୍ରି କରିଥାନ୍ତେ ବୋଲି ମାନି ଯାଇଥିଲେ। ସେମାନଙ୍କ ଫୋନ୍‌ ନମ୍ବରରୁ ପୁଲିସ ଗ୍ରାହକକୁ ବି ଠାବ କରିବ ବୋଲି ଜଣାପଡ଼ିଛି।