୨ ହାଇଓ୍ଵା ମୁହାଁମହିଁ ଧକ୍କା, ଚାଳକ ମୃତ

ବାରଙ୍ଗ: ତ୍ରିଶୂଳିଆ ଛକରୁ ନନ୍ଦନକାନନ ମୁଖ୍ୟ ରାସ୍ତାର ପୁରୀ ମୁଖ୍ୟ କେନାଲ ବ୍ରିଜ୍‌ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ୨ଟି ହାଇଓ୍ଵା ପରସ୍ପରକୁ ମୁହାଁମୁହିଁ ଧକ୍କା ଦେବା ଫଳରେ ଜଣେ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ଚାଳକଜଣଙ୍କ ହେଲେ, ବସନ୍ତ ବେହେରା (୨୫)। ଘର ବାଣପୁର ଅଞ୍ଚଳରେ। ବାରଙ୍ଗ ଥାନା ପୁଲିସ ଶବକୁ ବ୍ୟବଚ୍ଛେଦ କରାଇବା ସହ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ ଦୁର୍ଘଟଣା ଘଟାଇବା ପରେ ଅନ୍ୟ ହାଇଓ୍ଵାର ଚାଳକ ଓ ହେଲପର ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ। ଅପରପକ୍ଷେ ଏହି ଦୁର୍ଘଟଣା ଯୋଗୁଁ ଉକ୍ତ ରାସ୍ତାରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ସକାଳ ପ୍ରାୟ ୮ଟା ୧୫ରେ ଦୁର୍ଘଟଣାଗ୍ରସ୍ତ ହାଇଓ୍ଵା ଦୁଇଟିକୁ ହଟାଯିବା ପରେ ଚଳାଚଳ ସ୍ୱାଭାବିକ ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ଗତ ରାତି ପ୍ରାୟ ୩ଟା ବେଳେ ତ୍ରିଶୂଳିଆ ଛକରୁ ଏକ ବାଲି ବୋଝଇ ହାଇୱା (ଓଡି-୩୩ଜେ-୭୯୫୪) ଯାଉଥିବା ବେଳେ ନନ୍ଦନକାନନ ମୁଖ୍ୟ ରାସ୍ତାର ପୁରୀ ମୁଖ୍ୟ କେନାଲ ବ୍ରିଜ୍‌ ଉପରେ ନନ୍ଦନକାନନ ପଟୁ ଆସୁଥିବା ଏକ ଖାଲି ହାଇଓ୍ଵା (ଓଡି-୩୩ସି ୬୨୪୦) ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଖାଲି ହାଇୱାଟିର ଚାଳକ ସିଟ୍‌ ଓ ଷ୍ଟିଅରିଂ ଭିତରେ ଚାପି ହୋଇ ରହି ଯାଇଥିଲେ। ଖବର ପାଇ ବାରଙ୍ଗ ଥାନା ପୁଲିସ ଓ ଅଗ୍ନିଶମ କର୍ମଚାରୀମାନେ ପ୍ରାୟ ୪ ଘଣ୍ଟାର କସରତ ଚାଳକଙ୍କୁ ସକାଳ ୭ଟା ବେଳକୁ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଆମ୍ବୁଲାନ୍ସରେ କଟକସ୍ଥିତ ଏସ୍‌ସିବି ମେଡିକାଲକୁ ଚିକିତ୍ସା ଲାଗି ପଠାଯାଇଥିଲା। ଚକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧିତ ଖବର